Latest Odisha News

BREAKING NEWS

Kataka Ganesh Ghat Murder Case:ଗଣେଶଘାଟ ହତ୍ୟାକାଣ୍ଡ:ଗିରଫଦାରୀ ସଂଖ୍ୟା ୩୨କୁ ବୃଦ୍ଧି,ସିସିଟିଭି ଫୁଟେଜ୍‌ ଚାଲିଛି ଯାଞ୍ଚ

କଟକ: କଟକ ଗଣେଶଘାଟ ଗୋଷ୍ଠୀ ସଂଘର୍ଷ ଓ ହତ୍ୟାକାଣ୍ଡ ଘଟଣାରେ କମିଶନରେଟ୍‌ ପୋଲିସ ପୁଣି ୧୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୋଲିସ ସମସ୍ତ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରିଛି। ଏଥି ସହିତ ମୋଟ ଗିରଫଦାରୀ ସଂଖ୍ୟା ୩୨ରେ ପହଞ୍ଚିଛି। ପୋଲିସ ଗତକାଲି ୧୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । ଭୁବନେଶ୍ୱର, ନୟାଗଡ଼ ଓ ଖୋର୍ଦ୍ଧା ଭଳି ବିଭିନ୍ନ ଅଞ୍ଚଳରେ ଖୋଜାଖୋଜି କରି ପୋଲିସ ସେମାନଙ୍କୁ ଧରିଛି ।

ଏହି ଘଟଣାରେ ଜଣେ ନାବାଳକଙ୍କ ସମ୍ପୃକ୍ତି ଥିବାରୁ ତାଙ୍କୁ ବାଳସୁଧାର ଗୃହକୁ ପଠାଯାଇଛି । ଅନ୍ୟପଟେ ଘଟଣା ସହ ଜଡ଼ିତ ଅନ୍ୟମାନଙ୍କୁ ଚିହ୍ନଟ କରିବାକୁ ପୋଲିସ ସିସିଟିଭି ଫୁଟେଜ୍‌ ଯାଞ୍ଚ କରୁଛି । ଆଗକୁ ଏହି ମାମଲାରେ ଆହୁରି ଗିରଫଦାରୀ ହୋଇପାରେ ବୋଲି କଟକ ଡିସିପି ଋଷିକେଶ ଖିଲାରି ସୂଚନା ଦେଇଛନ୍ତି ।

ଗତ ଦୁଇ ଦିନ ତଳେ ଗଣେଶଘାଟ ନିକଟରେ ଥିବା ଦୁଇଟି ସାହି ମଧ୍ୟରେ ବିବାଦ ଉଗ୍ର ରୂପ ନେଇଥିଲା । ଗଣେଶଘାଟ ସାହି ଓ ବରଜୁ ସାହିର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଏହି ସଂଘର୍ଷ ସମୟରେ ସାମଲ ସାହିର ମୁରବୀ ଅମରେନ୍ଦ୍ର ସାମଲଙ୍କୁ କିଛି ଯୁବକ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ମାଡ଼ରେ ଗୁରୁତର ହୋଇଥିବା ଅମରେନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା । ଘଟଣା ପରେ ପୋଲିସ ତଦନ୍ତ ଜୋରଦାର କରିଛି ।

ଗୋଷ୍ଠୀବଦ୍ଧ ଆକ୍ରମଣ କିମ୍ବା ଭିଡ଼ ହିଂସାରେ ଆଇନକୁ ହାତକୁ ନନେବାକୁ ପୋଲିସ ସମସ୍ତଙ୍କୁ ପରାମର୍ଶ ଦେଇଛି । ଏଥି ସହିତ ସମ୍ବେଦନଶୀଳ ଅଞ୍ଚଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ଥିବା ବେଳେ ଶାନ୍ତି ପ୍ରତିଷ୍ଠା ପାଇଁ ପୁଲିସକୁ କଟକବାସୀ ସହଯୋଗ କରନ୍ତୁ ବୋଲି ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ।

Leave A Reply

Your email address will not be published.