ନୂଆଦିଲ୍ଲୀ: ବାବା ରାମଦେବଙ୍କ ‘ପତଞ୍ଜଳି’ ଦାବି କରିଛି ଯେ, କରୋନା ରୋଗୀ ସୁସ୍ଥ ହୋଇପାରିବେ । ପ୍ରାୟ ୧୦୦ ଜଣ କରୋନା ରୋଗୀଙ୍କର କରୋନା ଚିକିତ୍ସା କରାଯାଇଥିବା ବେଳେ ଶତ ପ୍ରତିଶତ ରୋଗୀ ଏହି ଚିକିତ୍ସାରେ ସଫଳ ହୋଇଥିବା ନେଇ ଦାବି କରିଛନ୍ତି ‘ପତଞ୍ଜଳି’ ଅନୁଷ୍ଠାନର ସିଇଓ ଆଚାର୍ଯ୍ୟ ବାଳକୃଷ୍ଣ ।
ଏନେଇ ଜାତୀୟ ଗଣମାଧ୍ୟମରେ ମଧ୍ୟ କେତେକ ରିପୋର୍ଟ ପ୍ରକାଶିତ ହୋଇଛି, ରିପୋର୍ଟ ଅନୁଯାୟୀ ଇନ୍ଦୋର ଓ ଜୟପୁରରେ ଏନେଇ କ୍ଲିନିକାଲ୍ ପରୀକ୍ଷା କରାଯାଇଥିଲା । ଏହି ସଫଳତା ପରେ କେନ୍ଦ୍ରୀୟ ନିୟନ୍ତ୍ରକଙ୍କ ଅନୁମୋଦନ ଅପେକ୍ଷାରେ ରହିଛି ପତଞ୍ଜଳି ଅନୁଷ୍ଠାନ ।
ଆଚାର୍ଯ୍ୟ ବାଳକୃଷ୍ଣ ଗଣମାଧ୍ୟମକୁ ସୂଚନାଦେଇ କହିଛନ୍ତି ଯେ, କରୋନା ମହାମାରୀ ବ୍ୟାପିବା ପରେ କେତେକ ବୈଜ୍ଞାନିକମାନଙ୍କୁ ନେଇ ଗବେଷଣା ନିମନ୍ତେ ଏକ ଟିମ୍ ଗଠନ କରାଯାଇଥିଲା । ଅନୁଷ୍ଠାନ ପକ୍ଷରୁ ଔଷଧ ତିଆରି କରାଯାଇ ଇନ୍ଦୋର ଓ ଜୟପୁରରେ ଏକ ପ୍ରଚେଷ୍ଟା ମୂଳକ କ୍ଲିନିକାଲ୍ ପରୀକ୍ଷା ହୋଇଥିଲା । ଏଥିରେ ରୋଗୀମାନଙ୍କୁ ୫ରୁ ୧୪ ଦିନ ଧରି ଚିକିତ୍ସା କରାଯିବା ପରେ ସଫଳତା ହାସଲ ହୋଇଥିବା ନେଇ ବାଳକୃଷ୍ଣ କହିଛନ୍ତି ।
କରୋନା ଉପଚାର ନିମନ୍ତେ ‘ପତଞ୍ଜଳି’ ପକ୍ଷରୁ କରୋନିଲ୍ ନାମକ ଏକ ଔଷଧ ନିର୍ମିତ ହୋଇଛି । କରୋନିଲ୍ ଔଷଧରେ ଅଶ୍ୱଗନ୍ଧା, ଗିଲୋଏ ଏବଂ ତୁଳସୀ ସମ୍ମିଶ୍ରଣ କରାଯାଇ ତିଆରି କରାଯାଇଛି ଏବଂ ଏହି ଔଷଧ ଦିନକୁ ଦୁଇଥର ପାନ କରିବାକୁ ଦିଆଯାଇଥାଏ ।
“ଆମେ ରୋଗ ପ୍ରତିରୋଧ କଥା କହୁନାହୁଁ ଆମେ ରୋଗର ସମ୍ପୂର୍ଣ୍ଣ ଚିକିତ୍ସା କଥା କହୁଛୁ,” ବୋଲି ଆଚାର୍ଯ୍ୟ ବାଳକୃଷ୍ଣ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
Comments are closed.