Latest Odisha News

BREAKING NEWS

ଭାଇରାଲ୍ ପୋଷ୍ଟମୋର୍ଟମ୍‌; କଳା ଜିରାରେ ରହିଛି ୧୦୦% ହାଇଡ୍ରୋଅକ୍ସିକ୍ଲୋରୋକ୍ୱିନ୍ (HCQS) !

ଭୁବନେଶ୍ୱର: ହାଇଡ୍ରୋଅକ୍ସିକ୍ଲୋରୋକ୍ୱିନ୍ ରପ୍ତାନୀ ଉପରେ ଆଂଶିକ ପ୍ରତିବନ୍ଧକ ଉଠାଇଛି ଭାରତ ସରକାର । ମ୍ୟାଲେରିଆ ପାଇଁ ଉଦ୍ଧିଷ୍ଟ ଏହି ଔଷଧକୁ ଆମେରିକା ସମେତ ଅନ୍ୟ କିଛି ରାଷ୍ଟ୍ରଙ୍କୁ ବି ଭାରତ ରପ୍ତାନୀ କରିଛି ।

ଏପରି ସ୍ଥିତିରେ ଏକ ଖବର ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ନାଇଜିଲା ସତିଭା ଓରଫ କଲୋଂଜି ସିଡ୍ସ । ଓଡିଆରେ ଆମେ ଏହାକୁ କଳାଜିରା ବୋଲି କହିଥାଉ । ସୋସିଆଲ ମିଡିଆରେ ଭାଇରାଲ ପୋଷ୍ଟ ଅନୁଯାୟୀ କଳାଜିରାରେ ରହିଛି ୧୦୦% ହାଇଡ୍ରୋଅକ୍ସିକ୍ଲୋରୋକ୍ୱିନ୍ ।

ଅଧା ଚାମଚ କଳାଜିରା ସହ ମହୁ ସେବନ କଲେ କରୋନାଭାଇରସରୁ ମୁକ୍ତି ମିଳିବ । କିଛି ଏପରି କ୍ୟାପ୍ସନ୍ ସହ ଅନେକ ପୋଷ୍ଟ ଫେସବୁକ୍ ଓ ଟୁଇଟର୍‌ରେ ଭାଇରାଲ୍ ହୋଇଛି । ଏହି ପୋଷ୍ଟକୁ ପ୍ରଥମେ ସଛିଥାନନ୍ଥମ୍ କନଗ୍‌ସବାଇ ନାମକ ଜଣେ ବ୍ୟକ୍ତି ଫେସବୁକରେ ଶେୟାର କରିଥିଲେ ।

ପୋଷ୍ଟଟି ଭାଇରାଲ ପୋଷ୍ଟମୋର୍ଟମ ଟିମ ନଜରକୁ ଆସିବା ପରେ ଆରମ୍ଭ ହୋଇଥିଲା ଛାନଭିନ୍ । ତଦନ୍ତରୁ ଜଣାପଡିଥିଲା ସଛିଥାନନ୍ଥମ କନଗ୍‌ସବାଇ ମାଲେସିଆ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅଧିନରେ ସ୍ତ୍ରୀ ରୋଗ ବିଶେଷଜ୍ଞ ଭାବେ କାର୍ଯ୍ୟରତ । ଏହି କାରଣରୁ ତାଙ୍କ ପୋଷ୍ଟକୁ ଲୋକେ ସୋସିଆଲ ମିଡିଆରେ ଶେୟାର କରିଥିଲେ ।

ତେବେ ସଛିଥାନନ୍ଥମ ନିଜ ପୋଷ୍ଟରେ NDTV ର ଏକ ଲିଙ୍କ୍ ବି ଶେୟାର କରିଥିଲେ । ସେହି ଲିଙ୍କ୍‌କୁ କ୍ଲିକ୍ କରିବା ପରେ ଜଣାପଡିଥିଲା ୨୦୨୦ ନୁହେଁ ବରଂ ୨୦୧୮ରେ ସେହି ଆର୍ଟିକଲଟି ପବ୍ଲିସ୍ ହୋଇଥିଲା ।

ଏହି ଆର୍ଟିକଲରେ କଳାଜିରା ସହ କରୋନାଭାଇରସ୍ ସଂପର୍କିତ କୌଣସି ତଥ୍ୟ ନଥିଲା । ବରଂ କଳାଜିରା ସେବନ ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି, କିଡ୍‌ନୀ ସୁରକ୍ଷା, ଆଣ୍ଠୁ ଗଣ୍ଠି ବ୍ୟଥାରୁ ମୁକ୍ତି ଓ ରକ୍ତଚାପ ନିୟନ୍ତ୍ରଣ ଭଳି ସମସ୍ୟାର ସମାଧାନର ଉପାୟ ରହିଥିଲା ।

କଳାଜିରାରେ ହାଇଡ୍ରୋଅକସିକ୍ଲୋରୋକ୍ୱିନ୍ ରହିଛି କିମ୍ବା ଏହା କରୋନାକୁ ମୂଳପୋଛ କରିବାରେ ସହାୟକ ହେବ । ଏ ନେଇ କୌଣସି ବୈଜ୍ଞାନିକ ପ୍ରମାଣ ଏ ଯାବତ ସାମ୍ନାକୁ ଆସିନି କି କେଉଁ ଦେଶର ସ୍ୱାସ୍ଥ୍ୟ ବିଭାଗ ଏ ନେଇ ସରକାରୀ ସ୍ତରରେ ଘୋଷଣା କରିନାହାନ୍ତି ।

ତେବେ ମାତ୍ର ଏକ ପୋଷ୍ଟକୁ ଆଧାର କରି କେହି ବି କରୋନାଭାଇରସକୁ କଳାଜିରା ମାଧ୍ୟମରେ ମୁକାବିଲା ନ କରିବାକୁ ଆମେ ପରାମର୍ଶ ଦେବୁ । କରୋନା ସଂପର୍କିତ କୌଣସି ସନ୍ଦେହ ହେଲେ ସ୍ୱତନ୍ତ୍ର କୋଭିଡ୍‌-୧୯ ହସ୍ପିଟାଲରେ ଯୋଗାଯୋଗ କରିବାକୁ ଅନୁରୋଧ ।

Leave A Reply

Your email address will not be published.