Latest Odisha News

BREAKING NEWS

ଦକ୍ଷିଣ ଦିଲ୍ଲୀରେ ଆଜି ୧୯ରୁ ଅଧିକ ବିବାହ ଉତ୍ସବ; ଟ୍ରାଫିକ୍ ଜାମ୍ ଆଶଙ୍କା, ମେଟ୍ରୋ ଓ ସର୍ବସାଧାରଣ ପରିବହନ ବ୍ୟବହାର କରିବାକୁ ପୋଲିସର ପରାମର୍ଶ

ନୂଆଦିଲ୍ଲୀ: ବିବାହ ଋତୁ ଚାଲିଥିବା ବେଳେ ଆଜି ଦକ୍ଷିଣ ଦିଲ୍ଲୀରେ ୧୯ରୁ ଅଧିକ ବିବାହ ସମାରୋହ ଆୟୋଜିତ ହେଉଛି। ଏଥିରେ ୭,୦୦୦ରୁ ଅଧିକ ଲୋକ ଯୋଗଦେବା ସହ ରାସ୍ତାକୁ ୩,୫୦୦ରୁ ଅଧିକ ଅତିରିକ୍ତ ଗାଡ଼ି ଓହ୍ଲାଇବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ଟ୍ରାଫିକ୍ ପୋଲିସ ପକ୍ଷରୁ ଯାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ଟ୍ରାଫିକ୍ ଆଡଭାଇଜରି ଜାରି କରାଯାଇଛି।

ପୋଲିସ ସୂଚନା ଅନୁଯାୟୀ, ଏସ୍.ଏସ୍.ଏନ୍ ମାର୍ଗ (ଭାଟି ମାଇନ୍ସ ରୋଡ୍), ବାନ୍ଧ ରୋଡ୍, ମଣ୍ଡି ରୋଡ୍ ଏବଂ ଏମ୍.ଜି ରୋଡ୍‌ରେ ଏହି ବିବାହ ଉତ୍ସବଗୁଡ଼ିକ ଅନୁଷ୍ଠିତ ହେଉଛି। ଫଳରେ ଦିନ ତମାମ ଏହି ସବୁ ଅଞ୍ଚଳରେ ପ୍ରବଳ ଗହଳି ଓ ଟ୍ରାଫିକ୍ ଜାମ୍ ହେବାର ଆଶଙ୍କା ରହିଛି। ଏହା ବ୍ୟତୀତ ଅନୁବ୍ରତ ମାର୍ଗ, ଅରବିନ୍ଦୋ ମାର୍ଗ, ଜୋନାପୁର ରୋଡ୍, ମେହରୌଲି-ଗୁରୁଗ୍ରାମ ରୋଡ୍ ଏବଂ ମେହରୌଲି-ମହିପାଲପୁର ରୋଡ୍‌ରେ ଯାତାୟାତ ପ୍ରଭାବିତ ହୋଇପାରେ।

ଭାରତ ଗସ୍ତରେ ଆସିଥିବା ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହଙ୍କ କାର୍ଯ୍ୟକ୍ରମ ପାଇଁ ରାଜଘାଟ ଏବଂ କେନ୍ଦ୍ରୀୟ ଓ ଉତ୍ତର ଦିଲ୍ଲୀରେ ମଧ୍ୟ ଭିଆଇପି ମୁଭମେଣ୍ଟ ରହିଥିବାରୁ ସହରର ଟ୍ରାଫିକ୍ ବ୍ୟବସ୍ଥା ଉପରେ ଚାପ ବଢ଼ିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପର୍ଯ୍ୟାପ୍ତ ଟ୍ରାଫିକ୍ ପୋଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି।

ଯାତ୍ରୀମାନଙ୍କୁ ଯଥାସମ୍ଭବ ଏହି ପ୍ରଭାବିତ ରାସ୍ତାଗୁଡ଼ିକୁ ଏଡ଼ାଇ ବିକଳ୍ପ ମାର୍ଗ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ସମୟ ଏବଂ ଇନ୍ଧନ ବଞ୍ଚାଇବା ପାଇଁ ନିଜସ୍ୱ ଗାଡ଼ି ବଦଳରେ ଦିଲ୍ଲୀ ମେଟ୍ରୋ ଓ ସର୍ବସାଧାରଣ ପରିବହନ ବ୍ୟବହାର କରିବାକୁ ପୋଲିସ ଅନୁରୋଧ କରିଛି। ଏହାସହ ବିବାହ ଉତ୍ସବକୁ ଆସୁଥିବା ଅତିଥିମାନେ ରାସ୍ତା କଡ଼ରେ ଗାଡ଼ି ପାର୍କିଂ ନକରି କେବଳ ନିର୍ଦ୍ଧାରିତ ପାର୍କିଂ ସ୍ଥାନରେ ଗାଡ଼ି ରଖିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଯାତ୍ରୀମାନେ ହାତରେ ଅତିରିକ୍ତ ସମୟ ନେଇ ଘରୁ ବାହାରିବାକୁ ଟ୍ରାଫିକ୍ ପୋଲିସ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.