ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଚିପ୍ ନିର୍ମାତା ଦିଗ୍ଗଜ ଏନଭିଡିଆର ସିଇଓ ଜେନ୍ସନ୍ ହୁଆଙ୍ଗ ଏବଂ ତାଙ୍କ ପତ୍ନୀ ଲୋରି ହୁଆଙ୍ଗଙ୍କ ଦ୍ୱାରା ପରିଚାଳିତ ଚାରିଟେବୁଲ୍ ଫାଉଣ୍ଡେସନ୍ ପାଇଁ ଆଜିର ଦିନ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହୋଇଛି। କମ୍ପାନିର ସେୟାର ମୂଲ୍ୟରେ ହଠାତ୍ ଆଶାଜନକ ବୃଦ୍ଧି ଘଟିବାରୁ ଏହି ଫାଉଣ୍ଡେସନ୍ ମାତ୍ର ୨୪ ଘଣ୍ଟା ଭିତରେ ୨.୩ ବିଲିୟନ ଡଲାରରୁ ଅଧିକ ଆର୍ଥିକ ଲାଭ ହାସଲ କରିଛି।
ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏହି ଫାଉଣ୍ଡେସନ୍ ପାଖରେ ଏନଭିଡିଆର ପ୍ରାୟ ୫୯ ନିୟୁତ ସେୟାର ରହିଛି। ବଜାରରେ କମ୍ପାନିର ସେୟାର ମୂଲ୍ୟ ୩୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇ ୧୬୫.୦୫ ଡଲାରରେ ପହଞ୍ଚିବା ପରେ, ଫାଉଣ୍ଡେସନର ମୋଟ ସେୟାର ମୂଲ୍ୟ ବଢ଼ି ବଢ଼ି ୯.୭ ବିଲିୟନ ଡଲାରରେ ପହଞ୍ଚିଛି।
୨୦୦୭ ମସିହାରେ ପ୍ରତିଷ୍ଠିତ ଏହି ଫାଉଣ୍ଡେସନ୍ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଟେକ୍ନୋଲୋଜି କ୍ଷେତ୍ରରେ ବଡ଼ଧରଣର ସହାୟତା ପ୍ରଦାନ କରିଆସୁଛି। ଏହାପୂର୍ବରୁ ଏହି ଫାଉଣ୍ଡେସନ୍ ଭାଣ୍ଡରବିଲ୍ଟ ବିଶ୍ୱବିଦ୍ୟାଳୟକୁ ୭୫ ନିୟୁତ ଡଲାର ଏବଂ ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ କମ୍ପ୍ୟୁଟ୍ ଭଡ଼ା (ଗବେଷଣା କ୍ଷେତ୍ରରେ ସୁପର କମ୍ପ୍ୟୁଟର ଭଡ଼ା)
ବାବଦକୁ ୩୫୦ ନିୟୁତ ଡଲାର ପ୍ରଦାନ କରି ଚର୍ଚ୍ଚାକୁ ଆସିଥିଲା । ଲୋରି ହୁଆଙ୍ଗ ଏହି ଫାଉଣ୍ଡେସନର ସଭାପତି ଭାବେ ଦାୟିତ୍ୱ ତୁଲାଉଥିବାବେଳେ ଜେନ୍ସନ୍ ହୁଆଙ୍ଗ ସଚିବ ଏବଂ ମୁଖ୍ୟ ଆର୍ଥିକ ଅଧିକାରୀ (CFO) ଭାବେ କାର୍ଯ୍ୟ କରୁଛନ୍ତି। ବୈଷୟିକ ଜଗତରେ ଏନଭିଡିଆର ଏହି ଅଦ୍ଭୁତପୂର୍ବ ସଫଳତା ସମଗ୍ର ବିଶ୍ୱରେ ଏବେ ଏକ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି।
