Latest Odisha News

BREAKING NEWS

ଖଦି ଫ୍ୟାଶନ ଶୋ’ରେ ପରମ୍ପରା ଓ ଆଧୁନିକତାର ଫ୍ୟୁଜନ୍‌, ଗଂଜାମର କନ୍ଥା ଓ ଜାପାନର ବୋରୋ ବସ୍ତ୍ରଶିଳ୍ପର ଅପୂର୍ବ ମିଳନ

ଭୁବନେଶ୍ୱର: ଖୁବ୍ ଜମୁଛି ଖଦି ଓ ଏମଏସଏମଇ ଏକ୍ସପୋ-୨୦୨୬ । ଖଦିର ପରିଚିତ ଛବିକୁ ୂଆ ରୂପ ଓ ଢଙ୍ଗରେ ଉପସ୍ଥାପନ କରିଛି ଫ୍ୟାଶନ ଶୋ । ପରମ୍ପରା , କଳା, କାରିଗରୀ ଓ ସୃଜନଶୀଳତାର ମନୋରବ ଉତ୍ସବର ସାକ୍ଷୀ ପାଲଟିଥିଲା ଇଡକୋ ପ୍ରଦର୍ଶନୀ ପଡିଆ । ଚାରୋଟି ସ୍ୱତନ୍ତ୍ର ସିକ୍ୱେନ୍ସରେ ସଜ୍ଜିତ ଏହି ଶୋର ପ୍ରତ୍ୟେକ ପର‌୍ୟ୍ୟାୟରେ ଖଦିର ଭିନ୍ନ ଭିନ୍ନ ରୂପ, ରଙ୍ଗ, ବୁଣା ଓ ଡିଜାଇନ୍ର ନୂତନତ୍ୱ ଦେଖିବାକୁ ମିଳିଥିଲା । ସୋଲ୍ ବାଏ ଇଣ୍ଡିଆନ୍ ପକ୍ଷରୁ ଡିଜାଇନର୍ ଦେବସ୍ମିତା ଗିରିଙ୍କ ସୃଜନଶୀଳ ଡିଜାଇନ୍ ରାମ୍ପ୍ରେ ଏକ ନୂଆ ଆକର୍ଷଣ ସୃଷ୍ଟି କରିଥିଲା । ଗଲାଙ୍ଗ ଗବାନ୍ ପକ୍ଷରୁ ଲିପ୍ସା ହେମ୍ବ୍ରମ୍ଙ୍କ ଡିଜାଇନ୍ରେ ଖଦିର ସ୍ୱତନ୍ତ୍ରତା ଓ କଳାତ୍ମକତାର ଝଲକ ଦେଖିବାକୁ ମିଳିଥିଲା । ସେହିପରି ଓରିଭା ପକ୍ଷରୁ ରୋମି ଦାସଙ୍କ ଡିଜାଇନ୍ ଖଦିକୁ ଆଧୁନିକ ଫ୍ୟାଶନ୍ର ଏକ ଆକର୍ଷଣୀୟ ମାଧ୍ୟମ ଭାବେ ଉପସ୍ଥାପିତ କରିଥିଲା । ପ୍ରତ୍ୟେକ ସିକ୍ୱେନ୍ସରେ ଡିଜାଇନର୍ମାନଙ୍କ କଳ୍ପନା ଓ ମଡେଲ୍ମାନଙ୍କ ଆତ୍ମବିଶ୍ୱାସ ରାମ୍ପ୍ର ଆକର୍ଷଣକୁ ଆହୁରି ବଢ଼ାଇଥିଲା ।

ସବୁଠାରୁ ନିଆରା ଓ ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା ଅନ୍ତିମ ସେମେଂଟ । ଗଞ୍ଜାମର ପାରମ୍ପରିକ କନ୍ଥା ଓ ଜାପାନର ବୋରୋ ପରମ୍ପରାର ଅପୂର୍ବ ସମନ୍ୱୟକୁ ପୋଷାକ ମାଧ୍ୟମରେ ଜୀବନ୍ତ ରୂପ ଦିଆଯାଇଥିଲା । ଦୁଇ ଭିନ୍ନ ଦେଶର ବସ୍ତ୍ର ଶିଳ୍ପ ପରମ୍ପରା ଯେତେବେଳେ ଗୋଟିଏ ମଞ୍ଚରେ ମିଳିତ ହୋଇଥିଲା, ସେତେବେଳେ ତାହା କେବଳ ଫ୍ୟାଶନ୍ ନୁହେଁ, ବରଂ ସଂସ୍କୃତିର ଅନନ୍ୟ ମାଧୁର‌୍ୟ୍ୟ ପ୍ରସ୍ଫୁଟିତ ହୋଇଥିଲା । ଡିଜାଇନର୍ ପଙ୍କଜା ସେଠୀ ଏହାର ଡିଜାଇନ୍ କରିଥିବା ବେଳେ ମଡେଲ ଡକ୍ଟର ଭୂମିକା ଦାସ ମୁଖ୍ୟ ଆକର୍ଷଣ ସାଜିଥିଲେ । ଗଞ୍ଜାମର କନ୍ଥା ଏବଂ ଜାପାନର ବୋରୋ ଉଭୟ ଗ୍ରାମୀଣ ଆବଶ୍ୟକତାରୁ ସୃଷ୍ଟି ହୋଇଥିବା ପାରମ୍ପରିକ ଶୂନ୍ୟ-ଅପଚୟ ବସ୍ତ୍ରଶିଳ୍ପ, ଯେଉଁଠାରେ ପୁରୁଣା ଓ ଚିରା ପୋଷାକଗୁଡ଼ିକୁ ପରସ୍ତ ପରସ୍ତ କରି ହାତରେ ସିଲେଇ କରି ବ୍ୟବହାର କରାଯାଏ । ଏହି ଫ୍ୟାସନ କମ୍ ଫ୍ୟୁଜନ ଶୋରେ ସୋ ଷ୍ଟପର ସାଜିଥିଲେ ଓଲିଉଡ ଅଭିନେତ୍ରୀ ଭୂମିକା । ପୁରୁଣାକୁ ନୂଆ ରୂପ ଦେବାର ଏହି କଳାତ୍ମକ ପ୍ରୟାସ ଖଦି ଓ ପାରମ୍ପରିକ ବସ୍ତ୍ରର ଅସୀମ ସମ୍ଭାବନାକୁ ପ୍ରତିପାଦିତ କରିଥିଲା । ବୁଣାକାର ଓ କାରିଗରଙ୍କ ହାତର ଯାଦୁକୁ ନୂଆ ମଞ୍ଚ ଦେବା ସହ ଖଦିକୁ ଯୁବପିଢ଼ି ଓ ନୂଆ ବଜାର ସହ ଯୋଡ଼ିବାର ଏକ ସୁନ୍ଦର ପ୍ରୟାସ ଥିଲା ବୋଲି ଡିଜାଇନରମାନେ ମତ ପ୍ରକାଶ କରିଥିଲେ । ନଭେମ୍ବର ୨୫ରୁ ଆରମ୍ଭ ହୋଇଥିବା ଏହି ଏକ୍ସପୋ ୨୯ ନଭେମ୍ବର ଯାଏ ଚାଲିବ ।

 

Leave A Reply

Your email address will not be published.