ଭୁବନେଶ୍ୱର: ରାଜ୍ୟରେ ବସ୍ ଚଳାଚଳ କରିବାକୁ ସରକାର ଅନୁମତି ଦେଇସାରିଛନ୍ତି । ହେଲେ ଏଯାଏ ବସ୍ ସେବା ଆରମ୍ଭ ହୋଇପାରିନାହିଁ । ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସରକାରଙ୍କ ଅନୁମତିକୁ ସ୍ୱାଗତ କରିଥିଲେ ମଧ୍ୟ ବିଭିନ୍ନ ଦାବି ପୂରଣ ନହେଲେ ବସ୍ ଚାଲିବା ଅସମ୍ଭବ ବୋଲି କହିଛି । ବସ୍ ମାଲିକ ସଂଘ କହିଛି, ଲକଡାଉନ୍ ବେଳେ ବସ୍ କର୍ମଚାରୀ ନିଜ ନିଜ ଘରକୁ ଚାଲିଯାଇଛନ୍ତି । ସେମାନେ ରୋଜଗାର ପାଇଁ ଅନ୍ୟ କାମରେ ଲାଗିଛନ୍ତି । ତୁରନ୍ତ ସେମାନଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରାଯାଉ ।
ସେପଟେ ପରିବହନ ମନ୍ତ୍ରୀ କହିଛନ୍ତି, ବସ୍ ମାଲିକ ସଂଘର ଦାବି ପ୍ରତି ସରକାର ଅବଗତ ଅଛନ୍ତି । ସେମାନଙ୍କ ଦାବି ଉପରେ ତର୍ଜମା କରାଯାଉଛି ଏବଂ ରୋଡ୍ ଟ୍ୟାକ୍ସ ଛାଡ ପାଇଁ ପ୍ରକ୍ରିୟା ଚାଲିଛି । ଖୁବଶୀଘ୍ର ପଦକ୍ଷେପ ନିଆଯିବ । ସେହିପରି ପ୍ରବାସୀଙ୍କୁ ଆଣିବା ଦାୟିତ୍ୱରେ ଥିବା ମୋ ବସ୍, ସାନିଟାଇଜ କରାଯାଇ ଖୁବଶୀଘ୍ର ରାଜ୍ୟବାସୀଙ୍କୁ ସେବା ଯୋଗାଇବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି ।
ବସ୍ ଚଳାଚଳକୁ ନେଇ ବସ୍ ମାଲିକ ସଂଘ ଓ ସରକାରଙ୍କ ମଧ୍ୟରେ ଅଙ୍କ ଛିଣ୍ଡୁନଥିବା ବେଳେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ବସ୍ ମାଲିକ ସଂଘ ସହ ଆଲୋଚନା କରି ଘୋଷଣା କରିଥିଲେ, ଏଭଳି ପରିସ୍ଥିତି ଉପୁଜିନଥାନ୍ତା । ନିର୍ଦ୍ଦିଷ୍ଟ ନିଷ୍ପତି ଓ ନୀତି ନରଖି ସରକାର ଘୋଷଣା କରୁଛନ୍ତି ।
Comments are closed.