Latest Odisha News

BREAKING NEWS

ଅଭିଜିତଙ୍କୁ ଗୃହ କମିଟିର ନୋଟିସ, ୨୩ ରେ ହାଜର ହେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ସାମ୍ବାଦିକ ଅଭିଜିତ ଆୟାର ମିତ୍ରଙ୍କୁ ଗୃହ କମିଟି ନୋଟିସ ଜାରି କରି ଆସନ୍ତା ଅକ୍ଟୋବର ୨୩ ତାରିଖରେ ଓଡ଼ିଶା ବିଧାନସଭା କକ୍ଷରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ପୂର୍ବରୁ ଓଡ଼ିଶାର ବିଧାୟକମାନଙ୍କ ସମ୍ପର୍କରେ କଟୁ ଟିପ୍ପଣୀ ଦେଇଥିବା ଅଭିଜିତଙ୍କୁ ଓଡ଼ିଶା ବିଧାନସଭା ଗୃହ କମିଟି ପକ୍ଷରୁ ସ୍ୱାଧିକାର ଭଙ୍ଗ ନୋଟିସ ଜାରି କରାଯାଇଥିଲା । ସେ ୧୧ ଅକ୍ଟୋବର ଦିନ ଓଡ଼ିଶା ବିଧାନସଭା କକ୍ଷରେ ଗୃହ କମିଟି ଆଗରେ ହାଜର ହେବାକୁ ମଧ୍ୟ ଇ-ମେଲ ଯୋଗେ କହିଥିଲେ । ମାତ୍ର ପତ୍ର ଦ୍ୱାରା ଗୁରବାର ଦିନ କ୍ଷମା ମାଗି ବାଚସ୍ପତିଙ୍କ ସଚିବଙ୍କ ନିକଟକୁ ଇ-ମେଲ କରିଥିଲେ ।

ଏସମ୍ପର୍କରେ ଗୁରୁବାର ଦିନ ଗୃହ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର ବୈଠକ ଶେଷରେ ଗଣମାଧ୍ୟମକୁ ସୂଚନାଦେଇ କହିଛନ୍ତି, “ଅଭିଜିତ ଗୃହ କମିଟି ଆଗରେ ହାଜର ହେବା କଥା ଇ-ମେଲ କରି କହିଥିଲେ । ମାତ୍ର ସେ ନିଜେ ନିଜେ ଗୃହ କମିଟି ସାମ୍ନାକୁ ନଆସି ଇ-ମେଲ ମାଧ୍ୟମରେ ପୂର୍ବରୁ ଦେଇଥିବା ଅରୁଚିକର ମନ୍ତବ୍ୟ ଲାଗି ବାଚସ୍ପତିଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି । ଅଭିଜିତ ଇ-ମେଲ ମାଧ୍ୟମରେ ଉଲ୍ଲେଖ କରିଛନ୍ତି “ମୁଁ ଯେଉଁ ଅକ୍ଷମଣୀୟ ଅପରାଧ କରିଛି, ସେଥିଲାଗି ମୁଁ କ୍ଷମା ପ୍ରାର୍ଥନା କରୁଛି” ।”

ଅବଶ୍ୟ ସେ ଓଡ଼ିଶାରେ ଘଟିତ ବାତ୍ୟା ପରିସ୍ଥିତି ଯୋଗୁଁ ଗୃହ କମିଟି ଆଗରେ ଉପସ୍ଥିତ ହୋଇ ପାରିନାହାନ୍ତି, ଏହି କାରଣ ଯୋଗୁଁ ଗୃହ କମିଟି ତାଙ୍କର ଅନୁପସ୍ଥିତିକୁ ହୃଦୟଙ୍ଗମ କରି ଅପରାଧ ଭାବେ ବିବେଚନା କରୁନାହିଁ, ବୋଲି ଗୃହ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ଗୃହ କମିଟି ଅଭିଜିତଙ୍କୁ ଅକ୍ଟୋବର ୨୩ ତାରିଖ ଦିନ ୧୧ଟା ବେଳେ ହାଜର ହେବାକୁ ନୋଟିସ ଜାରି କରିବାକୁ ନିଷ୍ପତ୍ତି ନେଇଛି, ଏବାବଦରେ ପୋଲିସ ଡ଼ିଜିଙ୍କୁ ଅବଗତ କରାଯାଇ ତାଙ୍କୁ ଯଥାଶିଘ୍ର ନୋଟିସ ପ୍ରଦାନ କରାଯିବ ।

ଏଠାରେ ସୂଚନାଯୋଗ୍ୟ, ଗତ ମୌସୁମୀ ବର୍ଷା ଅଧିବେସନର ଅନ୍ତିମ ଦିବସ ଅର୍ଥାତ ସେପ୍ଟେମ୍ବର ୨୦ ତାରିଖ ଦିନ ବାଚସ୍ପତି ପ୍ରଦୀପ ଅମାତ ଏହି ବିଷୟର ତଦନ୍ତ କରିବା ନେଇ ବିରୋଧି ଦଳ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ ଏକ ୬ ଜଣିଆ ଗୃହ କମିଟି ଗଠନ କରିଥିଲେ । ଏହି ଗୃହ କମିଟିରେ ଅଧ୍ୟକ୍ଷ ନରସିଂହ ମିଶ୍ରଙ୍କ ସମେତ, ଦେବୀ ପ୍ରସାଦ ମିଶ୍ର, କେ ଭି ସିଂହଦେଓ, ପ୍ରମିଳା ମଲ୍ଲିକ, ଅରୁଣ ସାହୁ ଏବଂ ସଂଜୟ ଦାସବର୍ମା ଅନ୍ୟ ସଦସ୍ୟ ଭାବେ ରହିଥିଲେ ।

ତେବେ ଏସମ୍ପର୍କରେ ଗୃହ କମିଟି ତାହାର ଚୂଡ଼ାନ୍ତ ନିଷ୍ପତ୍ତି ବିଧାନସଭାର ଆସନ୍ତା ଅଧିବେଶସନର ପ୍ରଥମ ଦିନରେ ହିଁ ରିପୋର୍ଟ ଦାଖଲ କରିବ ବୋଲି ସୂଚନା ମିଳିଛି ।

 

ଉଲ୍ଲେଖଯୋଗ୍ୟ ଏହାକି, ସାମ୍ବାଦିକ ଅଭିଜିତ ଆୟାର ମିତ୍ର ଓ ତାଙ୍କ ବନ୍ଧୁ ଆରତୀ ଟିକ୍କୋ ସିଂହ କେନ୍ଦ୍ରାପଡ଼ା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହିତ ହେଲିକପ୍ଟର ଯୋଗେ ପୁରୀ ଓ କୋଣାର୍କ ଆକାଶରେ ବୁଲାବୁଲି କରିଥିଲେ ।

ଏହି ସମୟରେ କୋଣାର୍କ ମନ୍ଦିରର ଭିଡ଼ିଓ ଚିତ୍ର ଉତ୍ତୋଳନ କରି ଏଥିରେ କୋଣାର୍କ ମନ୍ଦିର ସମ୍ପର୍କରେ କଟୁ ଟିପ୍ପଣୀ ଦେଇ ସୋସିଆଲ ମିଡ଼ିଆରେ ଅପଲୋଡ଼ କରିଥିଲେ ଅଭିଜିତ ।

Leave A Reply

Your email address will not be published.