Latest Odisha News

BREAKING NEWS

କାଳିଆ ଯୋଜନାକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ ଦଳ

ଭୁବନେଶ୍ୱର: କାଳିଆ ଯୋଜନାରେ ହିତାଧିକାରୀଙ୍କ ପ୍ରକୃତ ସଂଖ୍ୟାକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ଦଳ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ।

ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମଙ୍ଗଳବାର ଦିନ ବିଧାନସଭାରେ ରାଜ୍ୟ ବଜେଟ୍ ଉପସ୍ଥାପନ କରୁଥିବା ବେଳେ ଗୃହକୁ ସୂଚନାଦେଇ କହିଥିଲେ ରାଜ୍ୟର ୪୩ ଲକ୍ଷ ହିତାଧିକାରୀ ଏପର୍ଯ୍ୟନ୍ତ ସହାୟତା ପାଇସାରିଛନ୍ତି ।

ମାତ୍ର, ଗତବର୍ଷ ବିଧାନସଭାରେ କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜାଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ କୃଷିମନ୍ତ୍ରୀ ଅରୁଣ ସାହୁ ସୂଚନାଦେଇ କହିଥିଲେ, କାଳିଆ ଯୋଜନାରେ ଏପର୍ଯ୍ୟନ୍ତ ୫୦, ୮୫, ୨୯୦ ଜଣ ହିତାଧିକାରୀଙ୍କୁ ରାଜ୍ୟ ସରକାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

ହିତାଧିକାରୀଙ୍କ ସଂଖ୍ୟାରେ ସାମଞ୍ଜସ୍ୟ ରହୁନଥିବା ଦର୍ଶାଇ ଗୃହରେ ବିରୋଧୀ ଦଳର ସଦସ୍ୟମାନେ ଅର୍ଥମନ୍ତ୍ରୀଙ୍କଠାରୁ ସଠିକ୍ ତଥ୍ୟ ସହିତ ସ୍ପଷ୍ଟିକରଣ ମାଗିଥିଲେ । କାଳିଆ ଯୋଜନା ଅନ୍ତର୍ଗତ ସମୁଦାୟ ୭.୮୫ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ କେତେ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ତାହାର ସଠିକ୍ ତଥ୍ୟ ମାଗିଥିଲେ ବିରୋଧୀ ଦଳର ସଦସ୍ୟ ।

ସେହିପରି ଭାବେ ବୁଧବାର ଦିନ କୃଷିମନ୍ତ୍ରୀ ଅରୁଣ ସାହୁ ଗୃହକୁ ଏକ ବିବୃତ୍ତିରେ କହିଥିଲେ ଯେ, କାଳିଆ ଯୋଜନାରେ ମୋଟ ହିତାଧିକାରୀଙ୍କ ମଧ୍ୟରୁ ୪୫, ୯୬୫ ଜଣ ହିତାଧିକାରୀ ଅଯୋଗ୍ୟ ଥିବା ଜଣାପଡ଼ିଛି ।

ଏହି ଅଯୋଗ୍ୟ ହିତାଧିକାରୀମାନଙ୍କ ଠାରୁ ସହାୟତାର ରାଶି ଫେରସ୍ତ ଆଣିବା ସମ୍ପର୍କୀତ ଏକ ପ୍ରଶ୍ନର ଉତ୍ତରରେ କୃଷିମନ୍ତ୍ରୀ କହିଥିଲେ, ଏପର୍ଯ୍ୟନ୍ତ ୧,୮୬୩ ଜଣ ଅଯୋଗ୍ୟ ହିତାଧିକାରୀ ସେମାନଙ୍କ ଟଙ୍କା ଫେରସ୍ତ କରିସାରିଛନ୍ତି ।

Leave A Reply

Your email address will not be published.