Latest Odisha News

BREAKING NEWS

କରୋନା ରୋକିବାକୁ ପଂଚାୟତ ସ୍ତରରେ ଉଦ୍ୟମ ହେଉ: ସମୀର ମହାନ୍ତି

ଭୁବନେଶ୍ୱର: କରୋନା ଭଳି ମହାମାରୀ ସମୟରେ ଓଡିଶାକୁ ସୁରକ୍ଷିତ ରଖିବା ପାଇଁ ସବୁ ସ୍ତରରେ ଉଦ୍ୟମ ଜାରି ରହିଛି । ପ୍ରବାସୀ ଭାଇ ଓ ଭଉଣୀମାନେ ଆମ ରାଜ୍ୟକୁ ପହଂଚିବା ଆରମ୍ଭ ହୋଇସାରିଛି ଏବଂ ଏହା ହିଁ ଆମ ସମସ୍ତଙ୍କ ପାଇଁ ସବୁଠୁ ବଡ ଆହ୍ୱାନ । ପଂଚାୟତ ସ୍ତରରେ ସେମାନଙ୍କ କ୍ୱାରେଂଟାଇନ ବ୍ୟବସ୍ଥାକୁ ସୁବନ୍ଦୋବସ୍ତ କରାଗଲେ କରୋନା ଯୁଦ୍ଧରେ ଆମର ବଡ ସଫଳତା ହେବ ବୋଲି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି ।

ସେ କହିଛନ୍ତି ଯେ, ରାଜ୍ୟର ସମସ୍ତ ୬୭୯୮ ପଂଚାୟତର ନିର୍ବାଚିତ ସରପଂଚ, ସମିତି ସଭ୍ୟ, ୱାର୍ଡ ମେମ୍ବରଙ୍କ ସମେତ ଜିଲ୍ଲା ପରିଷଦ ସଦସ୍ୟ, ଜିଲ୍ଲା ପରିଷଦ ସଭାପତି, ବ୍ଲକ ଚେୟାରମେନଙ୍କୁ ନିଜ ମୁଣ୍ଡ ଉପରେ ଦାୟିତ୍ୱ ନେଇ ସୁଚାରୁ ରୂପେ କାମ କରିବାକୁ ପଡିବ ।

ଏଭଳି ସମୟରେ ବାହାରୁ ଆସୁଥିବା ପ୍ରବାସୀଙ୍କୁ ନିଜ ପରିବାରର ସଦସ୍ୟ ଭାବେ ଗ୍ରହଣ କରି ତାଙ୍କର ଯତ୍ନ ନେବାକୁ ପଡିବ । ଯଦି ଆଗାମୀ କିଛି ସପ୍ତାହ ଧରି ନିର୍ବାଚିତ ପଂଚାୟତ ପ୍ରତିନିଧିମାନେ କଠିନ ପରିଶ୍ରମ କରିବେ ତେବେ ଓଡ଼ିଶା ଏବଂ ଓଡିଆ ଜାତିକୁ ମହାମାରୀ କରୋନା କବଳରୁ ରକ୍ଷା କରାଯାଇପାରିବ ବୋଲି ରାଜ୍ୟ ବିଜେପି ସଭାପତି କହିଛନ୍ତି ।

Comments are closed.