Latest Odisha News

ସ୍ୱଳ୍ପ ଖର୍ଚ୍ଚ, ସ୍ୱଳ୍ପ ସମୟ ଓ ଅଧିକ ଆୟର ମାଧ୍ୟମ – ଜୈବିକ କୃଷି

(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’)

ଚାଷ – ଏକ ବ୍ୟବସାୟ ନୁହେଁ ବରଂ ଏକ ସ୍ୱର୍ଗୀୟ ଅନୁଭବ । ଆଉ ପୁଣି ଧରିତ୍ରୀମାତା ସହ ଏକ ମାର୍ମିକ ସମ୍ପର୍କ । ରାତି ପାହିଲେ ହାତରେ ଲଙ୍ଗଳ , କାନ୍ଧରେ ଗାମୁଛା ଆଉ ପଖାଳ ମୁଠେ ଖାଇଦେଇ ଆରମ୍ଭ ହୋଇଯାଏ ଚାଷର ପର୍ବ । ସତରେ ଏକ ମହାର୍ଘ୍ୟ ଅନୁଭୂତିର ଅବଲୋକନ । ପାରମ୍ପରିକ କୃଷିକୁ ଛାଡ଼ି ଏବର ସମାଜରେ ଆଧୁନିକତାର ସ୍ପର୍ଶ ଗାଁ କ୍ଷେତରେ ବି ଦେଖାଗଲାଣି । ରାସାୟନିକ ସାରର ବହୁଳ ବ୍ୟବହାର ଏବେ ସବୁଆଡ଼େ ଆମ ଦୃଷ୍ଟିକୋଣରେ ପରିଲକ୍ଷିତ । କିନ୍ତୁ ଆମ ଅଜାଣତରେ ଆମେ ନିଜେ ନିଜର ଶରୀରର କେତେ ଯେ କ୍ଷତି କରୁଛନ୍ତି , ସେକଥା ଜାଣି ନାହାନ୍ତି । ତେଣୁ ଏହି ଆଧୁନିକତାକୁ ଦ୍ୱାହି ଦେଇ ଏବେ ଜୈବିକ କୃଷିର ବ୍ୟବହାରକୁ ପ୍ରାଥମିକତା ଦିଆଯାଉଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ବି ପରମ୍ପରାଗତ କୃଷି ବିକାଶ ଯୋଜନା ଦ୍ୱାରା ଜୈବିକ କୃଷିକୁ ଲୋକପ୍ରିୟ କରାଯାଇପାରୁଛି । ୨୦୨୨ ସୁଦ୍ଧା ଚାଷୀର ଆୟକୁ ଦୁଇଗୁଣ କରିବାର ଲକ୍ଷ୍ୟ ଜୈବିକ କୃଷି ଦ୍ୱାରାପୂରଣ କରାଯାଇପାରିବ । କମ ଖର୍ଚ୍ଚ , ସ୍ୱଳ୍ପ ସମୟ ଓ ଅଧିକ ଆୟର ମାଧ୍ୟମ ଏହି ଜୈବିକ କୃଷି ।

ନୀମାସ୍ତ୍ର – ଜୈବିକ କୃଷି କ୍ଷେତ୍ରରେ ନୀମାସ୍ତ୍ରର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହା ରାସାୟନିକ କୀଟନାଶକ ପରିବର୍ତ୍ତେ ବ୍ୟବହାର କରାଯାଏ ।

ଅଧିକ ପଢନ୍ତୁ: ଅନାଦର ନୁହେଁ, ଗ୍ରହଣ କରନ୍ତୁ…

ଆବଶ୍ୟକୀୟ ଉପାଦାନ –
ପାଣି-୧୦୦ ଲିଟର
ଗୋବର – ୫ କିଗ୍ରା
ଗୋମୂତ୍ର – ୫ ଲିଟର
ନିମ୍ବ ପତ୍ର – ୫ କିଗ୍ରା

ପ୍ରସ୍ତୁତି ପ୍ରଣାଳୀ –

୧୦୦ ଲିଟର ପାଣିରେ ୫ ଲିଟର ଗୋମୂତ୍ର ମିଶାଇଦିଅନ୍ତୁ । ଏହା ସହ ସେଥିରେ ୫କିଗ୍ରା ଗୋବରକୁ ବି ମିଶେଇଦିଅନ୍ତୁ । ପାଖରେ ଥିବା ୫କିଗ୍ରା ନିମ୍ବପତ୍ରକୁ ଗୁଣ୍ଡ କରନ୍ତୁ ଓ ଏହାକୁ ଉପରୋକ୍ତ ପାଣିରେ ମିଶାନ୍ତୁ । ଏହାକୁ ୨୪ ଘଣ୍ଟା ଯାଏଁ ରଖନ୍ତୁ । ଦିନକୁ ଦୁଇଥର ଲେଖାଏଁ ଘାଣ୍ଟନ୍ତୁ । ଶେଷରେ ଏହାକୁ ଛାଣି ବ୍ୟବହାର କରନ୍ତୁ ।

ରଖିବା ସ୍ଥାନ – ଏହି ଦ୍ରବଣକୁ ସବୁବେଳେ ସକାଳ ଓ ସନ୍ଧ୍ୟା ଦୁଇ ସମୟରେ ଘାଣ୍ଟିବା ଦରକାର । ଏହାକୁ ଏକ ଛାଇ ସ୍ଥାନରେ ରଖିବା ଆବଶ୍ୟକ । ମଶା , ମାଛି ନବସିବା ପାଇଁ ଏହାକୁ ଜାଲ ଦ୍ୱାରା ଘୋଡ଼େଇଦିଆଯାଏ ।
ପ୍ରୟୋଗ ସମୟ – ସକାଳ ୬ଟାରୁ ୮.୩୦ ଓ ସନ୍ଧ୍ୟା ୪ଟାରୁ ୬.୩୦

ଆଜୋଲା : ଏହା ଏକପ୍ରକାର ଦଳ । ଏହାର ପତ୍ରଗୋଲରେ ନୀଳହରିତ ଶୈବାଳ ବାସ କରି ଯବକ୍ଷାରଜାନ ନିବନ୍ଧିତ କରେ । ଏହି ଦଳ ଖୁବ୍‌ଶୀଘ୍ର ବଂଶବିସ୍ତାର କରି ବଢିପାରେ । ଧାନ ରୋଇବା ପୂର୍ବରୁ ବା ବେଉଷଣ କରିବାର ୨/୩ ସପ୍ତାହ ଆଗରୁ ଜମିରେ ୪ଇଂଚ ଠିଆ ପାଣି ରଖି ଆଜୋଲା ଦଳ ଛାଡ଼ି ଦିଆଯାଏ । ଏଥିପାଇଁ ହେକ୍ଟର ପିଛା ୧୦୦୦ କିଗ୍ରା ଛଣା ଆଜୋଲା ଦଳ ଆବଶ୍ୟକ । ଏହି ପରିମାଣ ଆଜୋଲା ଦଳ ପାଇବା ପାଇଁ ଆଗରୁ ପୋଖରୀ ବା ପାଣି ଜମି ରହୁଥିବା କୌଣସି ଖାଲୁଆ ସ୍ଥାନରେ ଆଜୋଲା ଦଳର ବଂଶ ବିସ୍ତାର କରିପାରେ ଏବଂ ସେଠାରୁ ସଂଗ୍ରହ କରି ଆଣି ଧାନ ଜମି ରେ ଛଡ଼ାଯାଏ । ଆଜୋଲା ଦଳ ଶୀଘ୍ର ବଢିବା ପାଇଁ ଓ ବଂଶବିସ୍ତାର ଲାଭ କରିବା ପାଇଁ ମୃତ୍ତିକାର ଗ୍ରହଣୀୟ ଫସ୍‌ଫେଟ ପରିମାଣ ଅଧିକ ହେବା ଦରକାର । ତା ନହେଲେ ଆଜୋଲା ଦଳ କିଆରୀରେ ପକାଇବା ସମୟରେ ପ୍ରତି ୭/୮ ଦିନ ବ୍ୟବଧାନରେ ରକ୍ ଫସଫେଟ୍ ପ୍ରୟୋଗ କରାଯାଏ । ଏହି ଫସ୍‌ଫେଟ୍ ସାର ପରବର୍ତ୍ତୀ ଧାନ ଫସଲର ଆବଶ୍ୟକତାକୁ ପୂରଣ କରେ । ଆଜୋଲା ବିସ୍ତାର ଲାଭ କରିବା ପାଇଁ ୪-୫ ସପ୍ତାହ ଲାଗେ । ତା ପରେ ଜମିରୁ ପାଣି ନିଗାଡ଼ି ଦେଇ ଚଷିଦେଲେ ଆଜୋଲା ଦଳ ମୃର୍ତ୍ତିକାରେ ମିଶିଯାଏ ଓ ଖୁବଶୀଘ୍ର ସଢିଯାଏ । ଆଜୋଲା ଦ୍ୱାରା ଧାନ ଫସଲ ପାଇଁ ୧ ହେକ୍ଟର ପିଛା ୧୦-୩୦ କିଗ୍ରା ଯବକ୍ଷାରଜାନ ମୃର୍ତ୍ତକାରେ ମିଶେ ।

ଅଧିକ ପଢନ୍ତୁ: ଦରଦୀ ପ୍ରାଣର ମହାନ ବ୍ୟକ୍ତିତ୍ୱ

ଧାନ ରୋଇବା ପରେ ବା ବେଉଷଣ କରିସାରିବା ପରେ ମଧ୍ୟ ଜମିରେ ପାଣି ରଖି ଆଜୋଲା ଛାଡ଼ି ଦିଆଯାଏ ଏବଂ ଆଜୋଲା ବିସ୍ତାର ଲାଭ କଲାପରେ ଜମିରୁ ପାଣି ନିଷ୍କାସନ କରିଦେଲେ ଆଜୋଲା ମାଟିରେ ସଢି ମିଶିଯାଏ ।

ଆଜୋଲା ଏହିଭଳି ଏକ ଜଳଜାତୀୟ ଫର୍ଣ୍ଣ । ଏହା ମୁଖ୍ୟତଃ ଧାନ ଫସଲରେ ବ୍ୟବହୃତ ହୁଏ । ଆଜୋଲ, ନାଇଟ୍ରୋଜେନ୍ ଫିକ୍ସିଙ୍ଗ୍ ଆନବେନା ସହ ମିଶି ଏକ ପ୍ରମୁଖ ଜୈବିକ ସାରର ଭୂମିକା ନିଭାଇଥାଏ । ଆଜୋଲା ଧାନ ଚାରାର ଧାଡ଼ି ଧାଡ଼ିରେ ମଧ୍ୟ ବଢ଼ାଯାଇପାରେ ଏବଂ ଏହାପରେ ଏହାକୁ ନେଇ ପ୍ରୟୋଗ କରାଯାଏ । ବାୟୋମାସ୍ ଉତ୍ପାଦନ ପାଇଁ ଏହାକୁ ବ୍ୟବହାର କରାଯାଇଥାଏ । ଦ୍ରୁତ ନାଇଟ୍ରୋଜେନ୍ ଫିକ୍ସିଙ୍ଗ୍ ଭାବେ ମଧ୍ୟ ଆଜୋଲା ପିନଟା ବ୍ୟବହୃତ ହୁଏ । ଏତଦ୍‌ଭିନ୍ନ ଆଜୋସ୍ପିରିଲମ୍ ମଧ୍ୟ ବ୍ୟବହାର କରାଯାଏ । ଏହି ସବୁ ବର୍ତ୍ତମାନ ସମୟରେ ଏକ ଯୁଗାନ୍ତକାରୀ ପଦକ୍ଷେପ । କୃଷି କ୍ଷେତ୍ରରେ ଏହାର ଉପଯୋଗ ଉତ୍ପାଦନରେ ଶତଗୁଣ ବୃଦ୍ଧି କରିବା ସହ ହାନିକାରକ ହୋଇ ନଥାଏ ।

ଜୀବାମୃତ :-
ଜୈବିକ କୃଷି ଏବେ ସମସ୍ତେ ଆପଣେଇବାକୁ ବେଶ ତତ୍ପର । ସେ ଘର ବାଡ଼ିବଗିଚା ହଉ କି ଚାଷ କ୍ଷେତ ସବୁଠି ପାରମ୍ପରିକ କୃଷି ପଦ୍ଧତିର ଅନ୍ତ କରି ଜୈବିକ ପ୍ରଣାଳୀରେ ଅମଳ କରିବାର ଚିନ୍ତା ଏବେ ଚାଷୀଙ୍କ ମୁଣ୍ଡରେ । ଜିଆଖତ, ପଞ୍ଚଗବ୍ୟ, ଦଶଗବ୍ୟର ବ୍ୟବହାର ଏବେ ଅନେକ ଅବଲମ୍ବନ କରି/ ବ୍ୟବହାର କରି ଆଖିଦୃଷ୍ଟିଆ ଲାଭ ପାଇବାର ଲକ୍ଷ୍ୟ କରାଯାଉଛି । ଜୈବିକ କୃଷିର ଏସବୁ ମୁଖ୍ୟ ଉପାଦାନ ଭାବେ ଏହା ବେଶ ଆଦୃତ ହୋଇପାରିଛି । ତେବେ ଏସବୁ ବାଦ୍ ସମ୍ପ୍ରତି ଜୈବିକ କୃଷି ପାଇଁ ଜୀବାମୃତ କୁ ବ୍ୟବହାର କରାଯାଉଛି ଯାହାକି ଏକ ତରଳ ଜୈବିକ ଖତ । ଜୀବାମୃତର ଚାହିଦା ଏବେ ବଢ଼ିବାରେ ଲାଗିଛି ଆଉ ତାସାଙ୍ଗକୁ ଜୈବିକ କୃଷିର ଏକ ନୂଆଦିଗ ଭାବେ ଏହା ଉଭା ହୋଇଛି । ତେବେ ଆସନ୍ତୁ ନଜର ପକେଇବା- ଏ ଜୀବାମୃତ କ’ଣ, କିପରି ପ୍ରସ୍ତୁତ କରାଯାଏ ।

ଜୀବାମୃତ ଏକ ତରଳ ଜୈବିକ ଖତ ଯାହା ଜୈବିକ କୃଷି ପ୍ରଣାଳୀରେ ବ୍ୟବହାର କରାଯାଏ । ନାଇଟ୍ରୋଜେନ୍‌, ପଟାସ୍‌, କାର୍ବନ୍ ପରି ପୋଷକତତ୍ତ୍ୱ ଯୋଗାଇଲାପରି ଏକ ନୂତନ ଆରମ୍ଭ ଜୀବାମୃତ । ଏହା ଖୁବ ସହଜ ଓ ଶୀଘ୍ର କରାଯାଇପାରେ । ଯାହା ଚାଷ କ୍ଷେତରେ ବିଭିନ୍ନ ସାହାଯ୍ୟ କରେ । ଜୀବାମୃତ ସହିତ ଅନ୍ୟ ଖତକୁ ମିଶ୍ରିତ କରି ମଧ୍ୟ ବ୍ୟବହାର କରାଯାଇପାରିବ ।

ପ୍ରସ୍ତୁତି ପ୍ରଣାଳୀ- ୧୦୦୦ ଲିଟର ପାଣି, ୫୦ କିଗ୍ରା ଗୋବର, ୫୦ ଲିଟର ଗୋମୂତ୍ର, ୧୦-୧୨ କିଗ୍ରା ବେସନ, ୧୦-୧୨ କିଗ୍ରା ଗୁଡ, ଆଉ ଗଛ ମୂଳରୁ କିଛି ବାଲି (ଦୁଇ ହାତ) କିମ୍ବା (ଅନ୍ୟ ଯେକୌଣସି ପୁରୁଣା ଗଛର ମୂଳର ବାଲିକୁ ମଧ୍ୟ ବ୍ୟବହାର କରାଯାଇପାରେ) ।
ଏସବୁକୁ ଗୋଟିଏ ପାତ୍ରରେ ମିଶ୍ରଣକରି ଗୋଳାନ୍ତୁ ଓ ସୂର୍ଯ୍ୟାଲୋକଠାରୁ ଦୂରରେ ଅର୍ଥାତ ଛାଇ ଜାଗାରେ ରଖନ୍ତୁ । ୪ଦିନ ପର୍ଯ୍ୟନ୍ତ ପ୍ରତ୍ୟହଃ ୧୦ ମିନିଟ୍ ଲେଖା ଏ ମିଶ୍ରଣକୁ ଭଲଭାବେ ଘାଣ୍ଟିବା ଆବଶ୍ୟକ । ୧୦-୧୨ ଦିନ ପରେ ଏହା ବ୍ୟବହାର ଉପଯୋଗୀ ହୋଇଯାଏ । ଏହାପରେ ଆମେ ବଗିଚା କି ଚାଷ କ୍ଷେତରେ ବ୍ୟବହାର କରିପାରିବା ।

ଏହା ମାଟିର ଉର୍ବରତା ବଢାଇବା ସହ ମିତ୍ର ଜୀବାଣୁଙ୍କ ସଂଖ୍ୟା ବୃଦ୍ଧି କରେ ।
ଯେହେତୁ ୪-୫ ଦିନ ମଧ୍ୟରେ ଏହା ପ୍ରସ୍ତୁତ ହୋଇପାରେ, ତେଣୁ ଏହାକୁ ଅତି ସହଜରେ ଜମିରେ ବ୍ୟବହାର କରାଯଇପାରିବ ।
ଜୀବାମୃତର ବ୍ୟବହାର ମାଟିରେ ଜିଆର ସଂଖ୍ୟା ବୃଦ୍ଧି କରେ ଯାହା ମାଟିକୁ ହାଲୁକା କରିବା ସହ ଦଳଧାରଣା କ୍ଷମତା ବୃଦ୍ଧି କରେ ।
ଏହାକୁ ମଧ୍ୟ ଆମେ ସ୍ପ୍ରେ ଭାବେ ବ୍ୟବହାର କରିପାରିବା ।

(କୃଷି ସ୍ନାତକ, ସେଂଚୁରିଆନ ବିଶ୍ୱବିଦ୍ୟାଳୟ , ପାରଳାଖେମୁଣ୍ଡି ଓ ସମ୍ପାଦକ – ଶ୍ୟାମଳ ସୁବର୍ଣ୍ଣ (କୃଷି ଭିତ୍ତିକ ତ୍ରୈମାସିକ ପତ୍ରିକା)

ଇମେଲ: dshuvam97@gmail.com

Comments are closed.