Latest Odisha News

BREAKING NEWS

୮ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ

ଭୁବନେଶ୍ୱର: ଓଡିଶାର ଅଧିକାଂଶ ଅଂଚଳରେ ମଙ୍ଗଳବାର ଦିନ ପ୍ରବଳ ବର୍ଷା ହୋଇଛି । ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆହୁରି ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ସୂଚନାଯୋଗ୍ୟ, ବୁଧବାର ଦିନ ସକାଳ ୮ଟା ୩୦ ପର୍ଯ୍ୟନ୍ତ ଭୁବନେଶ୍ୱରରେ ସର୍ବାଧିକ ୭୮.୨ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଭବାନୀପାଟଣାରେ ୩୫ ମିମି, ସମ୍ବଲପୁରରେ ୨୬, ବାଲେଶ୍ୱର ଓ ପାରାଦୀପରେ ୨୧, ତାଳଚେରରେ ୨୧, କଟକରେ ୧୯.୪, ଅନୁଗୁଳରେ ୧୯, କେନ୍ଦୁଝରରେ ୧୪.୨, ହୀରାକୁଦରେ ୧୩.୫, ଦାରିଙ୍ଗିବାଡିରେ ୧୩, ଟିଟିଲାଗଡରେ ୯, ନୟାଗଡରେ ୮.୨, ପୁରୀରେ ୯, କେରାପୁଟରେ ୭, ଫୁଲବାଣୀରେ ୬.୮, ଚାନ୍ଦବାଲିରେ ୬.୨, ବାରିପଦାରେ ୫, ଗୋପାଳପୁରରେ ୪.୭, ଝାରସୁଗୁଡାରେ ୩.୫ ଓ ଛତ୍ରପୁରରେ ୩ ମିମି ବର୍ଷା ରେକର୍ଡ କରାଯାଇଛି ।

ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ଅଧିକାରୀ ରାଧାନାଥ ବେହେରା କହିଛନ୍ତି, ବୁଧବାର ଦିନ ୧୨ ଟା ୩୦ରୁ ୩ଟା ୩୦ ମଧ୍ୟରେ କନ୍ଧମାଳ, ନୟାଗଡ, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, କଟକ ଓ ଜଗତସିଂହପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ୩୦ରୁ ୪୦ କିମି ଘଣ୍ଟା ପ୍ରତି ବେଗରେ ପବନ ବହିବା ସହ ବଜ୍ରପାତ ଓ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ।

ବର୍ଷା ପରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସକୁ ହ୍ରାସ ପାଇବ । ସର୍ବାଧିକ ତାପମାତ୍ରା ସାମାନ୍ୟରୁ ୩ରୁ ୫ ଡିଗ୍ରୀ ସେଲସିୟସ ତଳେ ରହିବ । ରାଜ୍ୟରେ ପାଣିପାଗର ସ୍ଥିତି ବୁଧବାର ସନ୍ଧ୍ୟା ପର୍ଯ୍ୟନ୍ତ ସୁଧୁରିଯିବ ।

ଭାରତୀୟ ପାଣିପାଗ ବିଭାଗ ଉତ୍ତରାଂଚଳ ଜିଲ୍ଲା ସୁନ୍ଦରଗଡ, ଅନୁଗୁଳ, ଢ଼େଙ୍କାନାଳ, ଖୋର୍ଦ୍ଧା, ପୁରୀ, ନୟାଗଡ ଓ କନ୍ଧମାଳରେ ବୁଧବାର ଦିନ ଘନ କୁହୁଡିର ଚେତାବନୀ ଦେଇଛି । ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ନୟାଗଡ, ଗଜପତି, କନ୍ଧମାଳ ଓ କଳାହାଣ୍ଡିରେ ଗୁରୁବାର ଦିନ ଓ ବଲାଙ୍ଗୀରରେ ଶୁକ୍ରବାର ଦିନ ଘନ କୁହୁଡି ହେବା ନେଇ ଚେତାବନୀ ଦେଇଛି ।

Comments are closed.