Latest Odisha News

ଆଜି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ, ‘ଓଡ଼ିଆ ବିଶ୍ୱବିଦ୍ୟାଳୟ’ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଆଜି ହେଉଛି ଜନ୍ମଦିନ । ସେ ୧୮୭୭ ମସିହା ଅକ୍ଟୋବର ୯ ତାରିଖରେ ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ଅନ୍ତର୍ଗତ ସୁଆଣ୍ଡୋ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।

ଦିନଦରିଦ୍ରଙ୍କ ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଗୋପବନ୍ଧୁ ଦାସ ଥିଲେ ଏକାଧାରାରେ ଜଣେ ଦେଶପ୍ରେମୀ, ସମାଜସେବୀ, ସଂଗଠକ, ସଂସ୍କାରକ ତଥା ସାହିତ୍ୟିକ ।

ଆଜୀବନ ତ୍ୟାଗମନ୍ତ୍ରରେ ଦୀକ୍ଷିତ ଏହି ତପସ୍ୱୀ ସାଧକ ଦୀନ ଦରିଦ୍ରଙ୍କର ବନ୍ଧୁ ଭାବରେ ବେଶ ଜଣାଶୁଣା ଥିଲେ । ୧୯୦୯ ମସିହାରେ ସାକ୍ଷୀଗୋପାଳ ବନ ବିଦ୍ୟାଳୟ ପ୍ରତିଷ୍ଠା କରିବା ସହ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

ତାଙ୍କର ସାରସ୍ୱତ ରଚନା ମଧ୍ୟରୁ ‘ବନ୍ଦୀର ଆତ୍ମକଥା’, ‘କାରା କବିତା’, ‘ଧର୍ମପଦ’, ‘ନଚିକେତା ଉପାଖ୍ୟାନ’, ‘ଗୋ-ମାହାତ୍ମ୍ୟ’, ‘ଅବକାଶ ଚିନ୍ତା’ ଥିଲା ଅନ୍ୟତମ ।

ଆଜି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପବିତ୍ର ଜନ୍ମତିଥିରେ ସତ୍ୟବାଦୀରେ ପ୍ରତିଷ୍ଠା ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ । ଉତ୍କଳମଣୀଙ୍କ ଜୟନ୍ତି ଅବସରରେ ସତ୍ୟବାଦୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ସତ୍ୟବାଦୀର ବକୁଳବନରେ ପଣ୍ଡିତ ଗୋପବନ୍ଧୁ ଦାସ ହିଁ ପ୍ରତିଷ୍ଠା କରିଥିଲେ ଆଦର୍ଶ ବନ ବିଦ୍ୟାଳୟ । ଓଡ଼ିଆ ନବଜାଗରଣର ପୀଠ ସତ୍ୟବାଦୀର ବକୁଳ ବନ ଶିକ୍ଷା କ୍ଷେତ୍ରରେ ଏକ ଆଦର୍ଶ ପୀଠ ଭାବେ ପ୍ରସିଦ୍ଧି ଲାଭ କରିପାରିଥିଲା ।

ଗୋପବନ୍ଧୁଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିବା ଏହି ବକୁଳବନ ନିକଟରେ ହିଁ ରାଜ୍ୟ ସରକାର ଓଡ଼ିଆ ବିଶ୍ୱବିଦ୍ୟାଳୟ ନିର୍ମାଣ ଆରମ୍ଭ କରିବାକୁ ଯାଉଛନ୍ତି । ଗତ ଜୁଲାଇ ମାସରେ ରାଜ୍ୟ ସରକାର ଏହି ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଐତିହ୍ୟ କ୍ୟାବିନେଟ ଅନୁମୋଦନ କରିଥିଲେ ।

Leave A Reply

Your email address will not be published.