ଭୁବନେଶ୍ୱର: ସମଗ୍ର ଓଡ଼ିଶାରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପାଳନ କରାଯାଉଛି। ଆଜି ପବିତ୍ର ଧର୍ମମାସ କାର୍ତ୍ତିକର ଶେଷ ଦିନ କାର୍ତ୍ତିକ ପୂର୍ଣ୍ଣିମା। ଆଜି ସକାଳୁ ଲୋକମାନେ ବିଭିନ୍ନ ଜଳାଶୟରେ ‘ବୋଇତ ବନ୍ଦାଣ’ ରୀତିନୀତି ପାଳନ କରିଛନ୍ତି।
ଆ କା ମା ବୈ, ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର’… କହି ଜଳାଶୟରେ ଡଙ୍ଗା ଭସାଉଛନ୍ତି ଶ୍ରଦ୍ଧାଳୁ।ସମୁଦ୍ର, ନଦୀ ଓ ପୋଖରୀ ସମେତ ବିଭିନ୍ନ ଜଳାଶୟରେ ଛୁଆ ଠାରୁ ବଡ଼ ପର୍ଯ୍ୟନ୍ତ ସଭିଏଁ ପାନ, ଗୁଆ, ଫୁଲ ଏବଂ ଦୀପ ସଜ୍ଜିତ ଡଙ୍ଗା ଭସାଉଥିବାର ଦେଖିବାକୁ ମିଳୁଛି।
ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ, ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ପୋଲିସ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଆମ ପୂର୍ବପୁରୁଷମାନେ ବାଣିଜ୍ୟ ଉଦ୍ଦେଶ୍ୟରେ ବୋଇତ ଯୋଗେ ଦୂର ଦେଶକୁ ଯାତ୍ରା କରୁଥିଲେ। ସେହି ସ୍ମୃତିରେ ‘ବୋଇତ ବନ୍ଦାଣ’ ପାଳନ କରାଯାଏ। ସେହି ଗୌରବମୟ ଐତିହ୍ୟକୁ ମନେ ରଖିବା ପାଇଁ କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଇଥାଏ।
ଏହି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
