Latest Odisha News

BREAKING NEWS

ଅଜଗର ଧରିବାକୁ ଅଜବ ଚାଲ୍:ଜଙ୍ଗଲରେ ବୁଲୁଛନ୍ତି ଏଆଇ ରୋବୋଟ୍ ଠେକୁଆ!

ଆମେରିକାର ଫ୍ଲୋରିଡାରେ ବଢ଼ିଚାଲିଥିବା ବର୍ମିଜ୍ ଅଜଗର ସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ବୈଜ୍ଞାନିକମାନେ ଏବେ ଅଭିନବ ଉପାୟ ଆପଣାଇଛନ୍ତି। ସାଉଥ୍ ଫ୍ଲୋରିଡା ୱାଟର ମ୍ୟାନେଜମେଣ୍ଟ ଡିଷ୍ଟ୍ରିକ୍ଟ ଏବଂ ଫ୍ଲୋରିଡା ବିଶ୍ୱବିଦ୍ୟାଳୟ ପକ୍ଷରୁ ସୌରଚାଳିତ ‘ରୋବୋଟ୍ ଠେକୁଆ’ ମୁତୟନ କରାଯାଇଛି। ଏହି ରୋବୋଟ୍‌ଗୁଡ଼ିକ ଅସଲି ଶିକାର ଭଳି ଶରୀରର ଉତ୍ତାପ ଓ ଗନ୍ଧ ସୃଷ୍ଟି କରି ଅଜଗରମାନଙ୍କୁ ଆକର୍ଷିତ କରିଥାନ୍ତି। ଏଥିରେ ଲାଗିଥିବା ଏଆଇ (AI) କ୍ୟାମେରା ସାପର ଗତିବିଧି ଠାବ କରିବା ମାତ୍ରେ ଅଧିକାରୀମାନଙ୍କୁ ସୂଚନା ଦେଇଥାଏ, ଫଳରେ ତାଲିମପ୍ରାପ୍ତ କର୍ମଚାରୀମାନେ ସହଜରେ ଅଜଗରକୁ ଧରିପାରନ୍ତି।

ଅନ୍ୟପକ୍ଷରେ, ଆମେରିକୀୟ ଭୂତତ୍ଵିକ ସର୍ବେକ୍ଷଣ ପକ୍ଷରୁ ୨୦୧୭ରୁ ୨୦୨୪ ମଧ୍ୟରେ ବିଗ୍ ସାଇପ୍ରେସ୍ ନ୍ୟାସନାଲ୍ ପ୍ରିଜର୍ଭରେ ୩୪୬ଟି ଅଜଗରଙ୍କ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟୟନ କରାଯାଇଥିଲା। ଏଥିରେ ୧୮୮ଟି ବୟସ୍କ ଏବଂ ୧୫୮ଟି ଛୋଟ ଅଜଗର ସାମିଲ ଥିଲେ। ଗବେଷଣାରୁ ଜଣାପଡ଼ିଛି ଯେ ଏହି ଅଜଗରମାନେ ମୁଖ୍ୟତଃ ଭୂମିରେ ରହିବାକୁ ପସନ୍ଦ କରୁଥିବା ବେଳେ, ମାତ୍ର ୩ ପ୍ରତିଶତରୁ କମ୍ କ୍ଷେତ୍ରରେ ସେମାନଙ୍କୁ ଗଛ ଉପରେ ଦେଖିବାକୁ ମିଳିଛି। ତେବେ ବୟସ୍କ ସାପଙ୍କ ତୁଳନାରେ ଛୋଟ ଅଜଗରମାନେ ଅଧିକ ଗଛ ଚଢ଼ୁଥିବା ଜଣାପଡ଼ିଛି। ଅଧ୍ୟୟନ ସମୟରେ ପ୍ରାୟ ୧୭ ପ୍ରତିଶତ ଛୋଟ ଅଜଗର ଏବଂ ୧୪ ପ୍ରତିଶତ ବୟସ୍କ ଅଜଗର ଅତି କମ୍‌ରେ ଥରେ ଗଛ ଚଢ଼ିଥିବା ରେକର୍ଡ କରାଯାଇଛି। ଛୋଟ ସାପଙ୍କ ଓଜନ କମ୍ ଥିବାରୁ ସେମାନେ ସହଜରେ ଡାଳ ଉପରକୁ ଚଢ଼ିପାରନ୍ତି।

ସୂଚନାଯୋଗ୍ୟ, ଫ୍ଲୋରିଡାର ଏଭରଗ୍ଲେଡ୍ସ ଅଞ୍ଚଳରେ ଏହି ବିଦେଶୀ ପ୍ରଜାତିର ଅଜଗରମାନେ ସ୍ଥାନୀୟ ପକ୍ଷୀ ଓ ସ୍ତନ୍ୟପାୟୀ ପ୍ରାଣୀଙ୍କୁ ଶିକାର କରି ପରିବେଶ ସନ୍ତୁଳନ ବିଗାଡ଼ୁଛନ୍ତି। ୨୦୧୭ ମସିହାରୁ ଏପର୍ଯ୍ୟନ୍ତ ୧୯,୦୦୦ରୁ ଅଧିକ ଅଜଗରଙ୍କୁ ଧରାଯାଇସାରିଲାଣି। ବର୍ତ୍ତମାନର ଏହି ନୂଆ ଗବେଷଣା ଏବଂ ରୋବୋଟ୍ ଠେକୁଆର ବ୍ୟବହାର ବନ୍ୟପ୍ରାଣୀ କର୍ମଚାରୀଙ୍କୁ ଘଞ୍ଚ ଜଙ୍ଗଲ ଓ ଗଛ ଉପରୁ ସାପ ଖୋଜି ବାହାର କରିବାରେ ବିଶେଷ ସହାୟକ ହେବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.