କଟକ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଐତିହାସିକ ‘କଟକ ବାଲିଯାତ୍ରା-୨୦୨୬’ର ଉଦ୍ଘାଟନ କରିବେ। ଓଡ଼ିଶାର ସମୃଦ୍ଧ ସାମୁଦ୍ରିକ ଐତିହ୍ୟ ଓ ସାଂସ୍କୃତିକ ପରମ୍ପରାର ପ୍ରତୀକ ଏହି ବାର୍ଷିକ ଉତ୍ସବକୁ ଉଦ୍ଘାଟନ କରିବାରେ ସେ ହେବେ ଭାରତର ପ୍ରଥମ ରାଷ୍ଟ୍ରପତି।
ନଭେମ୍ବର ୨୪ ତାରିଖରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଆଠ ଦିନିଆ ଉତ୍ସବ, ମହାନଦୀ କୂଳର ଉପର ଓ ତଳ ବାଲିଯାତ୍ରା ପଡ଼ିଆର ପ୍ରାୟ ୬୦ ଏକର ଅଞ୍ଚଳରେ ଆୟୋଜିତ ହେବ।
ଏଠାରେ ୧,୮୦୦ରୁ ଅଧିକ ଷ୍ଟଲ୍ ଖୋଲିବାର ଯୋଜନା ରହିଛି। ଯେଉଁଠାରେ ହସ୍ତଶିଳ୍ପ, ହସ୍ତତନ୍ତ ସାମଗ୍ରୀ, ଘରକରଣା ଜିନିଷ, ପାରମ୍ପରିକ ଖାଦ୍ୟପେୟ ଏବଂ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ଉପଲବ୍ଧ ହେବ।
ଚଳିତ ବର୍ଷର ଉଦ୍ଘାଟନୀ କାର୍ଯ୍ୟକ୍ରମର ଅନ୍ୟତମ ମୁଖ୍ୟ ଆକର୍ଷଣ ହେବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମହାନଦୀରେ ହେବାକୁ ଥିବା ସ୍ୱତନ୍ତ୍ର ନୌଯାତ୍ରା।
ରାଷ୍ଟ୍ରପତି ‘ସିଲଭର୍ ସିଟି ବୋଟ୍ କ୍ଲବ୍’ରେ ପହଞ୍ଚି ସେଠାରୁ ନୌକା ଯୋଗେ ବାଲିଯାତ୍ରା ପଡ଼ିଆକୁ ଯିବେ। ତାଙ୍କ ଯାତ୍ରା ପାଇଁ ‘କଳିଙ୍ଗ ତରଙ୍ଗିଣୀ’ ନାମକ ଏକ ସ୍ୱତନ୍ତ୍ର ନୌକା ପ୍ରସ୍ତୁତ କରାଯାଉଛି।
