Latest Odisha News

୧୧ରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ, ରାଜ୍ୟକୁ ଲଘୁଚାପ ସତର୍କ ସୂଚନା

ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଏହାର ପାଶ୍ୱର୍ବର୍ତ୍ତୀ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେବାପରେ ଓଡ଼ିଶାରେ ୧୧ ଓ ୧୨ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି ।

ଏହାର ପ୍ରଭାବରେ ତାମିଲନାଡୁ, ପୁଡୁଚେରୀ, କେରଳ ଓ ଲାକ୍ଷାଦୀପରେ ପ୍ରବଳ ବର୍ଷା ସହିତ ସାମୁଦ୍ରିକ ଝଡ଼ ହେବାର ସମ୍ଭାବନା ରହିଛି । ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ୧୧ ଓ ୧୨ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ସୃଷ୍ଟି ହୋଇଛି ।

ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବିପର୍ଯ୍ୟୟ ପରିଚାଳନା ଡ଼ିଭିଜନ ଜାତୀୟ ଜରୁରୀକାଳୀନ ମୁକାବିଲା କେନ୍ଦ୍ର ପକ୍ଷରୁ ଓଡ଼ିଶା ସମେତ ସଂପୃକ୍ତ ରାଜ୍ୟର ମୁଖ୍ୟ ସଚିବଙ୍କ ନିକଟକୁ ଜରୁରୀ ବାର୍ତ୍ତା ପ୍ରେରଣ କରିବା ସହିତ ଏହାର ମୁକାବିଲା ଲାଗି ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହାର ପ୍ରଭାବରେ ଓଡ଼ିଶାରେ ୯ ଓ ୧୦ ତାରିଖରେ କୋହଲା ପାଗ ସହ ସାମାନ୍ୟ ବର୍ଷା ଅନୁଭୁତ ହେବ ।

ମାତ୍ର ୧୧ ଓ ୧୨ ତାରିଖରେ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବୃଷ୍ଟିପାତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର କର୍ତ୍ତୃପକ୍ଷ ସତର୍କ ସୂଚନା ଦେଇଛନ୍ତି ।

ଓଡ଼ିଶାର ଯେଉଁସବୁ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ସେହି ଜିଲ୍ଲା ଗୁଡ଼ିକ ହେଲା – ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ଖୋର୍ଦ୍ଧା, କଟକ, ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲା । ଅକ୍ଟୋବର ୯ ତାରିଖରୁ ୧୩ ତାରିଖ ଯାଏ ସମୁଦ୍ର ଅଶାନ୍ତ ରହୁଥିବା ହେତୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ବୃଷ୍ଟିପାତ ସମୟରେ ନିରାପଦ ସ୍ଥାନମାନଙ୍କରେ ଆଶ୍ରୟ ନେବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

Comments are closed.