Latest Odisha News

BREAKING NEWS

ଅଭିଜିତ ମିତ୍ରଙ୍କୁ ମିଳିଲା ଜାମିନ, ୨୮ ତାରିଖ ସୁଦ୍ଧା କୋଣାର୍କ ଥାନାରେ ହାଜର ହେବେ

ଭୁବନେଶ୍ୱର: ସୋସିଆଲ ମିଡ଼ିଆରେ କୋଣାର୍କ ମନ୍ଦିରର ଭାସ୍କର୍ଯ୍ୟ ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ତଥା ଓଡ଼ିଶାର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ଓ ଓଡ଼ିଶା ସମ୍ପର୍କରେ ବିବାଦୀୟ ଟିପ୍ପଣୀ ଦେଇ ଓଡ଼ିଆ ଭାବାବେଗକୁ ଚ୍ୟାଲେଞ୍ଜ କରିଥିବା ଅଭିଯୋଗରେ ସ୍ତମ୍ଭକାର ଅଭିଜିତ ଆୟାର ମିତ୍ରଙ୍କୁ ଓଡ଼ିଶା ପୋଲିସ ଗୁରୁବାର ସକାଳେ ଗିରଫ କରିଥିଲା । ଆଜି ତାଙ୍କୁ ଦିଲ୍ଲୀ ସାକେତ କୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ।

ଅଭିଜିତ ଆୟାର ମିତ୍ରଙ୍କୁ ଦିଲ୍ଲୀର ସାକେତ କୋର୍ଟ ୧ ଲକ୍ଷ ଟଙ୍କାର ଜାମିନ ବଣ୍ଡରେ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ତେବେ ଆସନ୍ତା ୨୮ ତାରିଖ ସୁଦ୍ଧା ଓଡ଼ିଶାର କୋଣାର୍କ ଥାନାରେ ନିଶ୍ଚିତ ଭାବେ ହାଜର ହେବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।

ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ସ୍ତମ୍ଭକାର ଅଭିଜିତ ଆୟାର ମିତ୍ର ଦୁଇଦିନ ପୂର୍ବରୁ ସୋସିଆଲ ମିଡ଼ିଆରେ ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିରର ଭାସ୍କର୍ଯ୍ୟ ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ଦେଇ ବିବାଦୀୟ ହୋଇପଡ଼ିଥିଲେ । ତାଙ୍କର ଏହି ବିବାଦୀୟ ମନ୍ତବ୍ୟ ଲାଗି ଓଡ଼ିଶାର ସବୁ ମହଲରୁ ତାଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଆଜି ଓଡ଼ିଶା ପୋଲିସର ଏକ ଦଳ ତାଙ୍କୁ ଗିରଫ କରିବାକୁ ଦିଲ୍ଲୀ ଯାଇଥିଲେ । ଦିଲ୍ଲୀର ନିଜ୍ଜାମୁଦ୍ଦିନ ପୋଲିସ ଥାନାର ସହଯୋଗରେ ଅଭିଯୁକ୍ତ ଅଭିଜିତଙ୍କୁ ଗିରଫ କରିଥିଲା ଓଡ଼ିଶା ପୋଲିସ । ଗିରଫ ହେବାପରେ ଓଡ଼ିଶା ପୋଲିସ ମଧ୍ୟ ଅଧିକ ପଚରାଉଚରା ଲାଗି ତାଙ୍କୁ ରିମାଣ୍ଡରେ ଆଣିବାକୁ ଚାହୁଁଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ, ଅଭିଜିତଙ୍କ ଏହି ବିବାଦୀୟ ମନ୍ତବ୍ୟକୁ ନେଇ ସାରା ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । କେବଳ ଯେ ଅଭିଜିତ ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ଦେଇ ନାହାନ୍ତି, ସେ ମଧ୍ୟ କୋଟି କୋଟି ଓଡ଼ିଆଙ୍କ ପ୍ରାଣର ଠାକୁର ଶ୍ରୀଜଗନ୍ନାଥ ଓ ଓଡ଼ିଶା ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ସୋସିଆଲ ମିଡ଼ିଆରେ ପ୍ରଦାନ କରିଥିଲେ ।

ଏହା ଓଡ଼ିଆ ସ୍ୱାଭିମାନ ପ୍ରତି କୁଠାରଘାତ ସଦୃଶ ହୋଇଥିବାରୁ ଆଜି ବିଧାନସଭାରେ ଦଳ ନିର୍ବିଶେଷରେ ତାଙ୍କ ବିରୋଧରେ ଏକ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଅଣାଯାଇ ଏକ ଗୃହ କମିଟି ଗଠନ କରାଯାଇଥିଲା । ସେ ଦେଇଥିବା ସମସ୍ତ ପ୍ରକାର ଟିପ୍ପଣୀକୁ ଅନୁଧ୍ୟାନ କରିବାକୁ ବିରୋଧି ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ଗୃହ କମିଟି ଗଠନ କରାଯାଇଥିଲା ।

ସୂଚନାଯୋଗ୍ୟ ସାମ୍ବାଦିକ ମିତ୍ର ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହିତ ହେଲିକପ୍ଟରରେ କୋଣାର୍କ ଯାଇ ଏକ ଭିଡ଼ିଓ ଚିତ୍ର ଉତ୍ତୋଳନ କରିଥିଲେ, ପରେ କୋଣାର୍କ ମନ୍ଦିର ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ଦେଇ ଏହାକୁ ସେ ସୋସିଆଲ୍ ମିଡ଼ିଆରେ ଅପଲୋଡ଼ କରିଦେଇଥିଲେ ।

“ନମସ୍କାର ଭାଇ ଓ ଭଉଣୀମାନେ । ମୁଁ ଏବେ ପ୍ରସିଦ୍ଧ କୋଣାର୍କ ମନ୍ଦିରରେ ଅଛି । ମୁଁ ମାତ୍ର ଏହି କଥା କହିବାକୁ ଚାହୁଁଛି କି ଏହା ଏକ ମନ୍ଦିର ନୁହେଁ । ଏହା ଏକ ହମ୍ପଲ୍ । ଏହି ଲୋକ ଖାଲି ହମ୍ପ୍ (ହମ୍ପ୍ କରିବା ଅର୍ଥ ସେକ୍ସ )କରୁଛନ୍ତି । ଆପଣ ଦେଖନ୍ତୁ ଏହି ସବୁ ମୂର୍ତ୍ତିିଗୁଡ଼ିକୁ । ଏଠାରେ ଦେଖନ୍ତୁ ମହିଳା, ପୁରୁଷ ଓ ଜୀବଜନ୍ତୁ କିପରି ସେକ୍ସ କରୁଛନ୍ତି । ଏହା କ’ଣ ଏକ ପବିତ୍ର ସ୍ଥାନ ହୋଇପାରେ? ଏହାସବୁ ଆମ ହିନ୍ଦୁ ସମାଜକୁ ବଦନାମ କରିବାକୁ କରାଯାଇଛି । ଏହା ମୁସଲମାନମାନଙ୍କ ଷଡ଼ଯନ୍ତ୍ର ଏବଂ ଆମକୁ ନିଚ୍ଚ ସ୍ଥାନରେ ରଖିବାକୁ ଅପଚେଷ୍ଟା । ମୁଁ କେବଳ ଏତିକି କହିବାକୁ ଚାହୁଁଛି, ଜୟ ଶ୍ରୀରାମ । ଆମ ନୂଆ ରାମ ମନ୍ଦିରରେ ଏଭଳି ଅଶ୍ଳୀଳ ମୂର୍ତ୍ତି ତିଆରି ହେବ ନାହିଁ ।

ଏହାଛଡ଼ା, ଏହି ସାମ୍ବାଦିକ ଜଣକ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଏବଂ ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର ଉପରେ ହେଲିକପ୍ଟର ଦ୍ୱାରା ଉଡ଼ି ବିଭିନ୍ନ ଭିଡ଼ିଓ ଚିତ୍ର ଉତ୍ତୋଳନ କରିଥିଲେ ।

ସୋସିଆଲ ମିଡ଼ିଆରେ ଅପଲୋଡ଼ କରିଥିବା ଏହି ଭିଡ଼ିଓଟିକୁ ସେ ତାଙ୍କ ବନ୍ଧୁ ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଓ ସାମ୍ବାଦିକା ଆରତୀ ଟିକ୍କୋ ସିଂହଙ୍କ ସହିତ ହେଲିକପ୍ଟରରେ ଯୋଗେ ଯାଉଥିବା ସମୟରେ ଉତ୍ତୋଳନ କରିଥିଲେ ।

ଚିଲିକାରେ ହେଲିକପ୍ଟର ଚଳାଇଥିବା ଅଭିଯୋଗରେ ସାଂସଦ ବୈଜୟନ୍ତ ପଣ୍ଡା ଚଳାଉଥିବା ହେଲିକପ୍ଟରଟିକୁ ପୋଲିସ ଜବତ କରିଥିଲା । ଏହି ଘଟଣାରେ ସାଂସଦ ବୈଜୟନ୍ତ କହିଥିଲେ ଓଡ଼ିଶାରେ ତାଙ୍କର ଚଳାଚଳ ବନ୍ଦ କରିଦେବାକୁ ଓଡ଼ିଶା ସରକାର ଚେଷ୍ଟା କରୁଛନ୍ତି ।

ତେବେ ଏହି ଘଟଣାକୁ ନେଇ ସମଗ୍ର ଓଡ଼ିଶାରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଅଭିଜିତ ଆୟାର ମିତ୍ରଙ୍କ ବିବାଦୀୟ ମନ୍ତବ୍ୟରେ ଅତିଷ୍ଠ ହୋଇ ସବୁ ମହଲରୁ ନିନ୍ଦା କରିବା ସହିତ ତାଙ୍କୁ ଗିରଫ କରିବାକୁ ଦାବି ହୋଇଥିଲା ।

Leave A Reply

Your email address will not be published.