Latest Odisha News

BREAKING NEWS

୨୦୫୦ ସୁଦ୍ଧା ଭାରତରେ ଦେଖାଦେବ ଉତ୍କଟ ଜଳ ସଙ୍କଟ: ବ୍ୟବସାୟ ଓ ଶିଳ୍ପ ଜଗତ ପ୍ରତି ବଢ଼ୁଛି ବିପଦ

ନୂଆଦିଲ୍ଲୀ: ୨୦୫୦ ମସିହା ସୁଦ୍ଧା ଭାରତରେ ଜଳର ଚାହିଦା ଏହାର ଉପଲବ୍ଧ ଜଳ ସମ୍ବଳଠାରୁ ୫୪ ବିଲିୟନ କ୍ୟୁବିକ୍ ମିଟର ଅଧିକ ହୋଇପାରେ ବୋଲି ‘କେୟାରଏଜ୍-ଇଏସଜି’ ରିପୋର୍ଟରେ ଚେତାବନୀ ଦିଆଯାଇଛି । ଏହାଦ୍ୱାରା ଦେଶର ଶିଳ୍ପ ଅଭିବୃଦ୍ଧି, ପୁଞ୍ଜିନିବେଶ ଏବଂ ବ୍ୟବସାୟିକ କାର୍ଯ୍ୟକଳାପ ଗୁରୁତର ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି ।

ରିପୋର୍ଟ ଅନୁଯାୟୀ, ୨୦୫୦ ସୁଦ୍ଧା ଦେଶର ଜଳ ଚାହିଦା ୧,୧୮୦ ବିସିଏମ୍‌ରେ ପହଞ୍ଚିବ, ଯେତେବେଳେ କି ବ୍ୟବହାରଯୋଗ୍ୟ ଜଳ ସମ୍ବଳ ମାତ୍ର ୧,୧୨୬ ବିସିଏମ୍ ରହିବ । ବିଶେଷକରି ତାପଜ ବିଦ୍ୟୁତ୍, ଖଣି, ରସାୟନ, ଔଷଧ, ବୟନଶିଳ୍ପ ଏବଂ ସେମିକଣ୍ଡକ୍ଟର ଭଳି ଜଳ-ନିର୍ଭରଶୀଳ ଶିଳ୍ପଗୁଡ଼ିକ ପାଇଁ ଏହା ବଡ଼ ସଙ୍କଟ ସୃଷ୍ଟି କରିବ । ଦେଶର ଅର୍ଥନୀତିରେ ଏହି କ୍ଷେତ୍ରଗୁଡ଼ିକର ପ୍ରାୟ ଅଧା ଯୋଗଦାନ ଥିବାବେଳେ ପ୍ରାୟ ୭୦ ପ୍ରତିଶତ ଶ୍ରମିକ ଏଥିରେ ନିୟୋଜିତ ଅଛନ୍ତି ।

ବିଶ୍ୱ ଜନସଂଖ୍ୟାର ୧୮ ପ୍ରତିଶତରୁ ଅଧିକ ଭାରତରେ ବାସ କରୁଥିବା ବେଳେ ବିଶ୍ୱର ମାତ୍ର ୪ ପ୍ରତିଶତ ନବୀକରଣଯୋଗ୍ୟ ଜଳ ସମ୍ବଳ ଏଠାରେ ରହିଛି । ଦେଶର ମୁଣ୍ଡପିଛା ଜଳ ଉପଲବ୍ଧତା ୨୦୦୧ରେ ୧,୮୧୬ କ୍ୟୁବିକ୍ ମିଟର ଥିବାବେଳେ ୨୦୨୧ରେ ଏହା ୧,୪୮୬ କ୍ୟୁବିକ୍ ମିଟରକୁ ଖସିଆସିଛି, ଯାହା ଜଳ-ସଙ୍କଟ ସ୍ତର (୧,୭୦୦ କ୍ୟୁବିକ୍ ମିଟର) ଠାରୁ ବହୁତ କମ୍ । ୨୦୪୧ ସୁଦ୍ଧା ଏହା ୧,୨୮୨ କ୍ୟୁବିକ୍ ମିଟରକୁ ହ୍ରାସ ପାଇବା ଆକଳନ କରାଯାଇଛି ।

ଭୂତଳ ଜଳ ସ୍ଥିତି ମଧ୍ୟ ଚିନ୍ତାଜନକ ରହିଛି । ଦେଶର ୬,୭୬୨ ଭୂତଳ ଜଳ ୟୁନିଟ୍ ମଧ୍ୟରୁ ୯୩୧ଟି (୧୩.୮%) ସଙ୍କଟାପନ୍ନ ଅବସ୍ଥାରେ ଅଛି । ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ ଓ ମୁମ୍ବାଇ ଭଳି ପ୍ରମୁଖ ବାଣିଜ୍ୟିକ ସହରରେ ଜଳ ଅଭାବ ଶିଳ୍ପ ସଂସ୍ଥାଗୁଡ଼ିକୁ ପ୍ରଭାବିତ କରୁଛି । ସହରାଞ୍ଚଳରେ ସୃଷ୍ଟି ହେଉଥିବା ବର୍ଜ୍ୟଜଳର ମାତ୍ର ୨୮ ପ୍ରତିଶତ ବିଶୋଧନ ହେଉଥିବାରୁ ଜଳ ପୁନଃବ୍ୟବହାର ଉପରେ ଗୁରୁତ୍ୱ ଦେବା ସହ ନୂତନ ଶିଳ୍ପ ପ୍ରତିଷ୍ଠା ପୂର୍ବରୁ ସ୍ଥାନୀୟ ଜଳ ଉପଲବ୍ଧତାକୁ ବିଚାରକୁ ନେବାକୁ ରିପୋର୍ଟରେ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.