Latest Odisha News

BREAKING NEWS

ଏସିଆର ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ତୃତୀୟ ସ୍ଥାନରେ ଭାରତ; ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ରିଜିଜୁଙ୍କ ପ୍ରଶଂସା

ନୂଆଦିଲ୍ଲୀ: ବିଶ୍ୱ ଦରବାରରେ ଭାରତର ବଢ଼ୁଛି ଦବଦବା। ‘ଏସିଆ ପାୱାର ଇଣ୍ଡେକ୍ସ’ରେ ହାସଲ କଲା ତୃତୀୟ ସ୍ଥାନ। ଅଷ୍ଟ୍ରେଲିଆର ଲୋଇ ଇନଷ୍ଟିଚ୍ୟୁଟ୍ (Lowy Institute) ଦ୍ୱାରା ପ୍ରକାଶିତ ‘ଏସିଆ ପାୱାର ଇଣ୍ଡେକ୍ସ ୨୦୨୬’ (Asia Power Index 2026) ରେ ଭାରତ ୪୦.୫ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହି ନିଜର ‘ମେଜର ପାୱାର’ (Major Power) ମାନ୍ୟତାକୁ ସୁଦୃଢ଼ କରିଛି। ଏହି ସଫଳତା ନେଇ କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ଶ୍ରେୟ ଦେଇଛନ୍ତି।

ରିପୋର୍ଟ ଅନୁସାରେ, ଭାରତ ଲଗାତାର ତୃତୀୟ ବର୍ଷ ପାଇଁ ଏସିଆର ତୃତୀୟ ସର୍ବବୃହତ ଶକ୍ତି ଭାବେ ନିଜ ସ୍ଥାନ ବଜାୟ ରଖିଛି। ଗତବର୍ଷ ତୁଳନାରେ ଭାରତର ସ୍କୋର ୦.୫ ପଏଣ୍ଟ ବୃଦ୍ଧି ପାଇ ୪୦.୫ ରେ ପହଞ୍ଚିଛି। ଏହି ତାଲିକାରେ ଆମେରିକା (୭୮.୯) ପ୍ରଥମ ଏବଂ ଚୀନ୍ (୭୩.୬) ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଭାରତ ପଛକୁ ଜାପାନ (୩୮.୬) ଚତୁର୍ଥ ଏବଂ ଋଷିଆ (୩୨.୨) ପଞ୍ଚମ ସ୍ଥାନରେ ଅଛନ୍ତି।

୨୦୧୮ରେ ଏହି ସୂଚକାଙ୍କ ଆରମ୍ଭ ହେବା ପରଠାରୁ ଭାରତ ଏବଂ ଚୀନ୍ ମଧ୍ୟରେ ଥିବା ଶକ୍ତି ବ୍ୟବଧାନ ବର୍ତ୍ତମାନ ସର୍ବନିମ୍ନ ସ୍ତରକୁ ଖସି ଆସିଛି। ଆଞ୍ଚଳିକ ନେତୃତ୍ୱ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନୋଟି ସ୍ଥାନ ଉପରକୁ ଉଠି ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ପଛକୁ ଏସିଆର ଦ୍ୱିତୀୟ ସବୁଠାରୁ ପ୍ରଭାବଶାଳୀ ନେତା ଭାବେ ବିବେଚିତ ହୋଇଛନ୍ତି। ଦକ୍ଷିଣ-ପୂର୍ବ ଏସୀୟ ଦେଶଗୁଡ଼ିକୁ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ବିକ୍ରି, ପ୍ରତିରକ୍ଷା ସହଯୋଗ ବୃଦ୍ଧି, ସାଂସ୍କୃତିକ ପ୍ରଭାବ (+୨.୩ ପଏଣ୍ଟ) ଏବଂ କୂଟନୈତିକ ଦକ୍ଷତା (୭୦.୩ ପଏଣ୍ଟ) ଭାରତର ଏହି ସଫଳତାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି।

କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୃଢ଼ ନେତୃତ୍ୱକୁ ଶ୍ରେୟ ଦେଇଛନ୍ତି। ସେ କହିଛନ୍ତି ଯେ ୧୨ ବର୍ଷ ପୂର୍ବେ ବିଶ୍ୱ ମାନ୍ୟତାରେ ଭାରତ ବହୁତ ତଳେ ଥିଲା, କିନ୍ତୁ ବର୍ତ୍ତମାନ ଦେଶରେ ବ୍ୟାପକ ପରିବର୍ତ୍ତନ ଆସିଛି ଏବଂ ଭାରତ ଶୀର୍ଷ ୩-୪ଟି ଦେଶ ମଧ୍ୟରେ ସ୍ଥାନ ପାଇଛି। କେବଳ ଲୋଇ ଇନଷ୍ଟିଚ୍ୟୁଟ୍ ନୁହେଁ, ଅନ୍ୟାନ୍ୟ ଅନ୍ତର୍ଜାତୀୟ ରେଟିଂ ଏଜେନ୍ସିଗୁଡ଼ିକ ମଧ୍ୟ ଅର୍ଥନୀତି, ସାମରିକ ଶକ୍ତି ଏବଂ ଆର୍ଥିକ କ୍ଷେତ୍ରରେ ଭାରତକୁ ଉଚ୍ଚ ମାନ୍ୟତା ଦେଇଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.