Latest Odisha News

BREAKING NEWS

ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତ ଖର୍ଚ୍ଚର ବିବରଣୀ ମାଗିଲା ବିଜେପି, ପଚାରିଲା ପାଞ୍ଚଟି ପ୍ରଶ୍ନ

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତ ଖର୍ଚ୍ଚକୁ ନେଇ ଓଡ଼ିଶା ରାଜନୀତିରେ ତୀବ୍ର ବିବାଦ ଦେଖାଦେଇଛି। ନବୀନ ପଟ୍ଟନାୟଙ୍କର ଇଟାଲୀ ଓ ଜାପାନ ଗସ୍ତର ଖର୍ଚ୍ଚ ବିବରଣୀ ସାର୍ବଜନୀନ କରିବାକୁ ଦାବି କରିଛି ବିଜେପି। ଏଥିସହ, କରଦାତାଙ୍କ ଅର୍ଥ କିପରି ଖର୍ଚ୍ଚ ହୋଇଛି, ସେ ନେଇ ଦଳ ପ୍ରଶ୍ନ ଉଠାଇଛି। ଅନ୍ୟପଟେ ବିଜେଡି ସଭାପତି ନିଜର ବିଦେଶ ଗସ୍ତ ସମ୍ବନ୍ଧୀୟ ଅଭିଯୋଗଗୁଡ଼ିକୁ “ମିଥ୍ୟା” ବୋଲି ଖଣ୍ଡନ କରିବା ଏବଂ ଉପଯୁକ୍ତ ସମୟରେ ଏହାର ଉଚିତ ଜବାବ ଦିଆଯିବ ବୋଲି କହିବାର ଗୋଟିଏ ଦିନ ପରେ ଏହି ଦାବି ଆସିଛି।

ସୋସିଆଲ ମିଡିଆ ପୋଷ୍ଟରେ ବିଜେପି କହିଛି ଯେ, ନବୀନ ପଟ୍ଟନାୟକଙ୍କ ସୀମିତ ବିଦେଶ ଯାତ୍ରାକୁ ନେଇ କୌଣସି ପ୍ରଶ୍ନ ନାହିଁ, କିନ୍ତୁ ଏହି ଯାତ୍ରାଗୁଡ଼ିକ ପାଇଁ ହୋଇଥିବା ଖର୍ଚ୍ଚ ସମ୍ପର୍କରେ ସ୍ପଷ୍ଟୀକରଣ ଦେବା ଆବଶ୍ୟକ। ଏହି ଗସ୍ତ ନେଇ ଶାସକ ବିଜେପି ନବୀନଙ୍କୁ ପାଞ୍ଚଟି ପ୍ରଶ୍ନ ପଚାରିଛି। ବିଜେପି କହିଛି, ନବୀନ ବାବୁ ଆପଣଙ୍କ ‘ସୀମିତ ବିଦେଶ ଗସ୍ତ’କୁ ନେଇ କେହି ପ୍ରଶ୍ନ କରିନାହାନ୍ତି। ପ୍ରଶ୍ନ ହେଉଛି, ଓଡ଼ିଶାବାସୀଙ୍କ ଟିକସ ଟଙ୍କା କିଭଳି ଖର୍ଚ୍ଚ ହୋଇଛି?

ଆପଣଙ୍କ କହିବା ଅନୁଯାୟୀ, ଆପଣ ‘ଓଡ଼ିଶାର ସ୍ୱାର୍ଥ’ ପାଇଁ ବିଦେଶ ଗସ୍ତ କରିଥିଲେ। ତେବେ ଦୟାକରି କିଛି ପ୍ରଶ୍ନର ଉତ୍ତର ଦିଅନ୍ତୁ।

  • ରୋମ୍‌ରେ ଆପଣ ଓଡ଼ିଶା ପାଇଁ ଏମିତି କେଉଁ କାର୍ଯ୍ୟ କରୁଥିଲେ, ଯାହା ‘ରାଜ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ’ ଥିଲା?
  • ଆପଣଙ୍କ ବିଦେଶ ଗସ୍ତ ସମ୍ପର୍କରେ କଣ ପାଇଁ ଭାରତୀୟ ଦୂତାବାସକୁ ସୂଚନା ଦିଆଯାଇନଥିଲା ?
  • ଓଟିଡିସି ଭଳି ସରକାରୀ ସଂସ୍ଥା ଥିବା ସତ୍ତ୍ୱେ ଘରୋଇ ସଂସ୍ଥାକୁ ନିୟୋଜିତ କରାଯାଇଥିଲା କାହିଁକି?
  • ବିଦେଶ ଗସ୍ତର ଖର୍ଚ୍ଚ ସମ୍ପର୍କିତ ସରକାରୀ ତଥ୍ୟ ଓ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ମଧ୍ୟରେ ତାଳମେଳ ରହୁନାହିଁ କାହିଁକି?
  • ରାଜକୋଷରୁ କାହା କାହାର ବିଦେଶ ଗସ୍ତ ଖର୍ଚ୍ଚ ବହନ କରାଯାଇଥିଲା?

ଆପଣ ‘ମିଥ୍ୟା ଅଭିଯୋଗ’ ଏବଂ ‘ଉପଯୁକ୍ତ ଜବାବ’ ବୋଲି କହି ରାଜ୍ୟବାସୀଙ୍କୁ ଭୁଆଁ ବନେଇବା ବନ୍ଦ କରି ବିଦେଶ ଗସ୍ତ ସମ୍ପର୍କିତ ସମସ୍ତ ବିଲ୍ ଓ ଦସ୍ତାବିଜ ସାର୍ବଜନୀନ କରୁନାହାନ୍ତି କଣ ପାଇଁ ?

ଅନ୍ୟପଟେ ସୂଚନା ଅଧିକାର (RTI) କର୍ମୀଙ୍କ ଅଭିଯୋଗ ଆଧାରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନଭେମ୍ବର ୨୧ ତାରିଖରେ ଏହି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୨-୨୩ ଏବଂ ୨୦୨୩-୨୪ ଆର୍ଥିକ ବର୍ଷରେ ନବୀନ ପଟ୍ଟନାୟକ, ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଭି.କେ. ପାଣ୍ଡିଆନ୍ ଏବଂ ଆଇପିଏସ୍ ଅଧିକାରୀ ରବିକାନ୍ତଙ୍କ ବିଦେଶ ଗସ୍ତ (ଇଟାଲୀ, ଦୁବାଇ, ଜାପାନ ଓ ସିଙ୍ଗାପୁର) ଖର୍ଚ୍ଚରେ ଅନିୟମିତତା ଓ ଅସ୍ପଷ୍ଟତା ଥିବା ଅଭିଯୋଗ ହୋଇଛି।

‘X’ ରେ ଏକ ପୋଷ୍ଟ ମାଧ୍ୟମରେ ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି, “ମୁଁ ବିଦେଶକୁ ଅତ୍ୟନ୍ତ ସୀମିତ ଯାତ୍ରା କରିଛି ଏବଂ ଏହା କେବଳ ଓଡ଼ିଶାର କାର୍ଯ୍ୟ ସମ୍ବନ୍ଧୀୟ ବିଷୟଗୁଡ଼ିକ ପାଇଁ କରାଯାଇଥିଲା, ଯାହା ମଧ୍ୟରୁ କିଛି ରାଜ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ମୁଁ ଜାଣିବାକୁ ପାଇଛି ଯେ ମୋର ଏବଂ ମୋ ଅଧିକାରୀମାନଙ୍କର ବିଦେଶ ଯାତ୍ରାକୁ ନେଇ କିଛି ମିଥ୍ୟା ଅଭିଯୋଗ କରାଯାଇଛି। ଏହାର ଉପଯୁକ୍ତ ଜବାବ ଦିଆଯିବ।”

 

Leave A Reply

Your email address will not be published.