Heritage Sites In India: ନା ତାଜମହଲ, ନା ହମ୍ପି… ଭାରତର ଏହି ୧୦ ଗୁପ୍ତ ଐତିହ୍ୟ ଦେଖିଲେ ଲାଖିଯିବ ଆଖି, ଇତିହାସକୁ ନେଇ ବଦଳିଯିବ ଧାରଣା!
ନୂଆଦିଲ୍ଲୀ: ଭାରତ କହିଲେ ମନକୁ ଆସେ ତାଜମହଲ, ହମ୍ପି କିମ୍ବା ଅଜନ୍ତା-ଏଲୋରା ଭଳି ପ୍ରସିଦ୍ଧ ଐତିହାସିକ ସ୍ଥାନ। କିନ୍ତୁ ଏହିସବୁ ପରିଚିତ ପର୍ଯ୍ୟଟନସ୍ଥଳୀ ବ୍ୟତୀତ ଦେଶରେ ଏମିତି ଅନେକ ଐତିହ୍ୟସ୍ଥଳ ରହିଛି, ଯାହାର ଇତିହାସ ଯେତିକି ରୋଚକ, ସେତିକି ଆଶ୍ଚର୍ଯ୍ୟଜନକ। କେଉଁଠି ପାହାଡ଼ର ପଥରରେ ଖୋଦିତ ହୋଇଛି ବିଶାଳ ଦେବଦେବୀଙ୍କ ମୂର୍ତ୍ତି, ତ ଆଉ କେଉଁଠି ଜଣେ ଦୁର୍ଦ୍ଦାନ୍ତ ଡକାୟତଙ୍କ ସହଯୋଗରେ ପୁନରୁଦ୍ଧାର ହୋଇଛି ପ୍ରାଚୀନ ମନ୍ଦିର। ଏମିତିକି ଝାଡ଼ଖଣ୍ଡର ଏକ ଛୋଟିଆ ଗାଁରେ ରହିଛି ୭୨ଟି ପ୍ରାଚୀନ ମନ୍ଦିର। ଏହି ସବୁ ସ୍ଥାନ ଭାରତର ସମୃଦ୍ଧ ଇତିହାସ, ସଭ୍ୟତା ଓ ସ୍ଥାପତ୍ୟକଳାର ଅନନ୍ୟ ପରିଚୟ ଦେଇଥାଏ।
ଆସନ୍ତୁ ଜାଣିବା ଦେଶର ଏମିତି ୧୦ଟି ଅପରିଚିତ ଐତିହ୍ୟସ୍ଥଳ ବିଷୟରେ, ଯାହା ଆପଣଙ୍କ ପର୍ଯ୍ୟଟନ ତାଲିକାରେ ନିଶ୍ଚୟ ସ୍ଥାନ ପାଇବା ଉଚିତ।
୧. ତ୍ରିପୁରାର ଉନାକୋଟି: ପଥରରେ ଜୀବନ୍ତ ଶିବଙ୍କ ବିଶାଳ ରୂପ

ତ୍ରିପୁରାରେ ଅବସ୍ଥିତ ଉନାକୋଟି ଏକ ପ୍ରାଚୀନ ଶୈବ ତୀର୍ଥସ୍ଥଳ। ଉନାକୋଟିର ଅର୍ଥ ହେଉଛି ଏକ କୋଟିରୁ ଗୋଟିଏ କମ୍। ଏହି ସ୍ଥାନକୁ ନେଇ ଏକ ରୋଚକ କିମ୍ବଦନ୍ତୀ ରହିଛି। କୁହାଯାଏ, ଭଗବାନ ଶିବ କାଶୀ ଯିବା ସମୟରେ ୯୯ ଲକ୍ଷ ୯୯ ହଜାର ୯୯୯ ଦେବଦେବୀଙ୍କ ସହ ଏଠାରେ ରାତି ବିତାଇଥିଲେ। ସକାଳ ସୂର୍ଯ୍ୟୋଦୟ ପୂର୍ବରୁ ସମସ୍ତଙ୍କୁ ଉଠିବାକୁ କହିଥିଲେ। କିନ୍ତୁ ସକାଳେ କେବଳ ଶିବ ଉଠିଥିବାରୁ ଅନ୍ୟମାନଙ୍କୁ ପଥର ହୋଇଯିବାର ଅଭିଶାପ ଦେଇଥିଲେ ବୋଲି କିମ୍ବଦନ୍ତୀ ରହିଛି। ଏଠାକାର ବିଶାଳ ପଥରରେ ଖୋଦିତ ମୂର୍ତ୍ତିଗୁଡ଼ିକ ୭ମରୁ ୯ମ ଶତାବ୍ଦୀ ମଧ୍ୟର ବୋଲି ଅନୁମାନ କରାଯାଏ। ଏଠାରେ ଥିବା ପ୍ରାୟ ୩୦ ଫୁଟ ଉଚ୍ଚତାର ଭଗବାନ ଶିବଙ୍କ ମୁଖମଣ୍ଡଳକୁ ଉନାକୋଟିଶ୍ୱର କାଳଭୈରବ କୁହାଯାଏ। ଏହାବ୍ୟତୀତ ଗଣେଶ ଓ ସିଂହ ଉପରେ ଦଣ୍ଡାୟମାନ ଦୁର୍ଗାଙ୍କ ବିଶାଳ ପ୍ରତିମୂର୍ତ୍ତି ମଧ୍ୟ ଏଠାର ଆକର୍ଷଣ। ୨୦୨୨ ଡିସେମ୍ବରରେ ଏହା ୟୁନେସ୍କୋର ବିଶ୍ୱ ଐତିହ୍ୟ ଅସ୍ଥାୟୀ ତାଲିକାରେ ସ୍ଥାନ ପାଇଥିଲା। ପ୍ରତିବର୍ଷ ଏପ୍ରିଲରେ ଏଠାରେ ଅଶୋକାଷ୍ଟମୀ ମେଳା ଅନୁଷ୍ଠିତ ହୁଏ।
୨. ବଟେଶ୍ୱର ମନ୍ଦିର: ଡକାୟତଙ୍କ ସହଯୋଗରେ ପୁନର୍ଜୀବନ ପାଇଥିଲା ମନ୍ଦିର

ମଧ୍ୟପ୍ରଦେଶର ଗ୍ୱାଲିୟରଠାରୁ ପ୍ରାୟ ୩୫ କିଲୋମିଟର ଉତ୍ତରରେ ରହିଛି ବଟେଶ୍ୱର ମନ୍ଦିର ସମୂହ। ପ୍ରାୟ ୨୫ ଏକର ଅଞ୍ଚଳରେ ଏଠାରେ ପାଖାପାଖି ୨୦୦ଟି ବାଲୁକା ପଥରର ମନ୍ଦିର ଓ ଭଗ୍ନାବଶେଷ ରହିଛି। ଅଷ୍ଟମରୁ ଦଶମ ଶତାବ୍ଦୀ ମଧ୍ୟରେ ନିର୍ମିତ ଏହି ମନ୍ଦିରଗୁଡ଼ିକ ଶିବ, ବିଷ୍ଣୁ ଓ ଶକ୍ତିଙ୍କୁ ସମର୍ପିତ। ଦୀର୍ଘଦିନ ଧରି ଏହି ମନ୍ଦିରଗୁଡ଼ିକ ଭଗ୍ନ ଅବସ୍ଥାରେ ପଡ଼ିରହିଥିଲା। ୨୦୦୫ରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ASI) ପକ୍ଷରୁ ପ୍ରତ୍ନତତ୍ତ୍ୱବିତ୍ କେ.କେ. ମହମ୍ମଦଙ୍କ ନେତୃତ୍ୱରେ ଏହାର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ହେଲେ ଏହି ଅଞ୍ଚଳର ଚମ୍ବଲ ଉପତ୍ୟକା ସେତେବେଳେ କୁଖ୍ୟାତ ଡକାୟତ ନିର୍ଭୟ ସିଂହ ଗୁର୍ଜରଙ୍କ ଗ୍ୟାଙ୍ଗର ଆଡ୍ଡା ଥିଲା। ଏଭଳି ପରିସ୍ଥିତିରେ କେ.କେ. ମହମ୍ମଦ କାମ ବନ୍ଦ ନକରି ଡକାୟତ ନିର୍ଭୟ ସିଂହଙ୍କ ସହ ଆଲୋଚନା କରିଥିଲେ। ଶେଷରେ ସେ ମନ୍ଦିରଗୁଡ଼ିକର ସୁରକ୍ଷା ଓ ପୁନରୁଦ୍ଧାର କାର୍ଯ୍ୟରେ ସହଯୋଗ କରିବାକୁ ରାଜି ହୋଇଥିଲେ। ତାଙ୍କ ନେତୃତ୍ୱରେ ପ୍ରାୟ ୬୦ଟି ମନ୍ଦିର ପୁନର୍ବାର ଠିଆ ହୋଇପାରିଥିଲା।
୩. ମାଲୁଟି ଗାଁ: ଯେଉଁଠି ଘରଠାରୁ ମନ୍ଦିର ନିର୍ମାଣକୁ ମିଳିଥିଲା ଅଧିକ ଗୁରୁତ୍ୱ
ଝାଡ଼ଖଣ୍ଡର ଦୁମକା ଜିଲ୍ଲାରେ ରହିଛି ମାଲୁଟି ନାମକ ଏକ ଛୋଟ ଗାଁ। ଏହି ଗାଁକୁ ମନ୍ଦିରର ଗାଁ ବୋଲି ମଧ୍ୟ କୁହାଯାଏ। ଏହା ପଛରେ ରହିଛି ଏକ ରୋଚକ କାହାଣୀ। କୁହାଯାଏ, ବସନ୍ତ ନାମକ ଜଣେ ବ୍ରାହ୍ମଣ ଗୌଡ଼ର ସୁଲତାନ ଆଲାଉଦ୍ଦିନ ହୁସେନ ଶାହଙ୍କ ପୋଷା ବାଜପକ୍ଷୀକୁ ଉଦ୍ଧାର କରିଥିଲେ। ଏଥିରେ ଖୁସି ହୋଇ ସୁଲତାନ ତାଙ୍କୁ କରମୁକ୍ତ ରାଜ୍ୟ ପ୍ରଦାନ କରିଥିଲେ। ପରେ ବସନ୍ତ ରାଜା ବାଜ ବସନ୍ତ ନାମରେ ପରିଚିତ ହୋଇଥିଲେ। ସେ ନିଜ ସମ୍ପତ୍ତିକୁ ରାଜପ୍ରାସାଦ ନିର୍ମାଣରେ ଖର୍ଚ୍ଚ ନକରି ମନ୍ଦିର ନିର୍ମାଣରେ ବିନିଯୋଗ କରିଥିଲେ। ତାଙ୍କ ବଂଶଧରମାନେ ମଧ୍ୟ ଏହି ପରମ୍ପରା ଜାରି ରଖିଥିଲେ। ଫଳରେ ମାଲୁଟିରେ ଦିନେ ୧୦୮ଟି ମନ୍ଦିର ନିର୍ମାଣ ହୋଇଥିଲା। ଏବେ ସେଥିମଧ୍ୟରୁ ୭୨ଟି ମନ୍ଦିର ରହିଛି। ୧୭ରୁ ୧୯ ଶତାବ୍ଦୀ ମଧ୍ୟରେ ନିର୍ମିତ ଏହି ମନ୍ଦିରଗୁଡ଼ିକରେ ବଙ୍ଗୀୟ ସ୍ଥାପତ୍ୟକଳାର ପ୍ରଭାବ ଦେଖିବାକୁ ମିଳେ। ଢାଲୁ ଛାତ ଓ ଟେରାକୋଟା କାରୁକାର୍ଯ୍ୟ ଏହାର ବିଶେଷତ୍ୱ। ୧୯୭୯ରେ ପ୍ରତ୍ନତତ୍ତ୍ୱବିତ୍ ଏ.କେ. ସିହ୍ନା ଏହି ମନ୍ଦିରଗୁଡ଼ିକୁ ବ୍ୟାପକ ପରିଚୟ ଦେଇଥିଲେ। ତେବେ ରକ୍ଷଣାବେକ୍ଷଣ ଅଭାବରୁ ଏହାର ଅନେକ ମନ୍ଦିର ଜରାଜୀର୍ଣ୍ଣ ହୋଇପଡ଼ିଛି। ଗ୍ଲୋବାଲ ହେରିଟେଜ୍ ଫଣ୍ଡ ଏହାକୁ ବିପଦରେ ଥିବା ୧୨ଟି ସାଂସ୍କୃତିକ ଐତିହ୍ୟସ୍ଥଳ ମଧ୍ୟରେ ସାମିଲ କରିଛି।
୪. ମିତାୱଲିର ଚୌଷଠୀ ଯୋଗିନୀ ମନ୍ଦିର: ପୁରୁଣା ସଂସଦ ଭବନ ସହ ରହିଛି ଅଦ୍ଭୁତ ସାମଞ୍ଜସ୍ୟ
ମଧ୍ୟପ୍ରଦେଶର ମୋରେନା ଜିଲ୍ଲାର ମିତାୱଲି ଗାଁରେ ରହିଛି ଏକାଦଶ ଶତାବ୍ଦୀର ଚୌଷଠୀ ଯୋଗିନୀ ମନ୍ଦିର। ଏହାର ଗୋଲାକାର ନିର୍ମାଣଶୈଳୀ ଦିଲ୍ଲୀର ପୁରୁଣା ସଂସଦ ଭବନକୁ ମନେ ପକାଇଥାଏ। କଚ୍ଛପଘାତ ଶାସକଙ୍କ ଶାସନ କାଳରେ ନିର୍ମିତ ଏହି ମନ୍ଦିରରେ କେନ୍ଦ୍ରରେ ଏକ ଶିବ ମନ୍ଦିର ରହିଛି ଏବଂ ତାହାର ଚାରିପାଖରେ ୬୫ଟି ଛୋଟ କୋଠରି ରହିଛି। ଚୌଷଠୀ ଯୋଗିନୀ ନାମ ୬୪ ଜଣ ଦିବ୍ୟ ଯୋଗିନୀଙ୍କୁ ସୂଚିତ କରେ। ବିଶ୍ୱାସ କରାଯାଏ, ପୂର୍ବରୁ ଏହି କୋଠରିଗୁଡ଼ିକରେ ଯୋଗିନୀଙ୍କ ପ୍ରତିମୂର୍ତ୍ତି ରହିଥିଲା। ବର୍ତ୍ତମାନ ସେଠାରେ ଶିବଙ୍କ ମୂର୍ତ୍ତି ଦେଖିବାକୁ ମିଳେ। ଅଧିକାଂଶ ହିନ୍ଦୁ ମନ୍ଦିରରେ ଗର୍ଭଗୃହ ଓ ଆବଦ୍ଧ ଗଠନ ଦେଖାଯାଉଥିବା ବେଳେ ଏହି ମନ୍ଦିରର କେନ୍ଦ୍ରୀୟ ଅଂଶ ଖୋଲା ଆକାଶ ତଳେ ରହିଛି। ଭୂମିକମ୍ପ ପ୍ରବଣ ଅଞ୍ଚଳରେ ଥାଇ ମଧ୍ୟ ଏହା ଅନେକ ଭୂମିକମ୍ପରେ ବଡ଼ କ୍ଷତିରୁ ରକ୍ଷା ପାଇଛି।
ଏହି ଚାରିଟି ସ୍ଥାନ ବ୍ୟତୀତ ଭାରତର ଆଉ ୬ଟି ଅନନ୍ୟ ଐତିହ୍ୟସ୍ଥଳ ରହିଛି, ଯାହାର ଇତିହାସ ଓ ସ୍ଥାପତ୍ୟକଳା ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ।
୫. ଉଣ୍ଡାଭାଲ୍ଲି ଗୁମ୍ଫା, ଆନ୍ଧ୍ରପ୍ରଦେଶ: ପ୍ରାଚୀନ ପଥର ଖୋଦେଇ ସ୍ଥାପତ୍ୟ ଓ ଗୁମ୍ଫା ନିର୍ମାଣଶୈଳୀ ପାଇଁ ଏହା ପରିଚିତ।
୬. ସନ୍ନତି ପ୍ରତ୍ନତତ୍ତ୍ୱ ସ୍ଥଳ, କର୍ଣ୍ଣାଟକ: ପ୍ରାଚୀନ ବୌଦ୍ଧ ଐତିହ୍ୟ ଓ ପ୍ରତ୍ନତାତ୍ତ୍ୱିକ ଅବଶେଷ ପାଇଁ ଏହି ସ୍ଥାନର ଗୁରୁତ୍ୱ ରହିଛି।

୭. ରାବଡେନତ୍ସେ ଧ୍ୱଂସାବଶେଷ, ସିକ୍କିମ: ଏହା ସିକ୍କିମର ପ୍ରାଚୀନ ରାଜଧାନୀର ଅବଶେଷ। ଏଠାରୁ ରାଜ୍ୟର ରାଜକୀୟ ଇତିହାସର ଝଲକ ମିଳେ।
୮. ଅର୍ବାଲେମ ଗୁମ୍ଫା, ଗୋଆ: ଉଦାର ଶିଳା ଖୋଦେଇ ଓ ପ୍ରାଚୀନ ଗୁମ୍ଫା ସ୍ଥାପତ୍ୟ ପାଇଁ ଏହା ପରିଚିତ।

୯. ପିତଲଖୋରା ଗୁମ୍ଫା, ମହାରାଷ୍ଟ୍ର: ଭାରତର ପ୍ରାଚୀନ ବୌଦ୍ଧ ଗୁମ୍ଫାଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ। ଏଠାରେ ପ୍ରାଚୀନ ଶିଳ୍ପକଳା ଓ ସ୍ଥାପତ୍ୟର ଅନେକ ନିଦର୍ଶନ ରହିଛି।
୧୦. ସିରପୁର ପ୍ରତ୍ନତତ୍ତ୍ୱ ସ୍ଥଳ, ଛତିଶଗଡ଼: ଏହା ଏକ ପ୍ରାଚୀନ ଐତିହାସିକ ସହର। ବୌଦ୍ଧ, ହିନ୍ଦୁ ଓ ଜୈନ ଧର୍ମର ଐତିହ୍ୟ ସହ ଜଡ଼ିତ ଅନେକ ପ୍ରତ୍ନତାତ୍ତ୍ୱିକ ଅବଶେଷ ଏଠାରେ ଦେଖିବାକୁ ମିଳେ।

ଭାରତର ଏହି ଅନାଲୋଚିତ ଐତିହ୍ୟସ୍ଥଳଗୁଡ଼ିକ କେବଳ ପର୍ଯ୍ୟଟନର କେନ୍ଦ୍ର ନୁହେଁ, ବରଂ ଆମର ଇତିହାସ, ସଂସ୍କୃତି ଓ ପୂର୍ବପୁରୁଷଙ୍କ ଅସାଧାରଣ ସୃଜନଶୀଳତାର ମୂକ ସାକ୍ଷୀ। ଏହାର ସଂରକ୍ଷଣ ସହ ନୂଆ ପିଢ଼ିକୁ ଏହି ଐତିହ୍ୟ ସହ ପରିଚିତ ହେବା ଉଚିତ୍ ।
