Latest Odisha News

BREAKING NEWS

‘କଳିଙ୍ଗ ତରଙ୍ଗିଣୀ’ରେ ଜଳ ଯାତ୍ରା କରିବେ ରାଷ୍ଟ୍ରପତି, ସୁରକ୍ଷା ବ୍ୟବସ୍ଥା କଡାକଡି…

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଐତିହାସିକ ‘କଟକ ବାଲିଯାତ୍ରା-୨୦୨୬’ର ଉଦ୍‌ଘାଟନ କରିବେ। ଓଡ଼ିଶାର ସମୃଦ୍ଧ ସାମୁଦ୍ରିକ ଐତିହ୍ୟ ଓ ସାଂସ୍କୃତିକ ପରମ୍ପରାର ପ୍ରତୀକ ଏହି ବାର୍ଷିକ ଉତ୍ସବକୁ ଉଦ୍‌ଘାଟନ କରିବାରେ ସେ ହେବେ ଭାରତର ପ୍ରଥମ ରାଷ୍ଟ୍ରପତି।

ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ମହାନଦୀରେ ସ୍ୱତନ୍ତ୍ର ଜଳଯାତ୍ରାର ବ୍ୟବସ୍ଥା କରାଯାଇଛି। ଏହି ଅବସରରେ ‘କଳିଙ୍ଗ ତରଙ୍ଗିଣୀ’ରେ ଜଳ ଯାତ୍ରା କରିବେ ରାଷ୍ଟ୍ରପତି। ପ୍ରାୟ ୨୦୦ ମିଟର ଜଳପଥ ଅତିକ୍ରମ କରି ଗଡ଼ଗଡ଼ିଆ ଘାଟ ନିକଟସ୍ଥ ଅସ୍ଥାୟୀ ଘାଟରେ ପହଞ୍ଚିବେ। ସେଠାରୁ ବାଲିଯାତ୍ରା ପଡ଼ିଆକୁ ଯାଇ ଉତ୍ସବର ଉଦ୍‌ଘାଟନ କରିବେ।

ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ରାଷ୍ଟ୍ରପତି ମୁର୍ମୁ ଆଜି ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିବେ ଏବଂ ସେଠାରୁ ସିଧାସଳଖ କଟକ ଯିବେ। ସେ ପ୍ରଥମେ ‘କଟକ ଇନ୍ କଟକ’ ପ୍ରଦର୍ଶନୀର ଉଦ୍ଘାଟନ କରିବେ। ଯେଉଁଥିରେ ସହରର ସାଂସ୍କୃତିକ ଐତିହ୍ୟ ପ୍ରଦର୍ଶିତ ହେବ। ଏହା ପରେ ସେ ମୁଖ୍ୟ ମଞ୍ଚରୁ ଐତିହାସିକ ବାଲିଯାତ୍ରାର ଔପଚାରିକ ଉଦ୍ଘାଟନ କରିବେ। ଏହି ବାର୍ଷିକ ମୁକ୍ତ ବାଣିଜ୍ୟ ମେଳାର ଉଦ୍ଘାଟନ କରିବା ପରେ ସେ ରାତି ୮.୧୫ ପର୍ଯ୍ୟନ୍ତ କଟକରେ ରହିବାର କାର୍ଯ୍ୟକ୍ରମ ରହିଛି।

ତେବେ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା ଓ ପ୍ରାଚୀନ ସାଧବପୁଅଙ୍କ ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ ‘କଳିଙ୍ଗ ତରଙ୍ଗିଣୀ’ ବୋଟ୍‌କୁ ଆକର୍ଷଣୀୟ ଢଙ୍ଗରେ ସଜାଯାଇଛି। ରାଷ୍ଟ୍ରପତି ଏହି ବୋଟ୍‌ରେ ଯାତ୍ରା କରିବାକୁ ଥିବାରୁ ଏହାର ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଏହି ଜଳଯାତ୍ରା ସମୟରେ ରାଷ୍ଟ୍ରପତିଙ୍କ ସହ ତାଙ୍କ ଝିଅ, ଡାକ୍ତରୀ ଦଳ ଓ ସୁରକ୍ଷାକର୍ମୀଙ୍କୁ ମିଶାଇ ମୋଟ ୧୫ ଜଣ ରହିବେ ବୋଲି ଜଣାପଡିଛି।

ରାଷ୍ଟ୍ରପତିଙ୍କ ଜଳଯାନ ସହିତ ସାତୋଟି ସୁରକ୍ଷା ଡଙ୍ଗା ରହିବ। ଏହି ସୁରକ୍ଷା ବ୍ୟବସ୍ଥାରେ ଭାରତୀୟ ନୌସେନା, ଅଗ୍ନିଶମ ବିଭାଗ ଏବଂ ଓଡ଼ିଶା ବିପର୍ଯ୍ୟୟ ଦ୍ରୁତ କାର୍ଯ୍ୟାନୁଷ୍ଠାନ ବାହିନୀ (ODRAF) ର କର୍ମଚାରୀମାନେ ନିୟୋଜିତ ହେବେ।

ଅନ୍ୟପଟେ ରାଷ୍ଟ୍ରପତିଙ୍କ ଗସ୍ତ ଏବଂ ବାଲିଯାତ୍ରାରେ ଲକ୍ଷାଧିକ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି କମିସନରେଟ୍ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଉଭୟ ତଳ ଓ ଉପର ପଡ଼ିଆରେ AI କ୍ୟାମେରା ମଧ୍ୟ ଲଗାଯାଇଛି।

ଏହି ଉଦ୍ଘାଟନୀ ଉତ୍ସବରେ ଓଡ଼ିଶାର ରାଜ୍ୟପାଳ ବ୍ରଜ ମୋହନ ରାମ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ମଧ୍ୟ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.