India Vs China Trains: ଭାରତୀୟ ଟ୍ରେନ୍ଠାରୁ କେତେ ଅଲଗା ଚୀନ୍ର ବଗି? ଦେଖିଲେ ଆଶ୍ଚର୍ଯ୍ୟ ହେବେ, ଏଠି ଲୋକେ ଜାଣନ୍ତିନି କ’ଣ ସିଭିକ୍ ସେନ୍ସ!
ନୂଆଦିଲ୍ଲୀ: ଭାରତ ଓ ଚୀନ୍ର ଟ୍ରେନ୍ ମଧ୍ୟରେ କେତେ ପାର୍ଥକ୍ୟ? କେଉଁ ଦେଶର ଟ୍ରେନ୍ରେ ରହିଛି ଅଧିକ ସୁବିଧା? ଏବେ ଏହି ପ୍ରଶ୍ନକୁ ନେଇ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା। ମାତ୍ର ୫୯ ସେକେଣ୍ଡର ଏକ ଭିଡିଓରେ ଭାରତ ଓ ଚୀନ୍ର ସାଧାରଣ ଟ୍ରେନ୍ ମଧ୍ୟରେ ଥିବା ପାର୍ଥକ୍ୟ ଦେଖାଇଛନ୍ତି ଜଣେ ଭାରତୀୟ ଯୁବକ।
ଏହି ଭିଡିଓକୁ ଇନଷ୍ଟାଗ୍ରାମରେ @syedshanalig ହ୍ୟାଣ୍ଡେଲରୁ ସେୟାର କରାଯାଇଛି। ସୈୟଦ ଶାନ ଆଲମ ଅଲିଗଡ଼ ମୁସଲିମ ୟୁନିଭର୍ସିଟିରେ ପାଠପଢ଼ିବା ପରେ ବର୍ତ୍ତମାନ ଚୀନ୍ର ସିଆନ୍ ସହରରେ ପିଏଚ୍ଡି କରୁଛନ୍ତି। ଉଭୟ ଦେଶର ସାଧାରଣ ଟ୍ରେନ୍ରେ ଯାତ୍ରା କରିବାର ଅନୁଭୂତିକୁ ସେ ଭିଡିଓରେ ବଖାଣିଛନ୍ତି। ତାଙ୍କ କହିବା ଅନୁସାରେ, ଭାରତୀୟ ଟ୍ରେନ୍ରେ ଟଏଲେଟ୍ର ପରିଷ୍କାର ପରିଚ୍ଛନ୍ନତା ନେଇ ଅନେକ ସମସ୍ୟା ରହିଛି। ଅନ୍ୟପଟେ ଚୀନ୍ର ଟ୍ରେନ୍ରେ ଯାତ୍ରୀ ଓହ୍ଲାଇଯିବା ପରେ ମଧ୍ୟ ବଗିଗୁଡ଼ିକ ସଫାସୁତୁରା ଦେଖାଯାଉଛି। ଭାରତୀୟ ଟ୍ରେନ୍ରେ ଯାତ୍ରୀମାନେ ଖାଇବା ପିଇବା ପରେ ଅନେକ ସମୟରେ ଅଳିଆ ଆବର୍ଜନା ସେଠାରେ ଛାଡ଼ି ଚାଲିଯାଉଥିବା ସେ କହିଛନ୍ତି।
କେବଳ ସଫେଇ ନୁହେଁ, ଟ୍ରେନ୍ର ଝରକା ଓ ଗେଟ୍ ବ୍ୟବସ୍ଥାରେ ମଧ୍ୟ ପାର୍ଥକ୍ୟ ରହିଛି। ଭାରତୀୟ ଟ୍ରେନ୍ରେ ଯାତ୍ରୀମାନେ ଝରକା ଓ କବାଟ ଖୋଲିପାରୁଥିବାବେଳେ ଚୀନ୍ର ଟ୍ରେନ୍ରେ ଝରକା ଖୋଲିବା ବ୍ୟବସ୍ଥା ନାହିଁ। ଷ୍ଟେସନରେ ପହଞ୍ଚିବା ପରେ ସ୍ୱତନ୍ତ୍ର ସୁରକ୍ଷା କର୍ମୀ ଟ୍ରେନ୍ର ଗେଟ୍ ଖୋଲିଥାନ୍ତି। ସେହିପରି ଟଏଲେଟ୍ ବ୍ୟବହାର କ୍ଷେତ୍ରରେ ମଧ୍ୟ ରହିଛି ଭିନ୍ନ ବ୍ୟବସ୍ଥା। ଭାରତୀୟ ଟ୍ରେନ୍ରେ ଟଏଲେଟ୍ ଖାଲି ଅଛି କି ନାହିଁ ଜାଣିବାକୁ ଯାତ୍ରୀଙ୍କୁ ପାଖକୁ ଯାଇ ଦେଖିବାକୁ ପଡ଼େ। କିନ୍ତୁ ଚୀନ୍ ଟ୍ରେନ୍ରେ ଲାଇଟ୍ ସିଗନାଲ୍ ବ୍ୟବସ୍ଥା ରହିଛି। ଏହାଦ୍ୱାରା ନିଜ ସିଟ୍ରେ ବସି ମଧ୍ୟ ଟଏଲେଟ୍ ଖାଲି ଅଛି କି ନାହିଁ ଜାଣିହୁଏ।
ଏହି ଭିଡିଓକୁ ନେଇ ସୋସିଆଲ ମିଡିଆରେ ମତଭେଦ ଦେଖାଦେଇଛି। କିଛି ଲୋକ ଯୁବକଙ୍କ ମତକୁ ସମର୍ଥନ କରି ଭାରତୀୟ ଟ୍ରେନ୍ରେ ସଫେଇ ବ୍ୟବସ୍ଥା ଓ ଯାତ୍ରୀଙ୍କ ଆଚରଣରେ ସୁଧାର ଆବଶ୍ୟକ ବୋଲି କହିଛନ୍ତି। ଆଉ କିଛି ଲୋକ ଭାରତ ଓ ଚୀନ୍ର ଅର୍ଥନୀତି ଏବଂ ରେଳବାଇ ବଜେଟ୍ ମଧ୍ୟରେ ଥିବା ପାର୍ଥକ୍ୟକୁ ତୁଳନାର ଆଧାର କରିଛନ୍ତି। ଜଣେ ୟୁଜରଙ୍କ ମତରେ, ଚୀନ୍ର ରେଳବାଇ ବଜେଟ୍ ୧୦୦ ବିଲିୟନ ଡଲାରରୁ ଅଧିକ ହୋଇଥିବାବେଳେ ଭାରତର ବଜେଟ୍ ପ୍ରାୟ ୩୫ ବିଲିୟନ ଡଲାର। ତଥାପି ଭାରତୀୟଙ୍କ ସିଭିକ୍ ସେନ୍ସ ଅନେକ ସ୍ଥାନରେ ପ୍ରଶ୍ନବାଚୀ ହୋଇଛି ।
ତେବେ ଏହି ଭିଡିଓ କେବଳ ରେଳବାଇର ସୁବିଧାକୁ ନୁହେଁ, ବରଂ ଯାତ୍ରୀଙ୍କ ନାଗରିକ ଦାୟିତ୍ୱବୋଧକୁ ମଧ୍ୟ ପ୍ରଶ୍ନ କରିଛି। ଭାରତରେ ବନ୍ଦେ ଭାରତ ଭଳି ଆଧୁନିକ ଟ୍ରେନ୍ ଚାଲୁଥିବାବେଳେ ସାଧାରଣ ଟ୍ରେନ୍ରେ ସଫେଇ ଓ ଯାତ୍ରୀ ସୁବିଧା କ୍ଷେତ୍ରରେ ଆହୁରି ଉନ୍ନତିର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଛି।
