Rahul, Kharge meet Stalin: ଲାଷ୍ଟ୍ ମୋମେଣ୍ଟରେ ବଦଳିଯିବ କି ସଂସଦର ଖେଳ? ଚେନ୍ନାଇରେ ସୋନିଆ-ରାହୁଲଙ୍କ ହାଇଭୋଲଟେଜ୍ ମାନଭଞ୍ଜନ…
ନୂଆଦିଲ୍ଲୀ: ସଂସଦରେ ପରିସୀମନ ବିଲ୍କୁ ନେଇ ଏବେ ଜୋରଦାର ରାଜନୈତିକ ଛକାପଞ୍ଝା। ଏହି ପ୍ରସଙ୍ଗରେ INDIA ମେଣ୍ଟ ଭିତରେ ଫାଟ ସୃଷ୍ଟି ହୋଇଥିବା ବେଳେ ଡିଏମ୍କେ ମୁଖ୍ୟ ଏମ୍କେ ଷ୍ଟାଲିନଙ୍କୁ ମନାଇବା ପାଇଁ ଚେନ୍ନାଇରେ ପହଞ୍ଚିଛନ୍ତି ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହାସହିତ ଅନ୍ୟ ବିରୋଧୀ ନେତା ମଧ୍ୟ ଏହି ଆଲୋଚନାରେ ସାମିଲ ହୋଇଛନ୍ତି।
ନଭେମ୍ବର ୩୦ରେ ଲୋକସଭାରେ ସଂଶୋଧିତ ସମ୍ବିଧାନ ଓ ପରିସୀମନ ସମ୍ପର୍କିତ ବିଲ୍ ଆଣିବାକୁ ଯୋଜନା କରିଛି କେନ୍ଦ୍ର। ପ୍ରସ୍ତାବ ଅନୁସାରେ ଲୋକସଭା ଆସନ ସଂଖ୍ୟା ସର୍ବାଧିକ ୮୫୦କୁ ବୃଦ୍ଧି ପାଇବ। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଲୋକସଭା ଏବଂ ବିଧାନସଭା ଆସନ ୫୦ ପ୍ରତିଶତ ବଢ଼ାଇବା ପ୍ରସ୍ତାବ ରହିଛି। ୨୦୫୧ ପର୍ଯ୍ୟନ୍ତ ରାଜ୍ୟଗୁଡ଼ିକ ମଧ୍ୟରେ ଲୋକସଭା ଆସନର ଅନୁପାତ ସୁରକ୍ଷିତ ରଖିବା ସହ ୨୦୧୧ ଜନଗଣନାକୁ ଆଧାର କରି ପରିସୀମନ କରିବା କଥା କୁହାଯାଇଛି। ଡିସେମ୍ବର ୨ରେ ରାଜ୍ୟସଭାରେ ବିଲ୍ ଆସିପାରେ।
ଡିଏମ୍କେ ସଂଶୋଧିତ ପ୍ରସ୍ତାବକୁ ସମର୍ଥନ କରିବାକୁ ସଙ୍କେତ ଦେଇଛି। ତାମିଲନାଡୁର ଆସନ ୩୯ରୁ ୫୧କୁ ବଢ଼ିବା ସହ ୨୦୫୧ ପର୍ଯ୍ୟନ୍ତ ରାଜ୍ୟଗୁଡ଼ିକର ପ୍ରତିନିଧିତ୍ୱ ଅନୁପାତ ସୁରକ୍ଷିତ ରହିବା ଦାବିକୁ ଗ୍ରହଣ କରାଯାଇଥିବା ଦଳ କହିଛି। ଏହି କାରଣରୁ ଡିଏମ୍କେ ସମର୍ଥନ ଘୋଷଣା କରିଛି। ଅନ୍ୟପଟେ ରାହୁଲ ଗାନ୍ଧୀଙ୍କ ଅଭିଯୋଗ, ୮୫୦ ଆସନର ପ୍ରସ୍ତାବ ଗଣତନ୍ତ୍ରକୁ ଦୁର୍ବଳ କରିବ ଏବଂ ବିଜେପି-ଆରଏସଏସକୁ ନିର୍ବାଚନୀ ମାନଚିତ୍ର ବଦଳାଇବାର ସୁଯୋଗ ଦେବ।
ସମ୍ବିଧାନ ସଂଶୋଧନ ବିଲ୍ ପାସ୍ ପାଇଁ ଦୁଇ-ତୃତୀୟାଂଶ ସମର୍ଥନ ଆବଶ୍ୟକ। ୫୪୦ ଜଣ ସାଂସଦ ଭୋଟ୍ ଦେଲେ ୩୬୦ ଭୋଟ୍ ଦରକାର। ରିପୋର୍ଟ ଅନୁସାରେ NDA ପାଖରେ ୩୨୦ ଭୋଟ୍ ଥିବା ବେଳେ ଡିଏମ୍କେର ୨୨, NCP (SP)ର ୮ ଏବଂ YSRCPର ୪ ସାଂସଦଙ୍କ ସମର୍ଥନ ମିଶି ମୋଟ ୩୫୪ ହେଉଛି। ଅର୍ଥାତ୍ ବିଲ୍ ପାସ୍ ପାଇଁ ଆଉ ୬ ଭୋଟ୍ ଆବଶ୍ୟକ। ଯଦି ଡିଏମ୍କେ ବିଲ୍କୁ ବିରୋଧ କରେ, ତେବେ ସମର୍ଥନ ୩୩୨କୁ ଖସିବ ଏବଂ ସରକାର ୨୮ ଭୋଟ୍ ପଛରେ ରହିବ। ଏହି ସମୀକରଣ ହିଁ ଷ୍ଟାଲିନଙ୍କ ନିଷ୍ପତ୍ତିକୁ ଗୁରୁତ୍ୱପୂର୍ଣ୍ଣ କରିଛି।
ତେବେ କଂଗ୍ରେସର ମାନଭଞ୍ଜନ ଉଦ୍ୟମ ପୂର୍ବରୁ ହିଁ ଏମ୍କେ ଷ୍ଟାଲିନ୍ Xରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଦେଇଥିଲେ। ସେ ନିଷ୍ପତ୍ତି ବଦଳାଇବେ ନାହିଁ ବୋଲି ସଙ୍କେତ ଦେଇଥିବାରୁ, ଚେନ୍ନାଇରେ ସୋନିଆ, ରାହୁଲ ଓ ଖଡ଼ଗେଙ୍କ ଆଲୋଚନା ଉପରେ ଏବେ ସମସ୍ତଙ୍କ ନଜର। ଷ୍ଟାଲିନଙ୍କ ଆଭିମୁଖ୍ୟ ଅଟଳ ରହିଲେ, ପରିସୀମନ ବିଲ୍କୁ ନେଇ INDIA ମେଣ୍ଟର ଫାଟ ଆହୁରି ବଢ଼ିପାରେ।
ଶନିବାର ଡିଏମ୍କେ ସାଂସଦମାନେ ଅମିତ ଶାହଙ୍କୁ ଭେଟିଥିଲେ। NCP (SP) ଓ YSRCP ମଧ୍ୟ ସମର୍ଥନର ସଙ୍କେତ ଦେଇଛନ୍ତି। ଏହି ପ୍ରସଙ୍ଗରେ INDIA ମେଣ୍ଟର ସାଂସଦଙ୍କ ବସିବା ବ୍ୟବସ୍ଥା ମଧ୍ୟ ବଦଳିଛି। ଏବେ ସମସ୍ତଙ୍କ ନଜର ଚେନ୍ନାଇ ବୈଠକ ଉପରେ। ସୋନିଆ-ରାହୁଲ ଷ୍ଟାଲିନଙ୍କ ମତ ବଦଳାଇପାରିବେ ନା ନାହିଁ, ତାହା ହିଁ ପରିସୀମନ ବିଲ୍ର ଭାଗ୍ୟ ନିର୍ଣ୍ଣୟ କରିପାରେ।
