ଆମାଜନ ଅରଣ୍ୟରେ ମକାଉ ସମେତ ବିଭିନ୍ନ ପ୍ରଜାତିର ରଙ୍ଗୀନ ଶୁଆମାନେ ନଦୀ କୂଳର ଚିକ୍କଣ ମାଟି ଖାଉଥିବାର ଦୃଶ୍ୟ ଦେଖିବାକୁ ମିଳେ । ଶୁଆ ଓ ଅନ୍ୟ ବନ୍ୟପ୍ରାଣୀମାନେ ମାଟି ଖାଉଥିବା ଏହି ବିଶେଷ ସ୍ଥାନଗୁଡ଼ିକୁ କ୍ଲେ ଲିକ କୁହାଯାଏ । ବୈଜ୍ଞାନିକମାନଙ୍କ ମତରେ ଶୁଆମାନେ ଖାଉଥିବା କଞ୍ଚା କିମ୍ବା ପାଚିଲା ଫଳ ଓ ମଞ୍ଜିରେ ଥିବା ବିଷାକ୍ତ ରସାୟନକୁ ନିଷ୍କ୍ରିୟ କରିବା ଏବଂ ପାଚନ ତନ୍ତ୍ରକୁ ସୁରକ୍ଷିତ ରଖିବା ଏହାର ମୁଖ୍ୟ କାରଣ । ଆମାଜନ୍ ଜଙ୍ଗଲର ଅନେକ ବଣୁଆ ଫଳ ଓ ମଞ୍ଜି ନିଜକୁ ସୁରକ୍ଷିତ ରଖିବା ପାଇଁ ଆଲକାଲଏଡ୍ ଏବଂ ଟାନିନ୍ ଭଳି ବିଷାକ୍ତ ପଦାର୍ଥ ସୃଷ୍ଟି କରନ୍ତି । ଚିକ୍କଣ ମାଟିର ସୂକ୍ଷ୍ମ କଣିକା ଏହି ବିଷାକ୍ତ ତତ୍ତ୍ୱଗୁଡ଼ିକୁ ନିଜ ସହ ବାନ୍ଧି ରଖେ, ଫଳରେ ସେଗୁଡ଼ିକ ରକ୍ତରେ ନ ମିଶି ମଳ ବାଟେ ଶରୀରରୁ ବାହାରି ଯାଆନ୍ତି । ମାଟି ପାକସ୍ଥଳୀର ଭିତର ସ୍ତରରେ ଏକ ସୁରକ୍ଷା ଆବରଣ ସୃଷ୍ଟି କରେ ।
ଏହା ଦ୍ୱାରା ପାଚନ ତନ୍ତ୍ରରେ ଜ୍ୱଳନ କମ୍ ହୁଏ ଏବଂ କଠିନ ମଞ୍ଜି ବା ଅମ୍ଳଯୁକ୍ତ ଫଳ ଖାଇବା ଯୋଗୁଁ ହେଉଥିବା ଅସୁବିଧାରୁ ରକ୍ଷା ମିଳେ । ବଣୁଆ ଫଳରେ ସାଧାରଣତଃ ସୋଡ଼ିୟମ୍ ଏବଂ ଅନ୍ୟ ଆବଶ୍ୟକୀୟ ଖଣିଜ ଲବଣର ଅଭାବ ଦେଖାଯାଏ । ନଦୀ କୂଳର ନିର୍ଦ୍ଦିଷ୍ଟ ମାଟି ସ୍ତରରେ ମିଳୁଥିବା ସୋଡ଼ିୟମ୍ ଓ ଖଣିଜ ପଦାର୍ଥ ଶୁଆଙ୍କ ପୋଷଣ ଆବଶ୍ୟକତା ପୂରଣ କରିବାରେ ସହାୟକ ହୁଏ । ଏକାଠି ବହୁ ସଂଖ୍ୟାରେ ଶୁଆ ବସିବା ଦ୍ୱାରା ଶିକାରୀ ପକ୍ଷୀ ବା ପ୍ରାଣୀଙ୍କ ଉପରେ ନଜର ରଖିବା ସହଜ ହୁଏ ଏବଂ ଖାଦ୍ୟ ଖାଇବା ସମୟରେ ସୁରକ୍ଷା ମିଳେ । ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ ଶୁଆମାନେ ଯେକୌଣସି ମାଟି ଖାଆନ୍ତି ନାହିଁ; ବରଂ ନଦୀ କୂଳର ନିର୍ଦ୍ଦିଷ୍ଟ ଗଭୀରତା ଓ ଗଠନ ଥିବା ସୂକ୍ଷ୍ମ ଚିକ୍କଣ ମାଟିକୁ ହିଁ ବାଛନ୍ତି । ଋତୁ ପରିବର୍ତ୍ତନ, ଫଳର ପ୍ରକାର ଏବଂ ଖାଦ୍ୟରେ ଥିବା ବିଷାକ୍ତ ତତ୍ତ୍ୱର ମାତ୍ରା ଅନୁସାରେ ଶୁଆଙ୍କ ମାଟି ଖାଇବା ଅଭ୍ୟାସ ମଧ୍ୟ ବଦଳିଥାଏ ।
