Latest Odisha News

BREAKING NEWS

Sheikh Hasina Bangladesh Return: ବିଜୟ ଦିବସରେ ବାଂଲାଦେଶ ଫେରିବେ ଶେଖ୍ ହସିନା! ପ୍ରଧାନମନ୍ତ୍ରୀଙ୍କ ଆଗରେ ରଖିଲେ କିଛି ଏପରି ଦାବି…

ନୂଆଦିଲ୍ଲୀ: ଦୁଇ ବର୍ଷରୁ ଅଧିକ ସମୟ ଧରି ଭାରତରେ ରହୁଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ନେଇ ଏବେ ଅନ୍ତର୍ଜାତୀୟ ରାଜନୀତିରେ ଚର୍ଚ୍ଚା ଜୋର୍ ଧରିଛି। ସେ ପୁଣି ବାଂଲାଦେଶ ଫେରିବାକୁ ଯୋଜନା କରିଛନ୍ତି। ଏଥିପାଇଁ ଡିସେମ୍ବର ୧୬ ତାରିଖକୁ ଧାର୍ଯ୍ୟ କରିଥିବା ନେଇ ଘୋଷଣା କରିଛନ୍ତି। ତେବେ ତାଙ୍କର ଏହି ପ୍ରତ୍ୟାବର୍ତ୍ତନ ଯୋଜନା ସହ ଏକ ବଡ଼ ଦାବି ମଧ୍ୟ ରଖିଛନ୍ତି। ଦିଲ୍ଲୀରୁ ଢାକା ଫେରିବା ପାଇଁ ବାଂଲାଦେଶର ଜାତୀୟ ବିମାନ ସେବା ସଂସ୍ଥା ‘ବିମାନ ବାଂଲାଦେଶ ଏୟାରଲାଇନ୍ସ’ର ବିମାନ ବ୍ୟବସ୍ଥା କରିବାକୁ ସେ ଦେଶର ବର୍ତ୍ତମାନର ପ୍ରଧାନମନ୍ତ୍ରୀ ତାରିକ୍ ରହମାନଙ୍କ ସରକାରଙ୍କୁ ଦାବି କରିଛନ୍ତି।

ଡିସେମ୍ବର ୧୬ ବାଂଲାଦେଶର ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ୧୯୭୧ ମସିହାରେ ପାକିସ୍ତାନଠାରୁ ମୁକ୍ତି ସଂଗ୍ରାମରେ ବିଜୟ ହାସଲ କରିଥିବା ସ୍ମୃତିରେ ଏହି ଦିନକୁ ‘ବିଜୟ ଦିବସ’ ଭାବେ ପାଳନ କରାଯାଏ। ଏହି ଐତିହାସିକ ଦିନରେ ହିଁ ଦେଶକୁ ଫେରିବାକୁ ଶେଖ୍ ହସିନା ଇଚ୍ଛା ପ୍ରକାଶ କରିଛନ୍ତି। ତାଙ୍କ ମୁଖପାତ୍ର ସୟଦ ମୋଜାମ୍ମେଲ ଅଲୀ ମଙ୍ଗଳବାର ଏନେଇ ସୂଚନା ଦେଇଛନ୍ତି।

ମୁଖପାତ୍ରଙ୍କ କହିବା ଅନୁସାରେ, ୫ ଅଗଷ୍ଟ ୨୦୨୪ରେ ଶେଖ୍ ହସିନାଙ୍କୁ ବାଂଲାଦେଶର ଏକ ବିମାନରେ ଭାରତ ଅଣାଯାଇଥିଲା। ତେଣୁ ଏବେ ତାଙ୍କୁ ସେହିଭଳି ଭାବେ ଦିଲ୍ଲୀରୁ ଢାକା ଫେରାଇ ନେବାର ବ୍ୟବସ୍ଥା ବାଂଲାଦେଶ ସରକାର କରନ୍ତୁ ବୋଲି ସେ ଦାବି କରିଛନ୍ତି। ହସିନାଙ୍କ ମତରେ, ତାଙ୍କୁ ଯେଉଁ ପରିସ୍ଥିତିରେ ଦେଶ ଛାଡ଼ିବାକୁ ପଡ଼ିଥିଲା, ସେଥିପାଇଁ ତାଙ୍କର ଫେରିବା ବ୍ୟବସ୍ଥା କରିବା ସରକାରଙ୍କ ଦାୟିତ୍ୱ।

ଶେଖ୍ ହସିନାଙ୍କ ଫେରିବା ଯୋଜନା ମଧ୍ୟରେ ତାଙ୍କର ପାସପୋର୍ଟ ଏବଂ ଜାତୀୟ ପରିଚୟପତ୍ର (NID)କୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି। ନଭେମ୍ବର ୯ ତାରିଖରେ ତାଙ୍କ ଆଇନଜୀବୀମାନେ ନୂଆ ପାସପୋର୍ଟ ଏବଂ NID ପ୍ରଦାନ ପାଇଁ ନୂଆଦିଲ୍ଲୀସ୍ଥିତ ବାଂଲାଦେଶ ହାଇକମିଶନଙ୍କୁ ଯୋଗାଯୋଗ କରିଥିଲେ। ପରେ ଏନେଇ ଅନୁସ୍ମାରକ ପତ୍ର ମଧ୍ୟ ପଠାଯାଇଥିଲା। ତେବେ ହସିନାଙ୍କୁ ଯାତ୍ରା ଦସ୍ତାବିଜ୍ ଦେବାର ଆଇନଗତ ଆଧାର ନେଇ ବାଂଲାଦେଶ ସରକାର ପ୍ରଶ୍ନ ଉଠାଇଛନ୍ତି। ଏପରିକି ତାଙ୍କ ଫେରିବା ପ୍ରକ୍ରିୟା ଭାରତ ଓ ବାଂଲାଦେଶ ମଧ୍ୟରେ ଥିବା ପ୍ରତ୍ୟର୍ପଣ ଚୁକ୍ତି ଅନୁସାରେ ହେବା ଉଚିତ ବୋଲି ଢାକା ପକ୍ଷରୁ କୁହାଯାଇଛି।

ଶେଖ୍ ହସିନାଙ୍କ ପ୍ରତ୍ୟାବର୍ତ୍ତନ ଯୋଜନାକୁ ନେଇ ସବୁଠାରୁ ବଡ଼ ଚିନ୍ତା ହେଉଛି ତାଙ୍କ ବିରୋଧରେ ଥିବା ଆଇନଗତ ମାମଲା। ୨୦୨୫ ନଭେମ୍ବରରେ ବାଂଲାଦେଶର ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ ତାଙ୍କୁ ଅନୁପସ୍ଥିତିରେ ମୃତ୍ୟୁଦଣ୍ଡ ଶୁଣାଇଥିଲେ। ୨୦୨୪ରେ ଛାତ୍ର ଆନ୍ଦୋଳନ ସମୟରେ ହୋଇଥିବା ହିଂସାତ୍ମକ ଦମନଲୀଳା ସହ ଜଡ଼ିତ ମାନବତା ବିରୋଧୀ ଅପରାଧ ମାମଲାରେ ଏହି ରାୟ ଆସିଥିଲା। ତେବେ ହସିନା ଏହି ଅଭିଯୋଗ ଓ ରାୟକୁ ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ ବୋଲି ଖଣ୍ଡନ କରିଛନ୍ତି।

ବାଂଲାଦେଶର ଜଣେ ମନ୍ତ୍ରୀ ରବିବାର କହିଥିଲେ ଯେ, ହସିନା ଦେଶକୁ ଫେରିଲେ ତାଙ୍କୁ ଗିରଫ କରାଯାଇ ଜେଲ୍‌କୁ ପଠାଯିବ। ଅନ୍ୟପଟେ ଭାରତ ସରକାରଙ୍କ ନିକଟରେ ହସିନାଙ୍କ ପ୍ରତ୍ୟର୍ପଣ ପାଇଁ ବାଂଲାଦେଶ ଔପଚାରିକ ଭାବେ ଅନୁରୋଧ କରିଛି। ଭାରତୀୟ କର୍ତ୍ତୃପକ୍ଷ ଏହି ଅନୁରୋଧକୁ ଆଇନଗତ ପ୍ରକ୍ରିୟା ଅନୁସାରେ ଯାଞ୍ଚ କରୁଥିବା ଜଣାପଡ଼ିଛି।

ହସିନାଙ୍କ ପ୍ରତ୍ୟାବର୍ତ୍ତନ ଘୋଷଣା ଏପରି ସମୟରେ ଆସିଛି, ଯେତେବେଳେ ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଏବଂ ହିଂସା ବଢ଼ିବାରେ ଲାଗିଛି। ତାଙ୍କ ଦଳ ଆୱାମୀ ଲିଗ୍‌ର କାର୍ଯ୍ୟକଳାପ ଉପରେ କଟକଣା ରହିଛି। ତଥାପି ହସିନାଙ୍କ ସମର୍ଥକମାନେ ତାଙ୍କ ଫେରିବା ଦାବିରେ ଆନ୍ଦୋଳନ କରୁଛନ୍ତି। ଅନ୍ୟପଟେ ଦେଶର ବିଭିନ୍ନ ଅଞ୍ଚଳରେ ବୋମା ବିସ୍ଫୋରଣ, ଅଗ୍ନିକାଣ୍ଡ ଏବଂ ରାଜନୈତିକ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଭଳି ଘଟଣା ସାମ୍ନାକୁ ଆସିଛି।

ଆୱାମୀ ଲିଗ୍ ନଭେମ୍ବର ୨୯ ଓ ୩୦ ତାରିଖରେ ୪୮ ଘଣ୍ଟିଆ ଦେଶବ୍ୟାପୀ ବନ୍ଦ ଡାକରା ଦେଇଛି। ଏହାକୁ ନେଇ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏପରି ସ୍ଥିତିରେ ଡିସେମ୍ବର ୧୬ରେ ହସିନାଙ୍କ ଫେରିବା ଘୋଷଣା ବାଂଲାଦେଶର ରାଜନୀତିକୁ ଆହୁରି ସରଗରମ କରିପାରେ।

ତେବେ ହସିନାଙ୍କ ଦିଲ୍ଲୀରୁ ଢାକା ଫେରିବା ପାଇଁ ଜାତୀୟ ବିମାନ ଯୋଗାଇଦେବା ଦାବି ଉପରେ ବାଂଲାଦେଶ ସରକାର ଏଯାଏଁ କୌଣସି ତତ୍କାଳୀନ ପ୍ରତିକ୍ରିୟା ଦେଇନାହାନ୍ତି। ତେଣୁ ୧୬ ଡିସେମ୍ବରରେ ହସିନା ସତରେ ବାଂଲାଦେଶ ଫେରିବେ କି, ନା ତାଙ୍କ ଦାବିକୁ ନେଇ ନୂଆ ରାଜନୈତିକ ବିବାଦ ସୃଷ୍ଟି ହେବ, ତାହା ଉପରେ ଏବେ ସମସ୍ତଙ୍କ ନଜର।

Leave A Reply

Your email address will not be published.