Latest Odisha News

ବିଜେପିରେ ଯୋଗଦେଲେ ଟାଣୁଆ କଂଗ୍ରେସ ନେତା ପଦ୍ମଲୋଚନ ପଣ୍ଡା

ବାଲେଶ୍ୱର: ସିମୁଳିଆର ପୂର୍ବତନ ବିଧାୟକ ତଥା ବାଲେଶ୍ୱର ଜିଲ୍ଲାର ଜଣେ ଟାଣୁଆ କଂଗ୍ରେସ ନେତା ପଦ୍ମଲୋଚନ ପଣ୍ଡା ବିଜେପିରେ ଯୋଗ ଦେଇଛନ୍ତି ।

ପୂର୍ବତନ ମନ୍ତ୍ରୀ ତଥା ତିନିଥର ଲାଗି ସିିମୁଳିଆ ବିଧାନସଭା ନିର୍ବାଚନ ମଣ୍ଡଳୀରୁ କଂଗେସରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଏବଂ ରାଜ୍ୟ କଂଗ୍ରେସରେ ବିଶେଷଭାବେ ପ୍ରଭାବ ରହିଥିବା ପଦ୍ମଲୋଚନ ପଣ୍ଡା ତାଙ୍କର ଶତାଧିକ ସମର୍ଥକଙ୍କ ସହିତ ବିଜେପିରେ ଯୋଗଦେବା ପରେ ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ମିଳିଥିବା ସୂଚନାନୁଯାୟୀ, ଆଜି ଖଇରା ବ୍ଲକର ପଟରାଜ ମେଲଣ ପଡ଼ିଆରେ ବିଜେପି ପକ୍ଷରୁ ଆୟୋଜିତ ଏକ ଉତ୍ସବରେ ପୂର୍ବତନ ବିଧାୟକ ଶ୍ରୀ ପଣ୍ଡା ତାଙ୍କର ଶତାଧିକ ସମର୍ଥକଙ୍କ ସହିତ ଆସି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଏବଂ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଥିଲେ ।

ପୂର୍ବତନ କଂଗ୍ରେସ ବିଧାୟକ ପଦ୍ମଲୋଚନ ପଣ୍ଡା ଅକ୍ଟୋବର ୭ ତାରିଖ ଦିନ ଓପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ ତାଙ୍କର କଂଗ୍ରେସ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଥିଲେ ।

ଭାରତୀୟ ଜନତା ପାର୍ଟିରେ ଯୋଗଦେବା ପରେ ବରିଷ୍ଠ ନେତା ପଦ୍ମଲୋଚନ ପଣ୍ଡା ଗଣମାଧ୍ୟମକୁ କହିଛନ୍ତି, କଂଗ୍ରେସ ଦଳ ଭିତରେ ଆଭ୍ୟନ୍ତରୀଣ କନ୍ଦଳ ଏବଂ ଦଳ ମଧ୍ୟରେ ନେତାଙ୍କ ମଧ୍ୟରେ ପାରସ୍ପରିକ ବୁଝାମଣା ଅଭାବରୁ ଇସ୍ତଫା ଦେଇଛନ୍ତି ।

କଂଗ୍ରେସ କ୍ଷମତାଧିନ ଥିବା ସମୟରେ ବରିଷ୍ଠ ନେତା ପଦ୍ମଲୋଚନ ପଣ୍ଡା ୧୯୯୯ ମସିହା ଫେବୃୟାରୀ ୨୨ ତାରିଖରୁ ମାର୍ଚ୍ଚ ୫ ତାରିଖ ୨୦୦୦ ମସିହା ପର୍ଯ୍ୟନ୍ତ ରାଜ୍ୟ ମତ୍ସ୍ୟ ଓ ପଶୁପାଳନ ବିକାଶ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ଭାବେ ଦାୟିତ୍ୱ ବହନ କରିଥିଲେ ।

Leave A Reply

Your email address will not be published.