Latest Odisha News

BREAKING NEWS

NVIDIA CEO:ଇସ୍ତଫା ଦେବାର ୧୧ ଦିନ ପରେ CEO ଭାବେ ଫେରିଲେ Jensen Huang;ହୁଆଙ୍ଗ କହିଲେ- ବିଶ୍ୱାସ ପାଇଁ ଧନ୍ୟବାଦ

ନୂଆଦିଲ୍ଲୀ:ବିଶ୍ୱର ଅନ୍ୟତମ ବୃହତ୍ତମ AI ଚିପ୍ କମ୍ପାନୀ ‘ଏନ୍‌ଭିଡିଆ’ (NVIDIA) ରେ ଏକ ବଡ଼ ଧରଣର ପରିବର୍ତ୍ତନ ଘଟିଛି। କମ୍ପାନୀର ସହ-ପ୍ରତିଷ୍ଠାତା ଜେନସେନ୍ ହୁଆଙ୍ଗ ପୁଣି ଥରେ CEO ପଦକୁ ଫେରିଛନ୍ତି।ନଭେମ୍ବର ୧୨ ତାରିଖରେ ତାଙ୍କ ଇସ୍ତଫା ପରେ, କମ୍ପାନୀର ବୋର୍ଡ ନଭେମ୍ବର ୨୩ ତାରିଖରେ ସର୍ବସମ୍ମତି କ୍ରମେ ତାଙ୍କୁ ପୁନର୍ବାର ସଭାପତି, ସିଇଓ (CEO) ଏବଂ ବୋର୍ଡର ସଦସ୍ୟ ଭାବରେ ନିଯୁକ୍ତ କଲା।

ଆଶ୍ଚର୍ଯ୍ୟର କଥା ହେଉଛି, କିଛି ଦିନ ପୂର୍ବ ପର୍ଯ୍ୟନ୍ତ ବୋର୍ଡ ତାଙ୍କ ପ୍ରତ୍ୟାବର୍ତ୍ତନ ସପକ୍ଷରେ ନଥିଲା। ବର୍ତ୍ତମାନ ଆମେରିକା ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କଠାରୁ ମିଳିଥିବା ସୂଚନା ଆଧାରରେ, ବୋର୍ଡ କହିଛି ଯେ ହୁଆଙ୍ଗଙ୍କ ପ୍ରତ୍ୟାବର୍ତ୍ତନ ଜାତୀୟ ସୁରକ୍ଷା ପାଇଁ କୌଣସି ବିପଦ ସୃଷ୍ଟି କରୁ ନାହିଁ।

ଏପଟେ ତାଙ୍କ ସହ ଜଡ଼ିତ ମାମଲା ଉପରେ ଏକ ସ୍ୱତନ୍ତ୍ର ତଦନ୍ତ ଜାରି ରହିବ।

କମ୍ପାନୀର ବୋର୍ଡ ଅଧ୍ୟକ୍ଷ ହାର୍ଭି ସି. ଜୋନ୍ସ କହିଛନ୍ତି ଯେ, ଏନଭିଡିଆ (Nvidia) ର ନେତୃତ୍ୱ ନେବା ପାଇଁ ଜେନସେନ୍ ହୁଆଙ୍ଗ ହିଁ ଉପଯୁକ୍ତ ବ୍ୟକ୍ତି ବୋଲି ବୋର୍ଡ ବିଶ୍ୱାସ କରେ। ତାଙ୍କର ପ୍ରତ୍ୟାବର୍ତ୍ତନ କମ୍ପାନୀର କର୍ମଚାରୀ, ଅଂଶୀଦାର (ପାର୍ଟନର) ଏବଂ ଗ୍ରାହକମାନଙ୍କ ପାଇଁ ସର୍ବୋତ୍ତମ ଅଟେ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ହୁଆଙ୍ଗଙ୍କ ନେତୃତ୍ୱ ଦକ୍ଷତା ଉପରେ ବୋର୍ଡର ପୂର୍ଣ୍ଣ ଆସ୍ଥା ରହିଛି ଏବଂ ତାଙ୍କ ସହ ପୁନର୍ବାର କାମ କରିବାକୁ ବୋର୍ଡ ଉତ୍ସାହିତ ଅଛି।

ବୋର୍ଡ କୋଲେଟ୍ କ୍ରେସ୍‌ଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛି, ଯିଏ ଅନ୍ତରୀଣ ସିଇଓ (CEO) ଭାବରେ କାର୍ଯ୍ୟ କରିଥିଲେ। ନିଜର ଅନ୍ତରୀଣ ଦାୟିତ୍ୱ ସହିତ, ସେ କମ୍ପାନୀର ମୁଖ୍ୟ ଆର୍ଥିକ ଅଧିକାରୀ (CFO) ଭାବରେ ମଧ୍ୟ କାର୍ଯ୍ୟ ଜାରି ରଖିଥିଲେ।

ଏହି ଖବର ପରେ, ଆମେରିକୀୟ ଷ୍ଟକ୍ ବଜାରରେ ଏନଭିଡିଆ (Nvidia) ର ସେୟାରରେ ପ୍ରବଳ ବୃଦ୍ଧି ଦେଖିବାକୁ ମିଳିଲା ଏବଂ ପ୍ରି-ମାର୍କେଟ୍ କାରବାରରେ ଏହା ୨୫% ରୁ ଅଧିକ ବୃଦ୍ଧି ପାଇଲା।

NVIDIA କୁ ଫେରିବା ପରେ ଜେନସେନ୍ ହୁଆଙ୍ଗ ନିଜର ପ୍ରଥମ ବୟାନରେ କହିଛନ୍ତି ଯେ,NVIDIA କୁ ଫେରି ମୁଁ ନିଜକୁ ସମ୍ମାନିତ ମନେ କରୁଛି। ଏକ ନୂତନ ଶିଳ୍ପ ବିପ୍ଳବର ଆରମ୍ଭ କାଳରେ, ବିଶ୍ୱର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା କମ୍ପାନୀର ନେତୃତ୍ୱ ନେବା ମୋ ପାଇଁ ଗର୍ବର ବିଷୟ। ମୁଁ କମ୍ପାନୀର ବୋର୍ଡ, ହାର୍ଭି ଜୋନ୍ସ, କୋଲେଟ୍ କ୍ରେସ୍, ଆମର କର୍ମଚାରୀ, ଅଂଶୀଦାର, ସହଯୋଗୀ ଏବଂ ମୋ ପରିବାରକୁ ଧନ୍ୟବାଦ ଜଣାଉଛି। ଯଥାଶୀଘ୍ର କାର୍ଯ୍ୟରେ ଯୋଗ ଦେବା ପାଇଁ ମୁଁ ଉତ୍ସାହିତ ଅଛି।

ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ଏକ ପୋଷ୍ଟ ମାଧ୍ୟମରେ ହୁଆଙ୍ଗ କହିଥିଲେ ଯେ, ଯଦି ବୋର୍ଡ ଚାହେଁ, ତେବେ କମ୍ପାନୀ ଏବଂ ଦେଶ ଉଭୟଙ୍କ ସ୍ୱାର୍ଥ ଦୃଷ୍ଟିରୁ ସେ ପୁନର୍ବାର ଫେରିବାକୁ ପ୍ରସ୍ତୁତ ଅଛନ୍ତି। ଏଲନ ମସ୍କ ଏବଂ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସର୍ବସାଧାରଣରେ ହୁଆଙ୍ଗଙ୍କୁ ପୁନର୍ବାର ସିଇଓ (CEO) ଭାବେ ନିଯୁକ୍ତ କରିବା ପାଇଁ ସମର୍ଥନ ଜଣାଇଥିଲେ।

ଜେନସେନ୍ ହୁଆଙ୍ଗ ନଭେମ୍ବର ୧୨ ତାରିଖରେ ଇସ୍ତଫା ଦେଇଥିଲ । ଏକ ବିଦେଶୀ ଗୁଇନ୍ଦା ସଂସ୍ଥାର ଟାର୍ଗେଟ୍ ବା ଲକ୍ଷ୍ୟ ପାଲଟିଥିବା ନେଇ ଖବର ଆସିବା ପରେ ସେ ଇସ୍ତଫା ଦେଇଥିଲେ। ଏହି ରିପୋର୍ଟଗୁଡ଼ିକରେ ତାଙ୍କ ସହ ଜଣେ ମହିଳାଙ୍କ ସମ୍ପର୍କ ଥିବା କଥା କୁହାଯାଇଥିଲା, ଯିଏ ଚାଇନାର ଗୁଇନ୍ଦା ସଂସ୍ଥା ପାଇଁ କାମ କରୁଥିବା ନେଇ ଆମେରିକୀୟ ଅଧିକାରୀମାନେ ସନ୍ଦେହ କରୁଥିଲେ। ତେବେ, ଚାଇନା ଏହି ଅଭିଯୋଗଗୁଡ଼ିକୁ ଖଣ୍ଡନ କରିଛି ।

Leave A Reply

Your email address will not be published.