ନୂଆଦିଲ୍ଲୀ: ଭାରତ ଓ ନେପାଳ ମଧ୍ୟରେ ସମ୍ପର୍କ କେବଳ ପଡ଼ୋଶୀ ଦେଶ ଭାବେ ସୀମିତ ନୁହେଁ; ଉଭୟ ଦେଶର ସଂସ୍କୃତି, ଧର୍ମ ଓ ପରମ୍ପରା ମଧ୍ୟ ପରସ୍ପର ସହ ଗଭୀର ଭାବେ ଜଡ଼ିତ । ଏହି ବନ୍ଧୁତ୍ୱ ଓ ସାଂସ୍କୃତିକ ସମ୍ପର୍କର ଝଲକ ଦେଖିବାକୁ ମିଳିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେପାଳର ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହଙ୍କୁ ପ୍ରଦାନ କରିଥିବା ସ୍ୱତନ୍ତ୍ର ଉପହାରରେ । ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ନେପାଳ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ ସମୟରେ ମୋଦୀ ରାମାୟଣର ଏକ ସ୍ୱତନ୍ତ୍ର ଚିତ୍ରାବଳୀ, ବନାରସରେ ପ୍ରସ୍ତୁତ ରେଶମୀ ଉତ୍ତରୀୟ ଏବଂ ବାରାଣସୀରୁ ଅଣାଯାଇଥିବା ଗଙ୍ଗାଜଳ ଉପହାର ଦେଇଛନ୍ତି।
ମୋଦୀ ବାଲେନ୍ଦ୍ର ଶାହଙ୍କୁ କଲମକାରୀ ଶୈଳୀରେ ପ୍ରସ୍ତୁତ ସମ୍ପୂର୍ଣ୍ଣ ରାମାୟଣ ଚିତ୍ରାବଳୀ ଭେଟି ଦେଇଛନ୍ତି । ଏହି ଚିତ୍ରକଳାରେ ଭଗବାନ ଶ୍ରୀରାମଙ୍କ ଜୀବନର ପ୍ରମୁଖ ଘଟଣାଗୁଡ଼ିକୁ ସ୍ଥାନ ଦିଆଯାଇଛି । ତାଙ୍କ ଜନ୍ମଠାରୁ ବନବାସ, ରାବଣ ବଧ ଏବଂ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ପର୍ଯ୍ୟନ୍ତ କାହାଣୀକୁ ଏଥିରେ ଚିତ୍ର ମାଧ୍ୟମରେ ଦର୍ଶାଯାଇଛି।
ଆନ୍ଧ୍ରପ୍ରଦେଶର ପାରମ୍ପରିକ ଶ୍ରୀକାଳହସ୍ତୀ ଶୈଳୀରେ ଏହି କଳାକୃତି ପ୍ରସ୍ତୁତ ହୋଇଛି। ସୂତା କପଡ଼ା ଉପରେ ବାଉଁଶ କଲମ ଓ ପ୍ରାକୃତିକ ରଙ୍ଗ ବ୍ୟବହାର କରି ଏହାକୁ ହାତରେ ତିଆରି କରାଯାଇଛି।
ଏହି ଉପହାରର ଧାର୍ମିକ ଓ ସାଂସ୍କୃତିକ ମହତ୍ତ୍ୱ ମଧ୍ୟ ରହିଛି। ଅଯୋଧ୍ୟାକୁ ପ୍ରଭୁ ଶ୍ରୀରାମଙ୍କ ଜନ୍ମସ୍ଥାନ ଏବଂ ନେପାଳର ଜନକପୁରକୁ ମାତା ସୀତାଙ୍କ ଜନ୍ମସ୍ଥାନ ଭାବେ ମାନ୍ୟତା ଦିଆଯାଏ। ତେଣୁ ଏହି ରାମାୟଣ ଚିତ୍ରାବଳୀ ଉଭୟ ଦେଶର ଗଭୀର ଧାର୍ମିକ ଓ ସାଂସ୍କୃତିକ ସମ୍ପର୍କର ପ୍ରତୀକ ହୋଇଛି।
ବନାରସୀ ରେଶମୀ ଉତ୍ତରୀୟ ଉପହାର
ଦ୍ୱିତୀୟ ଉପହାର ଭାବେ ମୋଦୀ ନେପାଳ ପ୍ରଧାନମନ୍ତ୍ରୀଙ୍କୁ ବାରାଣସୀରେ ପ୍ରସ୍ତୁତ ଏକ ବନାରସୀ ରେଶମୀ ଉତ୍ତରୀୟ ଦେଇଛନ୍ତି। ଏଥିରେ କାରିଗରମାନେ ସୂକ୍ଷ୍ମ ଜରି କାମ କରିଛନ୍ତି, ଯାହା ଏହାକୁ ଆକର୍ଷଣୀୟ କରିଛି। ଗୁଜରାଟରେ ତିଆରି ଚନ୍ଦନ କାଠର ଏକ ସ୍ୱତନ୍ତ୍ର ବାକ୍ସରେ ରଖି ଏହି ଉତ୍ତରୀୟକୁ ଉପହାର ଦିଆଯାଇଛି। ବାକ୍ସ ଉପରେ ପାରମ୍ପରିକ କାଠ କାରୁକାର୍ଯ୍ୟ ସହ ଜ୍ୟାମିତିକ ଡିଜାଇନ୍ର ସୁନ୍ଦର ସାଜସଜ୍ଜା ରହିଛି। ଏହି ଉପହାର ଭାରତର ପାରମ୍ପରିକ କଳା, ହସ୍ତଶିଳ୍ପ ଓ କାରିଗରଙ୍କ ନିପୁଣତାକୁ ପ୍ରତିଫଳିତ କରୁଛି।
ପିତ୍ତଳ କଳସରେ ଗଙ୍ଗାଜଳ
ତୃତୀୟ ଉପହାର ଭାବେ ମୋଦୀ ବାଲେନ୍ଦ୍ର ଶାହଙ୍କୁ ବାରାଣସୀରୁ ଅଣାଯାଇଥିବା ଗଙ୍ଗାଜଳ ପ୍ରଦାନ କରିଛନ୍ତି। ଏହାକୁ ଏକ ସ୍ୱତନ୍ତ୍ର ପିତ୍ତଳ କଳସରେ ରଖାଯାଇଥିଲା। କାଶୀ ବିଶ୍ୱନାଥ ମନ୍ଦିର ନିକଟସ୍ଥ ଗଙ୍ଗା ନଦୀରୁ ଏହି ଜଳ ସଂଗ୍ରହ କରାଯାଇଛି।
ଏହି ଉପହାରର ଧାର୍ମିକ ମହତ୍ତ୍ୱ କାଶୀ ଓ କାଠମାଣ୍ଡୁ ମଧ୍ୟରେ ଥିବା ଆଧ୍ୟାତ୍ମିକ ସମ୍ପର୍କ ସହ ଜଡ଼ିତ। ବାରାଣସୀର ବାବା ବିଶ୍ୱନାଥ ଏବଂ କାଠମାଣ୍ଡୁର ଭଗବାନ ପଶୁପତିନାଥ ଉଭୟେ ଭଗବାନ ଶିବଙ୍କ ପ୍ରମୁଖ ଧାମ ଭାବେ ପରିଚିତ। ତେଣୁ ଗଙ୍ଗାଜଳ ଉପହାର ଉଭୟ ଦେଶର ଧାର୍ମିକ ଆସ୍ଥା ଓ ସମାନ ପରମ୍ପରାର ପ୍ରତୀକ ବୋଲି ବିବେଚନା କରାଯାଉଛି।
ଅଯୋଧ୍ୟା-ଜନକପୁର ଟ୍ରେନ୍ ସେବାକୁ ସବୁଜ ସଙ୍କେତ
ବାଲେନ୍ଦ୍ର ଶାହଙ୍କ ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଦ୍ୱିପାକ୍ଷିକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଉଭୟ ନେତା ଡିଜିଟାଲ ମାଧ୍ୟମରେ ଉତ୍ତରପ୍ରଦେଶର ଅଯୋଧ୍ୟା ଓ ନେପାଳର ଜନକପୁର ମଧ୍ୟରେ ଟ୍ରେନ୍ ସେବାକୁ ସବୁଜ ସଙ୍କେତ ଦେଇଛନ୍ତି।
ରାମାୟଣ ଚିତ୍ରାବଳୀ, ବନାରସୀ ଉତ୍ତରୀୟ ଓ ଗଙ୍ଗାଜଳ ଭଳି ଉପହାର ସହ ଅଯୋଧ୍ୟା-ଜନକପୁର ଟ୍ରେନ୍ ସେବାର ଶୁଭାରମ୍ଭ ମଧ୍ୟ ଦୁଇ ଦେଶର ସମ୍ପର୍କକୁ ଆହୁରି ମଜଭୁତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ପଦକ୍ଷେପଗୁଡ଼ିକ ମାଧ୍ୟମରେ ଭାରତ ଓ ନେପାଳ ନିଜର ପୁରୁଣା ଧାର୍ମିକ, ସାଂସ୍କୃତିକ ଓ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ନୂଆ ମଜଭୁତି ଦେବାର ବାର୍ତ୍ତା ଦେଇଛନ୍ତି।
