Latest Odisha News

BREAKING NEWS

ତୈଳ ଦର ଲିଟର ପିଛା ୧୨୦ ଟଙ୍କାରେ ପହଞ୍ଚାଇ ବିଜେପି ‘ମିଶନ ୧୨୦’ ସଫଳ କରିବ: ବିଜେଡ଼ି

ଭୁବନେଶ୍ୱର: ସୋମବାର ଦିନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ପୁରୀ ସମାବେଶରେ ରାଜ୍ୟର ନବୀନ ପଟ୍ଟନାୟକ ସରକାରଙ୍କୁ ଶାସନରେ ରହିବାର ଅଧିକାର ନାହିଁ କହି ସମାଲୋଚନା କରିଛନ୍ତି । ତେବେ ଏହାର ଉତ୍ତରରେ ବିଜେଡ଼ି ଏକ ସାମ୍ବାଦିକ ସମ୍ମିଳନୀରେ ତେଲଦର ୧୨୦ ଟଙ୍କାରେ ପହଞ୍ଚିବା ପରେ ବିଜେପିର ମିଶନ ୧୨୦ ସଫଳ ହେବ ବୋଲି କହି କେନ୍ଦ୍ରର ବିଜେପି ସରକାରକୁ କଟୁ ସମାଲୋଚନା କରିଛି ।

ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳ ସାଧାରଣ ସଂପାଦକ ଡ. ଅରୁଣ କୁମାର ସାହୁ, ସଂଜୟ କୁମାର ଦାସବର୍ମା ଏବଂ ମୁଖପାତ୍ର ଡ. ସସ୍ମିତ ପାତ୍ର ଓଡ଼ିଶା ପ୍ରତି କେନ୍ଦ୍ରର ଉଦାସୀନତା ଏବଂ କେନ୍ଦ୍ରରେ ଶାସିତ ବିଜେପି ସରକାର କିପରି ଦେଶବାସୀଙ୍କୁ ଶୋଷଣ କରୁଛନ୍ତି ତାହାର ସମାଲୋଚନା କରିଛନ୍ତି । କେନ୍ଦ୍ର ସରକାରଙ୍କୁ ଭାରତୀୟ ଜନତା ପାର୍ଟି ୨୦୧୪ରେ ୫ବର୍ଷ ଭାରତବର୍ଷର ଜନସାଧାରଣଙ୍କୁ ମାଗିଥିଲା, ସେମାନଙ୍କ ଜୀବନରେ ଅଚ୍ଛେଦିନ ଆଣିବା ପାଇଁ । କିନ୍ତୁ ସାଢ଼େ ୪ବର୍ଷ ପରେ ମଧ୍ୟ ସେ ‘ଅଚ୍ଛେଦିନ’ର ସ୍ୱରଶବ୍ଦ ଶୁଣାଯାଉନାହିଁ । ପେଟ୍ରୋଲ ଦର ପ୍ରତି ଲିଟର ୯୦ ଟଙ୍କା ଛୁଇଁଲାଣି, ଭାରତୀୟ ମୁଦ୍ରା ୧ ଡଲାର ମୁକାବିଲାରେ ୧୦୦ ଟଙ୍କା ଛୁଇଁଲା ଭଳି ଅନୁମାନ କରାଯାଉଛି । ଜଣାପଡୁଛି, ବିଜେପି ତୈଳ ଦର ପ୍ରତି ଲିଟର ୧୨୦ ଟଙ୍କାରେ ପହଞ୍ଚାଇ ଓ ଭାରତୀୟ ମୁଦ୍ରାର ମୂଲ୍ୟ ୧ ଡଲାର ପିଛା ୧୨୦ ଟଙ୍କାରେ ପହଞ୍ଚାଇ ତାଙ୍କର ମିଶନ ୧୨୦ ସଫଳ କରିବେ । ଏହାହିଁ ମିଶନ ୧୨୦ର ରହସ୍ୟ, ଯାହାକି ତୈଳମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାର୍ଯ୍ୟକାରୀ କରିବା ପାଇଁ ପ୍ରଚେଷ୍ଟା କରୁଛନ୍ତି । ବିଜେପି ୫ବର୍ଷରେ ଓଡ଼ିଶାକୁ ୧ନମ୍ବର ରାଜ୍ୟରେ ପରିଣତ କରିବାର ଦୃଢ଼ୋକ୍ତି ଅତ୍ୟନ୍ତ ହାସ୍ୟାସ୍ପଦ । ଛତିଶଗଡ଼ ଏବଂ ମଧ୍ୟପ୍ରଦେଶରେ ୧୫ବର୍ଷର ଶାସନକାଳ ମଧ୍ୟରେ ବିଜେପି କୌଣସି ପରିବର୍ତ୍ତନ ଆଣିପାରି ନାହିଁ ଏବଂ ଏହିପରି ମିଥ୍ୟା ପ୍ରତିଶ୍ରୁତି ଦେଇ ଲୋକମାନଙ୍କୁ ଭ୍ରମିତ କରିଆସୁଛି ।

ସେହିପରି ବିଜେଡ଼ି ଏହି ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରରେ ଥିବା ବିଜେପି ସରକାରକୁ ସମାଲୋଚନା କରି କହିଛି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୭୦ଲକ୍ଷ ପରିବାର ସାମିଲ ହୋଇଥିଲା ବେଳେ ଆୟୁଷ୍ମାନ ଯୋଜନାରେ ୯ଲକ୍ଷ ପରିବାର ଓ ପାଖାପାଖି ୫୦ଲକ୍ଷ ଲୋକ ବାଦ ପଡ଼ିଯାଇଥାନ୍ତେ । କେନ୍ଦ୍ର ସରକାର ଏହି ୫୦ଲକ୍ଷ ବାଦ ପଡୁଥିବା ଓଡ଼ିଆଙ୍କୁ ଆୟୁଷ୍ମାନ ଯୋଜନାରେ ଅର୍ନ୍ତଭୁକ୍ତ ନକରିବାରୁ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ମାଧ୍ୟମରେ କେବଳ ଏହି ୫୦ଲକ୍ଷ ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟସେବା ପହଞ୍ଚା ନାହାନ୍ତି, ବରଂ ରାଜ୍ୟର ସମସ୍ତ ଜନସାଧାରଣଙ୍କୁ ସାମିଲ କରିଛନ୍ତି । ତା’ସହିତ ଆୟୁଷ୍ମାନ ଯୋଜନାରେ ମହିଳାମାନଙ୍କ ପାଇଁ କେବଳ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟସେବାର ବୀମାଭୁକ୍ତ ବ୍ୟବସ୍ଥା ଥିଲାବେଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାମାନଙ୍କ ପାଇଁ ୭ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟସେବାର ସୁବିଧା ଯୋଗାଇ ଦିଆଯାଇଛି । ଏହିସବୁ ତଥ୍ୟ ବିଷୟରେ ଅବଗତ ଥିଲେ ମଧ୍ୟ ବିଜେପି ଆୟୁଷ୍ମାନ ଯୋଜନାର ଡିଣ୍ଡିମ ପିଟିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡ଼ିଶାକୁ ଅର୍ଥ କେନ୍ଦ୍ରରୁ ପଠାଉଥିବା କହିବା, କଟା ଘା’ରେ ଚୂନ ସଦୃଶ । କେନ୍ଦ୍ର ସରକାର ୮ଟି ଯୋଜନାକୁ ବନ୍ଦ କରିଦେଇଛନ୍ତି ଏବଂ ୩୩ଟି ଯୋଜନାରେ କେନ୍ଦ୍ରୀୟ ସହାୟତା ହ୍ରାସ କରି ରାଜ୍ୟ ଉପରେ ଆର୍ଥୀକ ବୋଝ ଜବରଦସ୍ତି ଲଦି ଦେଇଛନ୍ତି । କେନ୍ଦ୍ରରୁ ଓଡ଼ିଶାକୁ ଅର୍ଥ ପଠାଇବା କଥା ଶ୍ରୀ ଶାହା କହିଲେ ମନେ ହୁଏ, ଯେମିତି ପ୍ରତି ଆକାଉଣ୍ଟକୁ ୧୫ଲକ୍ଷ ଟଙ୍କା ବିଜେପି ପୂର୍ବ ଘୋଷିତ ଭାବରେ ପଠାଇ ସାରିଛି । ବିଜେପି ଶାସିତ ରାଜ୍ୟ, ଯଥା ପ୍ରଦେଶ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ ଇତ୍ୟାଦିରେ ମହିଳାମାନଙ୍କ ଉପରେ ଅତ୍ୟାଚାର ଓ ଦୁଷ୍କର୍ମ କ୍ରମାଗତ ଭାବରେ ବୃଦ୍ଧି ପାଉଛି ।

ବିଜେପି ଶାସିତ ରାଜ୍ୟମାନଙ୍କ ତୁଳନାରେ ଓଡ଼ିଶାରେ ମହିଳାମାନେ ଅଧିକ ସୁରକ୍ଷିତ ଅଛନ୍ତି ଏବଂ ମହିଳାମାନଙ୍କ ସଶକ୍ତିକରଣ ପାଇଁ ରାଜ୍ୟ ସରକାର ମମତା, ମିଶନ ଶକ୍ତି ଏବଂ ଅନେକ ପ୍ରକାର ଯୋଜନା ଦ୍ୱାରା ମହିଳାମାନଙ୍କର ବିକାଶ କରିଆସୁଛନ୍ତି । ଶ୍ରୀ ଅମିତ ଶାହା ଆଜି ଅପରାଧ ବିଷୟରେ ଉଲ୍ଳେଖ କରି ପରୋକ୍ଷରେ ବିଜେପିକୁ ଲୋକଙ୍କର ପ୍ରଶ୍ନ ଘେର ମଧ୍ୟକୁ ଟାଣି ଆଣିଛନ୍ତି । ୧୮ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ଘଟିବା ସହିତ ମହିଳାମାନଙ୍କ ପାଇଁ ସଶକ୍ତିକରଣ ଓ ପ୍ରଗତିର ଅନେକ ଦ୍ୱାର ଫିଟାଇଛନ୍ତି । ୨୦୧୯ ନିର୍ବାଚନ ଆଉ କିଛିମାସ ଥିଲାବେଳେ ଶ୍ରୀ ଶାହା ତାଙ୍କର ଚିରାଚରିତ ଭାବରେ ରାଜନୈତିକ ଉଦବୋଧନ ଦେଇ ନିଜର ଦଳୀୟ କାର୍ଯ୍ୟ କେବଳ କରିଛନ୍ତି ବୋଲି ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳ ସାଧାରଣ ସଂପାଦକ ଡ. ଅରୁଣ କୁମାର ସାହୁ, ଶ୍ରୀ ସଂଜୟ କୁମାର ଦାସବର୍ମା ଏବଂ ମୁଖପାତ୍ର ଡ. ସସ୍ମିତ ପାତ୍ର କହିଛନ୍ତି ।

Leave A Reply

Your email address will not be published.