Latest Odisha News

BREAKING NEWS

ଓଡ଼ିଶା ପୋଲିସରେ ଖାଲି ପଦବୀ ପୂରଣ ଲାଗି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କଲେ ଦିଲିପ ରାୟ

ଭୁବନେଶ୍ୱର: ବିଧାୟକ ଦିଲିପ ରାୟଙ୍କ ଓଡ଼ିଶା ପୋଲିସ ବାହିନୀରେ ଖାଲି ପଡ଼ିଥିବା ସମ୍ପର୍କୀୟ ଏକ ପ୍ରଶ୍ନର ଉତ୍ତର ମୁଖ୍ୟମନ୍ତ୍ରୀ ଲିଖିତ ଆକାରରେ ଜଣାଇଛନ୍ତି । କନେଷ୍ଟବଳ ଠାରୁ ଡିଜି ପର୍ଯ୍ୟନ୍ତ ବିଭିନ୍ନ ପାହ୍ୟାରେ ପ୍ରାୟ ୧୧ହଜାର ପଦବୀ ଖାଲିପଡ଼ିଛି । ଏହାଛଡ଼ା ଆଉ କେତେ ପଦବୀ ଖାଲି ଅଛି ସେ ସଂକ୍ରାନ୍ତରେ ତଥ୍ୟ ସଂଗ୍ରହ ଚାଲିଛି । ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ବିସ୍ତୃତ ବିବରଣୀରୁ ଏହା ଜଣାପଡ଼ିଛି ।

ବିଧାୟକ ଦିଲିପ ରାୟ ଏସମ୍ପର୍କରେ ପଚାରିଥିବା ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଖାଲି ପଡ଼ିଥିବା ପଦବୀର ବିବରଣୀ ମଧ୍ୟ ପ୍ରଦାନ କରିଛନ୍ତି । ପ୍ରଦତ୍ତ ହିସାବ ଅନୁଯାୟୀ ଗତ ଅଗଷ୍ଟ ପହିଲା ସୁଦ୍ଧା ରାଜ୍ୟରେ ଆଇଜି ପାହ୍ୟାର ୪ଟି, ଡିଆଇ ପାହ୍ୟାର ୧୧ଟି, ଏସ୍ପି ପାହ୍ୟାର ୧୧ଟି, କମାଣ୍ଡାଣ୍ଟ ପାହ୍ୟାର ୧୦ଟି ଓ ଅତିରିକ୍ତ ଏସ୍ପି ପାହ୍ୟାର ୨୩ ପଦବୀ ଖାଲି ପଡ଼ିଛି । ଡେପୁଟି କମାଣ୍ଡାଣ୍ଟ ପାହ୍ୟାରେ ୧୮ଟି ଓ ଏଏସ୍ପି ପାହ୍ୟାରେ ୧୧ଟି ପଦବୀ ଖାଲି ପଡ଼ିଥିବା ବେଳେ ଡିଏସ୍ପି ପାହ୍ୟାରେ ୧୬୪ ପଦବୀ ଖାଲି ରହିଛି । ରାଜ୍ୟରେ ଇନ୍ସପେକ୍ଟର ପାହ୍ୟାରେ ବିଭିନ୍ନ କିସମର ୧୯୯ଟି ପଦବୀ ଖାଲି ପଡ଼ିଥିବା ବେଳେ ୭ଟି ସୁବେଦାର ମେଜର୍ ଓ ୧୧୨ଟି ସୁବେଦାର ପଦବୀ ମଧ୍ୟ ଖାଲି ରହିଛି । ବ୍ରାସ୍ ବ୍ୟାଣ୍ଡ, ଷ୍ଟ୍ରିଙ୍ଗ୍ ବ୍ୟାଣ୍ଡ, ଫିଟର୍, ସିଫର୍ ଆଦିରେ ୬ଟି ଇନ୍ସପେକ୍ଟର ପାହ୍ୟାର ପଦବୀ ଖାଲି ପଡ଼ିଥିବା ବେଳେ ୩୩ଟି ସର୍ଜେଣ୍ଟ ଓ ୧୩୩୦ଟି ସବ୍ଇନ୍ସପେକ୍ଟର ପଦବୀ ମଧ୍ୟ ଖାଲି ରହିଛି ।

ଏହାଛଡ଼ା ଆଉ ବିଭିନ୍ନ କିସମର ୨୭୭ଟି ଏସ୍ଆଇ ପଦବୀ ମଧ୍ୟ ଖାଲି । ଡେପୁଟୀ ସୁବେଦାର ପାହ୍ୟାରେ ୨୨୨ଟି ପଦବୀ ଖାଲି ପଡ଼ିଥିବା ବେଳେ ୭୬୨ଟି ଏଏସ୍ଆଇ ପଦବୀ ମଧ୍ୟ ଖାଲି ରହିଛି । ଅନ୍ୟାନ୍ୟ କିସମର ୨୮୭ଟି ଏଏସ୍ଆଇ ପାହ୍ୟାର ପଦବୀ ମଧ୍ୟ ଖାଲି । ହାବିଲଦାର ମେଜର୍ ପାହ୍ୟାରେ ୮୦ଟି ପଦବୀ ଖାଲି ପଡ଼ିଥିବା ବେଳେ ହାବିଲଦାର୍ ପାହ୍ୟାରେ ବିଭିନ୍ନ କିସମର ୭୨୦ଟି ପଦବୀ ମଧ୍ୟ ଫାଙ୍କା ରହିଛି । ଲ୍ୟାନ୍ସ ନାଏକ ପାହ୍ୟାର ୩୮୧ଟି ପଦବୀ ଖାଲି ପଡ଼ିଥିବା ବେଳେ ୧୮୭୯ଟି ସାଧାରଣ କନେଷ୍ଟବଳ ପଦବୀ ଖାଲି । ଏହାଛଡ଼ା ବିଭିନ୍ନ କିସମର ୧୬୩୫ଟି ଅନ୍ୟ କନେଷ୍ଟବଳ ପଦବୀ ମଧ୍ୟ ଖାଲି ରହିଛି ।

ସେହିପରି ୧୧୪୬ଟି ସିପାହୀ ପଦବୀ ଖାଲି ପଡ଼ିଥିବା ବେଳେ ଅନ୍ୟାନ୍ୟ କିସମର ୧୧୬ଟି ସିପାହୀ ପଦବୀ ବି ଖାଲି ଅଛି । ଏସ୍ଓଜିରେ ୮୯୭ଟି ସିପାହୀ ପଦବୀ ଖାଲି ପଡ଼ିଥିବା ବେଳେ ଓଏପିଏଫ୍ରେ ୪୭୭ଟି କନେଷ୍ଟବଳ ପଦବୀ ଖାଲି ଥିବା ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି । ଅଗ୍ନିଶମ, କାରାଗାର, ଗୃହରକ୍ଷୀ ଆଦି ସଂସ୍ଥାରେ କେତେ ପଦବୀ ଖାଲିଅଛି ସେ ସଂକ୍ରାନ୍ତରେ ତଥ୍ୟ ସଂଗ୍ରହ କରାଯାଉଥିବା ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରଛନ୍ତି ।

ରାଉରକେଲା ପୋଲିସ ଜିଲ୍ଲାରେ ୨ଟି ଅତିରିକ୍ତ ଏସ୍ପି, ୩ଟି ଡିଏସ୍ପି, ୨ଟି ଇନ୍ସପେକ୍ଟର, ୯୩ଟି ସବ୍ଇନ୍ସପେକ୍ଟର, ୨୭ଟି ଏଏସ୍ଆଇ, ୪୪ଟି କନେଷ୍ଟବଳ ସମେତ ମୋଟ୍ ୨୪୬ଟି ପଦବୀ ଖାଲି ପଡ଼ିଥିବା ବେଳେ ସୁନ୍ଦରଗଡ଼ ପୋଲିସ ଜିଲ୍ଲାରେ ବି ୧୩୦ଟି ପଦବୀ ଖାଲି ପଡ଼ିଥିବା ମୁଖ୍ୟମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟରେ ଉଲ୍ଲେଖ କରାଯାଇଛି ।

ସାଧାରଣ ଲୋକଙ୍କ ଧନ ଜୀବନ ସୁରକ୍ଷା ସହିତ ଆଇନ୍ ଶୃଙ୍ଖଳା ରକ୍ଷା ପୋଲିସର ମୁଖ୍ୟ କାର୍ଯ୍ୟ ହୋଇଥିବା ବେଳେ ଅଗ୍ନିଶମ, କାରାଗାର ଓ ଗୃହରକ୍ଷୀ ସଂସ୍ଥାର ବିଭିନ୍ନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ରାଜ୍ୟରେ  ବେକାରୀ ସମସ୍ୟା ଲାଗି ରହିଥିବା ବେଳେ ଏହିସବୁ ସଂସ୍ଥାରେ ୧୪ହଜାରରୁ ଅଧିକ ପଦବୀ ଖାଲି ପଡ଼ିଥିବା ଘେନି ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ ଆଶଙ୍କା ବ୍ୟକ୍ତ କରିବା ସହିତ ତୁରନ୍ତ ଏ ସମସ୍ତ ପଦବୀ ପ୍ରତ୍ୟକ୍ଷ ନିଯୁକ୍ତି ଓ ପଦୋନ୍ନତି ଭିତ୍ତିରେ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

Leave A Reply

Your email address will not be published.