Latest Odisha News

BREAKING NEWS

ଆଜିର ସମାଜରେ ସତ୍ୟ ଓ ଅହିଂସାର ପ୍ରାସଙ୍ଗିକତା ବହୁତ ଅଧିକ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସଚିବାଳୟରେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହଛନ୍ତି ଯେ ଆଜିର ସମାଜରେ ସତ୍ୟ ଓ ଅହିଂସାର ପ୍ରାସଙ୍ଗିକତା ବହୁତ ଅଧିକ ।

ଆହୁରି ମଧ୍ୟ କହିଛନ୍ତି ଯେ ମହାତ୍ମା ଗାନ୍ଧୀ ଥିଲେ ଯୁଗ ପୁରୁଷ । ଭାରତର ଆତ୍ମାର ପୁନଃ ଜାଗରଣ ପାଇଁ ସେ ଉଦ୍ୟମ କରିଥିଲେ । ଦେଶର ସ୍ୱାଧିନତା ତାଙ୍କର ଏକମାତ୍ର ଲକ୍ଷ୍ୟ ନଥିଲା, ସମାଜରେ ମୌଳିକ ମୂଲ୍ୟବୋଧର ବିକାଶ ଥିଲା ତାଙ୍କର ପ୍ରକୃତ ଲକ୍ଷ୍ୟ । ସେଥିପାଇଁ ସେ ସତ୍ୟ ଓ ଅହିଂସା ଉପରେ ଗୁରୁତ୍ୱ ଦେଉଥିଲେ । ଆଜିର ସମାଜରେ ତାଙ୍କର ଏହି ଦୁଇଟି ମନ୍ତ୍ରର ଗୁରୁତ୍ୱ ଅନେକ ବଢି ଯାଇଛି । ସେଥିପାଇଁ ସମ୍ବିଧାନର ମୁଖବନ୍ଧରେ ଅହିଂସାକୁ ସାମିଲ କରିବା ପାଇଁ ସେ ପ୍ରସ୍ତାବ ଦେଇଛନ୍ତି । ସାମାଜିକ ଅନ୍ୟାୟ ଓ ଦାରିଦ୍ର‌୍ୟ ବିରୋଧରେ ଅହିଂସା ହେଉଛି ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ସେ ଆହୁରି ମଧ୍ୟ କହିଥିଲେ ଯେ ମହାତ୍ମା ଗାନ୍ଧୀ ଖଦୀ କାର୍ଯ୍ୟକ୍ରମର ପ୍ରସାର ପାଇଁ ଓଡିଶାରୁ ହିଁ ପ୍ରେରଣା ପାଇଥିଲେ । ଏଥିସହିତ ଗାନ୍ଧୀ ଜୟନ୍ତୀର ସଫଳ ପାଳନ ପାଇଁ ସେ ଜୟନ୍ତୀ କମିଟିର ସବୁ ସଦସ୍ୟର ପ୍ରସ୍ତାବ ଆହ୍ୱାନ କରିବା ସହିତ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।

ଏହି ବୈଠକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ବିରୋଧି ଦଳ ନେତା ନରସିଂହ ମିଶ୍ର, ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ତଥା ଗାନ୍ଧୀବାଦୀ ଭବାନୀ ଚରଣ ପଟ୍ଟନାୟକ, ମନ୍ତ୍ରୀମଣ୍ଡଳର ସଦସ୍ୟ, ରାଜ୍ୟର ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ବିଶିଷ୍ଟ ଗାନ୍ଧୀବାଦୀ ନେତା, ଲେଖକ, ସାମ୍ବାଦିକ ଓ ବୁଦ୍ଧିଜୀବୀ ପ୍ରମୁଖ ଯୋଗ ଦେଇଥିଲେ ।

ସୂଚନାଯୋଗ୍ୟ ଯେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ପାଇଁ ସଂସ୍କୃତି ବିଭାଗ ପକ୍ଷରୁ ୫ଟି ସବ୍ କମିଟି ଗଠନ କରାଯାଇଛି ଏବଂ ଏହାସହିତ ଜୟନ୍ତୀ କମିଟିର ସଦସ୍ୟ ମାନଙ୍କ ମତାମତ ଗ୍ରହଣ କରାଯାଇ ଚଳିତ ଅକ୍ଟୋବର ୨ ତାରିଖରୁ ୨୦୨୦ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଦୁଇ ବର୍ଷ ଧରି ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ।

Leave A Reply

Your email address will not be published.