Latest Odisha News

BREAKING NEWS

ଗଜପତି ପାହାଡ଼ ଧସିବା ଘଟଣା: ମୃକକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା

ଭୁବନେଶ୍ୱର: ଗଜପତି ଜିଲ୍ଲାରେ ପାହାଡ଼ ଧସି ମୃତ୍ୟୁ ବରଣ କରିଥିବା ୧୬ ଜଣଙ୍କ ପରିବାରକୁ ରବିବାର ଦିନ ରାଜ୍ୟ ସରକାର ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ରାଜ୍ୟ ସଚିବାଳୟଠାରେ ଅନୁଷ୍ଠିତ ଏକ ସଚିବସ୍ତରୀୟ ବୈଠକରେ ବାତ୍ୟା ପ୍ରଭାବିତ ୩ଟି ଜିଲ୍ଲାରେ ରିଲିଫ କ୍ୟାମ୍ପ ଆଜି ବନ୍ଦ ହେବାର ନିଷ୍ପତ୍ତି ମଧ୍ୟ ହୋଇଛି ।

ଏସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ କହିଛନ୍ତି, “ମହେନ୍ଦ୍ରଗିରି ପାଦଦେଶରେ ବଡ଼ଘର ଗ୍ରାମର ୭୫ଟି ପରିବାର ରହୁଛନ୍ତି । ଭାରତୀୟ ପାଣିପାଗ ବିଭାଗର ସତର୍କ ସୂଚନାନୁସାରେ ଜିଲ୍ଲା ପ୍ରଶାସନ ୬୮ଟି ପରିବାରକୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରିଥିଲେ । ତେବେ ୭ଟି ପରିବାର ପ୍ରଶାସନର ଅନୁରୋଧ ସତ୍ତେ୍ୱ ସେହି ପୂର୍ବସ୍ଥାନରେ ରହିିଥଲେ । ଫଳରେ ସେହି ୭ଟି ପରିବାରର ଅଧିକାଂଶ ବ୍ୟକ୍ତି ପାହାଡ଼ ଧସିବାରୁ ମୃତ୍ୟୁବରଣ କରିଛନ୍ତି । ରାଜ୍ୟ ସରକାର ସମସ୍ତ ମୃତକଙ୍କ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି” ବୋଲି କହିଛନ୍ତି ଏସଆରସି ବିଷ୍ଣୁପଦ ସେଠୀ ।

ଏବେ ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଳାର ପ୍ରଭାବିତ ଅଞ୍ଚଳରେ ପରିସ୍ଥିତି ସ୍ୱାଭାବିକ ଅବସ୍ଥାକୁ ଆସିଛି । ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ ହୋଇଥିବା ଗ୍ରାମବାସୀମାନେ ନିଜ ବାସଗୃହକୁ ଆସିଲେଣି ।

ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ସମସ୍ତ ବାତ୍ୟା ଓ ବନ୍ୟା ପ୍ରପିଡ଼ିତ ପରିବାରମାନଙ୍କୁ ଦୈନିକ ୬୦ଟଙ୍କା ଏବଂ କନିଷ୍ଠ ମାନଙ୍କ ଲାଗି ୪୫ଟଙ୍କା ଆକାରରେ ରିଲିଫ ପ୍ରଦାନ କରାଯିବ । ସମସ୍ତ ବାତ୍ୟା ବନ୍ୟା ପ୍ରପୀଡ଼ିତ ବ୍ୟକ୍ତିମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଏହି ରିଲିଫ ରାଶି ଜମା କରାଯିବାର ବ୍ୟବସ୍ଥା ହୋଇଛି ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।

ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ସୂଚନା ଦେଇ କହିଛନ୍ତି, ପ୍ରାକୃତିକ ଦୁର୍ବପାକଗ୍ରସ୍ତ ୩ଟି ଜିଲ୍ଲାକୁ ଅଧିକ ଏନଡ଼ି୍ଆରଏଫ ଓ ଓଡ୍ରାଫ ଟିମ ପଠାଯିବା ସହିତ ବିଭିନ୍ନ ସ୍ଥାନକୁ ଅଧିକ ଅଫିସର ରିଲିଫ ବଣ୍ଟନ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଯିବେ ।

Leave A Reply

Your email address will not be published.