Latest Odisha News

BREAKING NEWS

୧୧୬ ଦିନ ପରେ କ୍ରିକେଟ ମ୍ୟାଚ୍, ପଡ଼ିଲା ମାତ୍ର ୧୦୬ଟି ବଲ୍

ଇଂଲଣ୍ଡ ଓ ଓ୍ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ସହ ୧୧୬ ଦିନ ପରେ କ୍ରିକେଟ ଫେରିଛି । କରୋନା ମହାମାରୀ ଯୋଗୁ ୧୩ ମାର୍ଚ୍ଚ ପରଠୁ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଆୟୋଜନରେ ବ୍ରେକ ଲାଗିଥିଲା । ଏତେ ଦିନ ପରେ କ୍ରିକେଟ ମ୍ୟାଚ ଦେଖିବାକୁ ଉତ୍ସାହକୁ ପାଣିଚିଆ କରିଦେଲା ବର୍ଷା । ଏଥିପାଇଁ ପ୍ରଥମ ଦିନ ମାତ୍ର ୧୭.୪ ଓଭର ଖେଳ ହୋଇପାରିଲା । ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଇଂଲିଶ ବାହିନୀ ଗୋଟିଏ ଓ୍ୱିକେଟ ହରାଇ ୩୫ ରନ୍ କରିଛି ।

୧୧୬ ଦିନ ପରେ ଅଜ୍ଞାତବାସରୁ ଫେରିଲା କ୍ରିକେଟ । ମୈଦାନରେ ବ୍ୟାଟ୍ ଓ ବଲ୍ ଟକ୍କର ତ ହେଲା । କିନ୍ତୁ ଗ୍ୟାଲେରୀ ଖୋଜୁଥିଲା ତା ଦର୍ଶକଙ୍କୁ । ଯେଉଁଟା କରୋନା କରାଇ ଦେଲାନି । ବିନା ଦର୍ଶକରେ ବନ୍ଦ ଷ୍ଟାଡିୟମରେ ଟେଷ୍ଟ ଲଢ଼େଇ । ଆଜିର ଦିନକୁ ଅପେକ୍ଷା କରିଥିଲା ସାରା କ୍ରିକେଟ ଦୁନିଆ । ଚାରି ମାସ ବନ୍ଦ ପରେ ମୈଦାନକୁ ଓହ୍ଲାଇଛନ୍ତି ଖେଳାଳି ।

କ୍ରିକେଟ ଇତିହାସର ୪୬ ବର୍ଷ ଭିତରେ ପ୍ରଥମ ଥର ଶହେ ଦିନ ପାଇଁ ହୋଇ ନଥିଲା କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ । ଟେଷ୍ଟ କ୍ରିକେଟର ୧୪୩ ବର୍ଷ ଇତିହାସରେ କେବେ ଏମିତି ହୋଇ ନଥିଲା । ଫାଙ୍କା ଷ୍ଟାଡିୟମରେ ମ୍ୟାଚ୍ । କରୋନା ଯୋଗୁ କଟକଣା ଭିତରେ ସବୁ କିଛି ଚାଲିଛି । ମ୍ୟାଚ୍ ଦେଖିବା ପାଇଁ ଆସିବେନି ଦର୍ଶକ । କେବଳ ଖେଳାଳି, ଅମ୍ପାୟାର ଓ ରେଫରୀ ।

ଖେଳାଳି ହୁଅନ୍ତୁ କି ଅଫିସିଆଲ ଅବା ଅମ୍ପାୟାର କେହି କାହା ସହ ହାତ ମିଶାଇବେ ନାହିଁ । ଆଲିଙ୍ଗନ କରିବା ମନା । ବଲରେ ଲାଳ ପ୍ରୟୋଗ କରାଯିବନି । ଯଦି କେହି ଏମିତି କରନ୍ତି ଦୁଇ ଥର ତେଚାବନୀ ଦେବେ ଅମ୍ପାୟାର । ତାପରେ ଭୁଲ ପାଇଁ ଟିମ୍ ଉପରେ ପାଞ୍ଚ ରନର ପେନାଲ୍ଟି ପଡ଼ିବ । ସ୍ଥାନୀୟ ଅମ୍ପାୟାରଙ୍କୁ ନେଇ ମ୍ୟାଚ୍ ଆୟୋଜନ ହେବ । ଅମ୍ପାୟାରଙ୍କ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ପ୍ରତି ଇନିଂସରେ ଅତିରିକ୍ତ ମିଳିବ ଗୋଟିଏ ଡିଆରଏସ୍ ।

Leave A Reply

Your email address will not be published.