ଦୋହା : ଏସିଆ କପ୍ ରାଇଜିଂ ଷ୍ଟାର୍ସ ୨୦୨୬ରେ ପାକିସ୍ତାନ-ଏ ବିପକ୍ଷରେ ଇଣ୍ଡିଆ-ଏ ଅଧିନାୟକ ତିଳକ ବର୍ମା ଶତକ ହାସଲ କରିଥିଲେ ମଧ୍ୟ ଦଳ ପରାଜୟ ବରଣ କରିଥିଲା । ଏହି ମ୍ୟାଚ୍ରେ ତିଳକଙ୍କ ମନ୍ଥର ବ୍ୟାଟିଂକୁ ନେଇ ସମାଲୋଚନା ହେଉଥିବା ବେଳେ, ମ୍ୟାଚ୍ ପରେ ସେ ଦେଇଥିବା ଏକ ବୟାନକୁ ନେଇ ବଡ଼ ବିବାଦ ସୃଷ୍ଟି ହୋଇଛି । ଅନ୍ୟ ବ୍ୟାଟରମାନଙ୍କ ଉପରେ ଦୋଷ ଲଦା ଭଳି ବୟାନ ଦେବା ପରେ ପୂର୍ବତନ ଭାରତୀୟ ଅଧିନାୟକ ଅଜିଙ୍କ୍ୟ ରାହାଣେ ଅସନ୍ତୋଷ ପ୍ରକାଶ କରିବା ସହ ତିଳକଙ୍କୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । ରବିବାର (ନଭେମ୍ବର ୨୨) ଦୋହାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ପାକିସ୍ତାନ-ଏ ଦେଇଥିବା ୩୧୪ ରନ୍ର ଲକ୍ଷ୍ୟ ପିଛା କରି ଇଣ୍ଡିଆ-ଏ ମାତ୍ର ୨୬୫ ରନରେ ସୀମିତ ରହିଥିଲା । ତିଳକ ବର୍ମା ଶେଷ ପର୍ୟ୍ୟନ୍ତ କ୍ରିଜ୍ରେ ରହି ୧୪୯ ବଲ୍ରେ ୧୦୦ ରନ୍ କରିଥିଲେ ହେଁ, ଆରମ୍ଭରୁ ଅତ୍ୟଧିକ ମନ୍ଥର ଖେଳିବା ଓ ବଡ଼ ଶଟ୍ ନ ଖେଳିବା ଯୋଗୁଁ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା ।
ମ୍ୟାଚ୍ ପରେ ପ୍ରେଜେଣ୍ଟେସନ୍ ସମୟରେ ତିଳକ କହିଥିଲେ ଯେ ଶତକ ଅପେକ୍ଷା ବିଜୟ ତାଙ୍କୁ ଅଧିକ ଖୁସି ଦେଇଥାନ୍ତା ଏବଂ ଯଦି ଅନ୍ୟ କୌଣସି ବ୍ୟାଟର ତାଙ୍କୁ ସାଥ୍ ଦେଇଥାନ୍ତେ, ତେବେ ସେ ମ୍ୟାଚ୍ ଜିତାଇ ପାରିଥାନ୍ତେ । ଉଲ୍ଲେଖଯୋଗ୍ୟ ଯେ, ସେହି ମ୍ୟାଚ୍ରେ ଅଭିଷେକ ଶର୍ମା ମାତ୍ର ୪୨ ବଲ୍ରେ ୭୦ ରନ୍ ଏବଂ ଶାହବାଜ ଅହମ୍ମଦ ୪୯ ବଲ୍ରେ ୫୬ ରନର ଦ୍ରୁତ ଇନିଂସ ଖେଳିଥିଲେ। ଏଭଳି ସ୍ଥିତିରେ ତିଳକଙ୍କ ବୟାନକୁ ନେଇ ପ୍ରଶଂସକ ଓ ବିଶେଷଜ୍ଞମାନେ କଡ଼ା ପ୍ରତିକ୍ରିୟା ଦେଇଛନ୍ତି । ତିଳକଙ୍କ ବୟାନକୁ ନେଇ ଅଜିଙ୍କ୍ୟ ରାହାଣେ ନିରାଶା ବ୍ୟକ୍ତ କରିଥିଲେ ମଧ୍ୟ କହିଛନ୍ତି ଯେ ହୁଏତ ହତାଶା କାରଣରୁ ତିଳକଙ୍କ ମୁହଁରୁ ଏଭଳି କଥା ବାହାରି ଯାଇଥାଇପାରେ ଏବଂ ସେ ଏପରି କହିବାକୁ ଚାହୁଁ ନଥିବେ । ରାହାଣେ ସ୍ପଷ୍ଟ କରିଛନ୍ତି ଯେ କୌଣସି ଖେଳାଳି ଚାହାନ୍ତି ନାହିଁ ଯେ ଅଧିନାୟକ ସର୍ବସାଧାରଣରେ ସାଥୀ ଖେଳାଳିଙ୍କ ବିଷୟରେ ଏଭଳି ମନ୍ତବ୍ୟ ଦିଅନ୍ତୁ । ସେ ପରାମର୍ଶ ଦେଇଛନ୍ତି, “ଯଦି କିଛି କହିବାର ଅଛି, ତେବେ ଡ୍ରେସିଂ ରୁମ୍ ଭିତରେ ଯାଇ କୁହନ୍ତୁ । ଏହାଦ୍ୱାରା ଖେଳାଳିମାନଙ୍କ ଆତ୍ମବିଶ୍ୱାସ ବଢ଼େ । ଅଧିନାୟକ ଭାବେ ତିଳକ ବର୍ମା ଧୀରେ ଧୀରେ ଶିଖିବେ ଏବଂ ଏହି ଅଭିଜ୍ଞତା ତାଙ୍କୁ ପରିସ୍ଥିତି ସମ୍ଭାଳିବାରେ ସାହାଯ୍ୟ କରିବ ।”
