Latest Odisha News

ଫୋନରେ ପତ୍ନୀଙ୍କୁ ଦେଲେ ତିନି ତଲାକ, ଗିରଫ କଲା ପୋଲିସ

କଟକ: ପତ୍ନୀଙ୍କୁ ଫୋନ ମାଧ୍ୟମରେ ‘ତିନି ତଲାକ୍‌’ ଦେଇଥିବା ଅଭିଯୋଗରେ କମିଶନରେଟ୍ ପୋଲିସ ରବିବାର ଦିନ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଅଦାଲତ ଜାମିନ ନଦେବା ଫଳରେ ଏହି ଅଭିଯୁକ୍ତଙ୍କୁ ଚୌଦ୍ୱାର ସର୍କଲ୍ ଜେଲକୁ ପଠାଇ ଦିଆଯାଇଛି ।

ଗଣମାଧ୍ୟମକୁ ସୂଚନାଦେଇ କଟକ ଡିସିପି ଅଖିଳେଶ୍ୱର ସିଂହ କହିଛନ୍ତି ଯେ, ବରକାତୁଲ୍ଲାହ ଖାନ୍ (୩୨) ନାମକ ଦେୱାନ ବଜାର ନିବାସୀ ଏହି ଅଭିଯୁକ୍ତ ଜଣକ ସାତ ମାସ ପୂର୍ବରୁ ନିଜ ପତ୍ନୀ ମୁନ୍ନୀ ଖାତୁନ (୨୯) ଙ୍କୁ ଫୋନ ମାଧ୍ୟମରେ ତିନି ତଲାକ୍ ଦେଇଥିଲେ ।

ଯାଜପୁର ଜିଲ୍ଲା ଅନ୍ତର୍ଗତ କୋରେଇ ଅଞ୍ଚଳର ତିନିଟି ସନ୍ତାନର ଜନନୀ ମୁନ୍ନୀ ଖାତୁନଙ୍କ ଠାରୁ ମହିଳା ଥାନା ଏନେଇ ଏକ ଅଭିଯୋଗ ପାଇଥିଲେ । ସେ ବରକାତୁଲ୍ଲାହଙ୍କୁ ୨୦୧୧ରେ ବିବାହ କରିଥିଲେ । ଘରୋଇ ଝଗଡ଼ା ଯୋଗୁଁ ମୁନ୍ନୀଙ୍କୁ ଦେୱାନ ବଜାରସ୍ଥିତ ବାସ ଭବନରେ ରଖିବାକୁ ଅନୁମତି ଦିଆଯାଉନଥିଲା । ସେମାନେ କଟକରେ ଏକ ଭଡ଼ା ଘରେ ରହୁଥିଲେ ଏବଂ ପରେ ଭୁବନେଶ୍ୱରକୁ ସ୍ଥାନାନ୍ତରିତ ହୋଇଥିଲେ ।

ଅଭିଯୋଗକାରିଣୀ କହିଛନ୍ତି ଯେ, ତାଙ୍କ ସ୍ୱାମୀ ଚାକିରୀ ଅନ୍ୱେଷଣରେ ବେଙ୍ଗାଲୁରୁ ଯାଇଥିଲେ ଏବଂ ସେଠାରୁ ସେ ଫୋନ ମାଧ୍ୟମରେ ତିନି ତଲାକ ଦେଇଥିଲେ ।

ଏପରିକି ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ୱାମୀ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳର ଜଣେ ମହିଳାଙ୍କୁ ବିବାହ କରିଛନ୍ତି ।

Leave A Reply

Your email address will not be published.