Latest Odisha News

BREAKING NEWS

ଆରମ୍ଭ ହେଲା ମହାପ୍ରଭୁଙ୍କ ସୁନାବେଶ; ରଥକୁ ଆସିଲା ମହଣ ମହଣ ସ୍ୱର୍ଣ୍ଣାଳଙ୍କାର

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ମହୋତ୍ସବରେ ସୁନାବେଶରେ ଦର୍ଶନ ଦେବେ ତିନି ଠାକୁର । ରଥ ଉପରେ ମହଣ ମହଣ ସୁନା ପିନ୍ଧିବେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମେତ ବଡ଼ଠାକୁର ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରା ।

ପୁରୀ ଶ୍ରୀମନ୍ଦିରରେ ଥିବା ଏହି ସ୍ୱର୍ଣ୍ଣାଳଙ୍କାରଗୁଡ଼ିକୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବଡ଼ଦାଣ୍ଡରେ ଦଣ୍ଡାୟମାନ ତିନିରଥକୁ ସେବାୟତମାନେ ଆଣିଛନ୍ତି ।

ଏହି ବିରାଟକାୟ ସୁନା ଅଳଙ୍କାର ଗୁଡ଼ିକୁ ଆଣିବା ସମୟରେ ସ୍ୱତନ୍ତ୍ର ଭାବେ ପୋଲିସ କର୍ମୀମାନେ ଦାୟିତ୍ୱ ନିର୍ବାହ କରୁଛନ୍ତି । ସେଥିଲାଗି ଶ୍ରୀମନ୍ଦିର ପ୍ରଶାସନର ଅନୁରୋଧ କ୍ରମେ ଅତିରିକ୍ତ ପୋଲିସ ବ୍ୟବସ୍ଥା କରିଛନ୍ତି ଜିଲ୍ଲା ପ୍ରଶାସନ । ତାଳଧ୍ୱଜରେ ବଡ଼ଠାକୁର ଶ୍ରୀବଳଭଦ୍ର, ନନ୍ଦିଘୋଷରେ ଶ୍ରୀଜଗନ୍ନାଥ ଏବଂ ଦର୍ପଦଳନରେ ଦେବୀ ସୁଭଦ୍ରା ନାନାଦି ମୂଲ୍ୟବାନ ସ୍ୱର୍ଣ୍ଣାଳଙ୍କାରରେ ସଜ୍ଜିତ ହୋଇଥାଆନ୍ତି ।

ତାଳଧ୍ୱଜରେ ବିରାଜମାନ କରିଥିବା ଶ୍ରୀବଳଭଦ୍ରଙ୍କ ଲାଗି ଶ୍ରୀପୟର, ଶ୍ରୀଭୁଜ, କିରିଟ, ଓଡ଼ିଆଣୀ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନୀ, ଘାଗଡ଼ାମାଳି, କଦମ୍ବମାଳି, ତିଳକ ଚନ୍ଦ୍ରିକା, ଅଳକା, ଟ୍ନୋବା କଣ୍ଠି, ହଳ, ମୂଷଳ ବାହାଡ଼ା ମାଳି, ବାଘନଖ ମାଳି, ସେବତୀମାଳି, ତ୍ରିଖଣ୍ଡିକା, କମରପଟି ସେବାୟତମାନେ ଆଣିଛନ୍ତି ।

ଅଧିକ ପଢନ୍ତୁ: କେବେ ଓ କାହିଁକି ମହାପ୍ରଭୁ ସୁନାବେଶରେ ଦିଅନ୍ତି ଦର୍ଶନ !

ଦର୍ପଦଳନରେ ବିରାଜମାନ କରିଥିବା ଦେବୀ ସୁଭଦ୍ରାଙ୍କ ଲାଗି  କିରିଟ, ଓଡ଼ିଆଣୀ, ଚନ୍ଦ୍ରସୂର୍ଯ୍ୟ, ଘଗଡ଼ା ମାଳି, କଦମ୍ବ ମାଳି, ସେବତୀମାଳି ଏବଂ ନନ୍ଦିଘୋଷ ରଥରେ ବିରାଜମାନ କରିଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲାଗି ଶ୍ରୀପୟର, ଶ୍ରୀଭୁଜ, କମର ଝୁମ୍ପା, ଧୁକୁଧୁକିଆ ଝୁମ୍ପା, ରୌପ୍ୟଶଙ୍ଖ, ହରିଡ଼ା ମାଳି, ସ୍ୱର୍ଣ୍ଣଚକ୍ର, ତାବିଜ ମାଳି, କିରିଟ, ଓଡ଼ିଆଣୀ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନୀ ପରି ସ୍ୱର୍ଣ୍ଣାଳଙ୍କାର ଗୁଡ଼ିକୁ ସେବାୟତମାନେ ବୋହି ବୋହି ଆଣିଛନ୍ତି ।

Leave A Reply

Your email address will not be published.