ନୂଆଦିଲ୍ଲୀ: କେବଳ ମଜୁରୀ କିମ୍ବା ଆୟ ଆଧାରରେ ଦାରିଦ୍ର୍ୟତାକୁ ମାପି ହେବନାହିଁ । କିମ୍ବା ଏହାର ସମାଧାନ କରାଯାଇପାରିବ ନାହିଁ । କାରଣ ଯେଉଁ ପରିବାର ପାଖରେ ସୁରକ୍ଷିତ ଘର, ପରିସ୍କାର ପାନୀୟ ଜଳ, ସ୍ୱଚ୍ଛତା ବ୍ୟବସ୍ଥା ନାହିଁ ସେମାନେ କେବଳ ଗୋଟିଏ ସ୍ୱାସ୍ଥ୍ୟଗତ ସଙ୍କଟରୁ ଅର୍ଥହାନୀର ସମ୍ମୁଖୀନ ହୁଅନ୍ତି । କିନ୍ତୁ ଏସବୁ ସୁବିଧା ନଥାଇ ଆୟ ବୃଦ୍ଧି ହେଲେ ବି ସେମାନେ ସେହିପରି ଅସୁରକ୍ଷିତ ଅବସ୍ଥାରେ ରହୁଛନ୍ତି । ଏବଂ ଅସୁରକ୍ଷିତ ପରିବେଶରୁ ଉତ୍ପନ୍ନ ହେଉଥିବା ଗୋଟିଏ ରୋଗ ପରିବାରକୁ ପୁଣି ଦାରିଦ୍ର୍ୟତାକୁ ଠେଲି ଦେଇପାରେ । ତେଣୁ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ମୁଦ୍ଦା ଦାରିଦ୍ର୍ୟତା ଉପରେ ଏକ ପୋଷ୍ଟ କରି ‘ଗିରିବୀ’ର ଗଭୀର ବିଶ୍ଳେଷଣ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ନିର୍ମଳା ସୀତାରମଣ ବିଶ୍ୱ ବ୍ୟାଙ୍କର ଭାରତ ସମ୍ବନ୍ଧୀୟ ‘ପଭର୍ଟି ଓ ଇକୁଇଟି ବ୍ରିଫ୍’ ରିପୋର୍ଟର ଉଲ୍ଲେଖ କରିଛନ୍ତି । ରିପୋର୍ଟ ଅନୁସାରେ ୨୦୧୧ରୁ ୨୦୨୩ ମଧ୍ୟରେ ପ୍ରାୟ ୫୦କୋଟି ଭାରତୀୟ ଦାରିଦ୍ର୍ୟସୀମାରୁ ବାହାରି ଆସିଛନ୍ତି । ଏବଂ ଅତ୍ୟନ୍ତ ଦାରିଦ୍ର୍ୟ (ଏକ୍ସଟ୍ରିମ୍ ପଭର୍ଟି) ପ୍ରାୟତଃ ଦୂର ହୋଇଯାଇଛି । ତାଙ୍କ କହିବା ଅନୁସାରେ ସ୍ୱାଧୀନତାର ୬ଦଶନ୍ଧିରୁ ଅଧିକ ସମୟ ଯାଏ ବ୍ୟାପକ ଦାରିଦ୍ର୍ୟ ଦୂର କରିବା ଏକ ଅପୂରଣୀୟ ପ୍ରତିଶ୍ରୁତି ହୋଇ ରହିଗଲା । ଏମିତିକି ୨୦୧୦ ଦଶକର ପ୍ରାରମ୍ଭରେ ମଧ୍ୟ ବିଦେଶରେ ଭାରତକୁ ଏପରି ଏକ ରାଷ୍ଟ୍ର ଭାବରେ ଦେଖାଯାଉଥିଲା ଯେଉଁଠାରେ ଦୀର୍ଘସ୍ଥାୟୀ ଦାରିଦ୍ର୍ୟ ରହିଛି ଏବଂ ଯାହା ସ୍ୱଚ୍ଛତା, ପୁଷ୍ଟିସାଧନ, ରୋଷେଇ ପାଇଁ ସ୍ୱଚ୍ଛ ଇନ୍ଧନ ତଥା ବ୍ୟାଙ୍କିଙ୍ଗ ସୁବିଧା କ୍ଷେତ୍ରରେ ପଛରେ ପଡିରହିଛି । ସେସମୟରେ ଲୋକଙ୍କୁ ଅର୍ଥ ଦେଲେ ସେମାନଙ୍କ ଅଭାବ ଦୂର ହୋଇଯିବ ଏମିତି ନୀତି ପ୍ରଚଳିତ ଥିଲା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ସେହି ପଦ୍ଧତି ବ୍ୟବହାର ନକରି ଅନ୍ତୋଦୟର ପ୍ରଥା ଆରମ୍ଭ କଲେ । ଯେଉଁଥିରେ ନିର୍ଦ୍ଦିଷ୍ଟ ପରିବାରର ଅଭାବକୁ ଗୋଟିଏ ପରେ ଗୋଟିଏ ଲକ୍ଷ୍ୟ କରି ଧାଡିରେ ଥିବା ଶେଷ ବ୍ୟକ୍ତିଙ୍କ କଲ୍ୟାଣ ସୁନିଶ୍ଚିତ କରିବା ଥିଲା ମୁଖ୍ୟ ଉଦ୍ଦେଶ୍ୟ । କିନ୍ତୁ ଏସବୁଥିରେ ଅନେକ ସମସ୍ୟା ଦେଖାଦେଇଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବେ କାର୍ଯ୍ୟାନ୍ୱୟନର ତଦାରଖ କରିଥିଲେ । ଅନୁସରଣ ସୁନିଶ୍ଚିତ କରିବା ସହ ବିତରଣକୁ ଟ୍ରାକ୍ କରିବା ପାଇଁ ନୂଆ ପଯୁକ୍ତିବିଦ୍ୟାର ବ୍ୟବହାରକୁ ଉତ୍ସାହିତ କରିଥିଲେ । ଏହାଦ୍ୱାରା ଲୋକ ଉପକୃତ ହେଲେ ଏବଂ ନୂଆ ଟେକନୋଲୋଜିର ବ୍ୟବହାର ବି ବଢିଲା ବୋଲି କହିଛନ୍ତି ସୀତାରମଣ । ଅନେକ ଉଦାହରଣ ଦେଇ କେନ୍ଦ୍ର ସରକାରଙ୍କ ଯୋଜନାର ସଫଳତା ବଖାଣିଛନ୍ତି ସୀତାରମଣ । ସରକାରଙ୍କ ୨୦୪୭ ବିକଶିତ ଭାରତ ଲକ୍ଷ୍ୟ ଆଡକୁ ଯାତ୍ରାର ପରବର୍ତ୍ତୀ ଲକ୍ଷ୍ୟ ହେଉଛି, କଲ୍ୟାଣକାରୀ ସୁରକ୍ଷା ସହ ଆର୍ଥିକ ସେବା, ବଜାର, ଡିଜିଟାଲ ଅର୍ଥନୀତିରେ ଲୋକଙ୍କ ପ୍ରବେଶାଧିକାର ସୁନିଶ୍ଚିତ କରିବା । ଫଳରେ ଦାରିଦ୍ର୍ୟରୁ ମୁକ୍ତ ହୋଇଥିବା ଲୋକ ପୁଣି ଦାରିଦ୍ର୍ୟ ଭିତରକୁ ଖସି ନଯାଆନ୍ତୁ ।
