Latest Odisha News

BREAKING NEWS

Ramayana: ବକ୍ସ ଅଫିସରେ ‘ରାମାୟଣ’ର ରାଜୁତି, ୨୩ ଦିନରେ ୧୦୦୦ କୋଟି କ୍ଲବ୍‌ରେ ଏଣ୍ଟ୍ରି…ଭାଙ୍ଗିଲା ବଡ଼ ରେକର୍ଡ!

ମୁମ୍ବାଇ: ବକ୍ସ ଅଫିସରେ ଥମିବାର ନାଁ ନେଉନି ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ‘ରାମାୟଣ: ପାର୍ଟ-୧’ର ଜଲୱା। ରିଲିଜ୍‌କୁ ୨୩ ଦିନ ବିତିଥିଲେ ମଧ୍ୟ ଦର୍ଶକଙ୍କ ମଧ୍ୟରେ ଫିଲ୍ମର କ୍ରେଜ୍ କମିନାହିଁ। ଏପରିକି ବକ୍ସ ଅଫିସରେ ନୂଆ ଫିଲ୍ମ ରିଲିଜ୍ ହେବା ସତ୍ତ୍ୱେ ‘ରାମାୟଣ’ର ଆୟ ଉପରେ ଏହାର ବିଶେଷ ପ୍ରଭାବ ପଡ଼ିନାହିଁ। ଏବେ ଭାରତୀୟ ସିନେମା ଜଗତରେ ଆଉ ଏକ ବଡ଼ ରେକର୍ଡ ନିଜ ନାଁରେ କରିଛି ଏହି ଫିଲ୍ମ।

ସାକନିଲ୍କର ରିପୋର୍ଟ ଅନୁସାରେ, ରିଲିଜ୍‌ର ୨୩ତମ ଦିନରେ ‘ରାମାୟଣ’ ଭାରତରେ ୮.୪୫ କୋଟି ଟଙ୍କା ନେଟ୍ କଲେକ୍ସନ କରିଛି। ଏହା ସହ ଫିଲ୍ମର ମୋଟ୍ ଭାରତୀୟ ନେଟ୍ କଲେକ୍ସନ ୧,୦୦୦.୫୫ କୋଟି ଟଙ୍କାରେ ପହଞ୍ଚିଛି। ଭାରତରେ ଏହାର ଗ୍ରସ୍ କଲେକ୍ସନ ୧,୧୯୫.୧୦ କୋଟି ଟଙ୍କା ରହିଥିବା ବେଳେ ବିଶ୍ୱବ୍ୟାପୀ ଗ୍ରସ୍ ଆୟ ୧,୭୯୦.୧୦ କୋଟି ଟଙ୍କା ଛୁଇଁଛି।

ଏହି ସଫଳତା ସହ ଭାରତରେ ୧,୦୦୦ କୋଟି ଟଙ୍କାରୁ ଅଧିକ ନେଟ୍ ଆୟ କରିଥିବା ଦ୍ୱିତୀୟ ବଲିଉଡ୍ ଫିଲ୍ମ ହୋଇଛି ‘ରାମାୟଣ’। ଏହା ପୂର୍ବରୁ ‘ଧୁରନ୍ଧର-୨: ଦ ରିଭେଞ୍ଜ’ ଏହି ଐତିହାସିକ ରେକର୍ଡ କରିଥିଲା। ତେବେ ‘ଧୁରନ୍ଧର-୨’ ମାତ୍ର ୧୮ ଦିନରେ ୧,୦୦୦ କୋଟି ନେଟ୍ ଆୟର ମାଇଲଖୁଣ୍ଟ ଛୁଇଁଥିବା ବେଳେ ‘ରାମାୟଣ’କୁ ଏଥିପାଇଁ ୨୩ ଦିନ ସମୟ ଲାଗିଛି। ତେବେ ‘ରାମାୟଣ’ କେବଳ ୧,୦୦୦ କୋଟି କ୍ଲବ୍‌ରେ ସାମିଲ ହୋଇନାହିଁ, ବରଂ ଆଉ ଏକ ଐତିହାସିକ ରେକର୍ଡ ମଧ୍ୟ କରିଛି। ଭାରତରେ ୧,୦୦୦ କୋଟି ଟଙ୍କା ନେଟ୍ କଲେକ୍ସନ କରିବାରେ ଏହା ପ୍ରଥମ ନନ୍-ସିକ୍ୱେଲ୍ (ପୂର୍ବ ଭାଗର ସିକ୍ୱେଲ୍ ନଥିବା) ଫିଲ୍ମ ହୋଇଛି। ଏହା ପୂର୍ବରୁ ଏହି ମାଇଲଖୁଣ୍ଟ ଛୁଇଁଥିବା ‘ଧୁରନ୍ଧର-୨: ଦ ରିଭେଞ୍ଜ’ ଏକ ସିକ୍ୱେଲ୍ ଫିଲ୍ମ ଥିଲା। ତେଣୁ ରଣବୀର କପୁରଙ୍କ ‘ରାମାୟଣ’ର ଏହି ସଫଳତାକୁ ଭାରତୀୟ ବକ୍ସ ଅଫିସ୍ ଇତିହାସରେ ଏକ ବଡ଼ ଉପଲବ୍ଧି ବୋଲି କୁହାଯାଉଛି।

ଅନ୍ୟପକ୍ଷରେ, ଭାରତରେ ୧,୦୦୦ କୋଟିରୁ ଅଧିକ ଗ୍ରସ୍ କଲେକ୍ସନ କରିଥିବା ଫିଲ୍ମ ତାଲିକାରେ ‘ବାହୁବଳୀ-୨: ଦ କନକ୍ଲୁଜନ୍’, ‘ପୁଷ୍ପା-୨: ଦ ରୁଲ୍’, ‘ଧୁରନ୍ଧର-୨’, ‘ରାମାୟଣ: ପାର୍ଟ-୧’, ‘ଧୁରନ୍ଧର’ ଏବଂ ‘କେଜିଏଫ୍: ଚାପ୍ଟର-୨’ ରହିଛି।

ଫିଲ୍ମର ବଜେଟ୍ ପ୍ରାୟ ୨,୦୦୦ କୋଟି ଟଙ୍କା ବୋଲି ଚର୍ଚ୍ଚା ହେଉଥିବା ବେଳେ ଏହାର ଆୟ ଏବେ ମଧ୍ୟ ସେହି ଅଙ୍କଠାରୁ ଦୂରରେ ରହିଛି। ତଥାପି ଦୀର୍ଘ ସମୟ ଧରି ବକ୍ସ ଅଫିସରେ ନିଜର ଦବଦବା ବଜାୟ ରଖିବା ଫିଲ୍ମ ପାଇଁ ବଡ଼ ସଫଳତା। ଆଗକୁ ଏହାର ଆୟ କେଉଁଠି ପହଞ୍ଚିବ, ତାହା ଉପରେ ଏବେ ସିନେପ୍ରେମୀଙ୍କ ନଜର।

Leave A Reply

Your email address will not be published.