ନୂଆଦିଲ୍ଲୀ: ଅଷ୍ଟମ କେନ୍ଦ୍ରୀୟ ବେତନ କମିଶନ (8th CPC) ଲାଗୁ ହେବା ପୂର୍ବରୁ ପେନସନଭୋଗୀଙ୍କ ସଂଘ ‘ଫୋରମ୍ ଅଫ୍ ସିଭିଲ୍ ପେନସନର୍ସ ଆସୋସିଏସନ୍ସ’ (FCPA) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ୧୧ ଦଫା ଦାବିପତ୍ର ପ୍ରଦାନ କରିଛି। ଏହି ଦାବିପତ୍ରରେ ୨୦୨୬ ଜାନୁଆରୀ ୧ ପୂର୍ବରୁ ଅବସର ନେଇଥିବା କର୍ମଚାରୀଙ୍କ ପାଇଁ ସମାନ ପେନସନ ସୁବିଧା ଏବଂ ଅତିକମରେ ୨୦% ଅନ୍ତରୀଣ ପେନସନ ବୃଦ୍ଧି କରିବାକୁ ମୁଖ୍ୟତଃ ଦାବି କରାଯାଇଛି।
କେନ୍ଦ୍ର ସରକାରୀ ବିଭାଗ ସମେତ ରେଳବାଇ, ପ୍ରତିରକ୍ଷା, BSNL, MTNL, ବ୍ୟାଙ୍କ ଏବଂ ସ୍ୱୟଂଶାସିତ ସଂସ୍ଥାର ଅବସରପ୍ରାପ୍ତ କର୍ମଚାରୀ ଓ ପରିବାର ପେନସନଭୋଗୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଏହି ଦାବି ଉପସ୍ଥାପନ କରାଯାଇଛି। ୨୦୨୬ ଜାନୁଆରୀ ୧ ପୂର୍ବରୁ ଏବଂ ପରେ ଅବସର ନେଇଥିବା ସମାନ ପଦବୀ ଓ କାର୍ଯ୍ୟକାଳ ବିଶିଷ୍ଟ କର୍ମଚାରୀଙ୍କ ମଧ୍ୟରେ କୌଣସି ପାତରଅନ୍ତର ନକରି ସମାନ ପେନସନ ସୁବିଧା (‘One Rank One Pension’) ଦେବାକୁ କମିଶନଙ୍କ ‘ଟର୍ମସ୍ ଅଫ୍ ରେଫରେନ୍ସ’ (ToR) ରେ ସଂଶୋଧନ କରିବାକୁ ଦାବି ହୋଇଛି।
ଅଷ୍ଟମ ବେତନ କମିଶନଙ୍କ ସୁପାରିଶ ଚୂଡ଼ାନ୍ତ ଭାବେ ଲାଗୁ ହେବା ପର୍ଯ୍ୟନ୍ତ ସମସ୍ତ ପେନସନଭୋଗୀ ଏବଂ ପରିବାର ପେନସନଭୋଗୀଙ୍କୁ ସେମାନଙ୍କ ବର୍ତ୍ତମାନର ପେନସନ ଉପରେ ଅତିକମରେ ୨୦% ଅନ୍ତରୀଣ ବୃଦ୍ଧି ପ୍ରଦାନ କରିବାକୁ କୁହାଯାଇଛି। ବେତନ କମିଶନ ଲାଗୁ ହେବା ପର୍ଯ୍ୟନ୍ତ ଅସ୍ଥାୟୀ ପଦକ୍ଷେପ ସ୍ୱରୂପ ମୂଳ ପେନସନ ସହିତ ୫୦% ମହଙ୍ଗା ଭତ୍ତା (DA) ଏବଂ ମହଙ୍ଗା ରିଲିଫ୍ (DR) ମିଶାଇବାକୁ ସଂଘ ଦାବି କରିଛି।
ଅର୍ଥ ଆଇନ ୨୦୨୫ (Finance Act, 2025) ମାଧ୍ୟମରେ ଅଣାଯାଇଥିବା ‘ଭ୍ୟାଲିଡେସନ୍ ଅଫ୍ ପେନସନ୍ ରୁଲ୍ସ ଆକ୍ଟ, ୨୦୨୫’ କୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି, କାରଣ ଏହା ପୁରୁଣା ପେନସନଭୋଗୀଙ୍କ ସମାନତା ଅଧିକାରକୁ କ୍ଷୁଣ୍ଣ କରୁଥିବା ସଂଘ ଅଭିଯୋଗ କରିଛି। ୨୦୦୪ ଜାନୁଆରୀ ୧ ପରେ ନିଯୁକ୍ତ କର୍ମଚାରୀଙ୍କ ପାଇଁ NPS ଏବଂ UPS ବନ୍ଦ କରି ପୁରୁଣା ପେନସନ ଯୋଜନା (OPS) ଲାଗୁ କରିବାକୁ କୁହାଯାଇଛି। ପେନସନ କମ୍ୟୁଟେସନ୍ ରାଶି ଫେରସ୍ତ ଅବଧିକୁ ବର୍ତ୍ତମାନର ୧୫ ବର୍ଷ ପରିବର୍ତ୍ତେ ୧୦ ବର୍ଷ ୮ ମାସକୁ ହ୍ରାସ କରିବାକୁ ପ୍ରସ୍ତାବ ଦିଆଯାଇଛି।
ଦେଶର ପ୍ରତ୍ୟେକ ଜିଲ୍ଲାରେ ଅତିକମରେ ଗୋଟିଏ CGHS ୱେଲନେସ୍ ସେଣ୍ଟର ଖୋଲିବା, ଅଧିକ ଘରୋଇ ହସ୍ପିଟାଲକୁ ତାଲିକାଭୁକ୍ତ କରିବା ଏବଂ ସ୍ଥିର ଚିକିତ୍ସା ଭତ୍ତା (Fixed Medical Allowance) କୁ ୫,୦୦୦ ଟଙ୍କାକୁ ବୃଦ୍ଧି କରିବାକୁ ଦାବି ହୋଇଛି। BSNL ଓ MTNL ପେନସନଭୋଗୀଙ୍କ ବକେୟା ପେନସନ ସଂଶୋଧନକୁ ୨୦୧୭ ଜାନୁଆରୀ ୧ ରୁ ଲାଗୁ କରିବା ଏବଂ RBI ଢାଞ୍ଚାରେ ବ୍ୟାଙ୍କ କର୍ମଚାରୀଙ୍କ ପେନସନ ଅପଡେଟ୍ କରିବାକୁ ଦାବିପତ୍ରରେ ଉଲ୍ଲେଖ ରହିଛି।
