Latest Odisha News

ସ୍କୁଲ ଶିକ୍ଷା ସମସ୍ୟା ଓ ସମାଧାନ

ଗଣମାଧ୍ୟମରେ ଏବେ ସ୍କୁଲ ଶିକ୍ଷାର ବିକଳ ଚିତ୍ର ସାମ୍ନାକୁ ଆସୁଛି । ଅନଲାଇନ ଶିକ୍ଷା ନାଁରେ ଗଣଶିକ୍ଷା ବିଭାଗ ଚଳେଇଥିବା ପ୍ରହସନରେ ୭୦ ପ୍ରତିଶତରୁ ଅଧିକ ପିଲା ସାମିଲ ହୋଇ ପାରୁ ନାହାନ୍ତି । ଏହା ହିଁ ବାସ୍ତବ ଚିତ୍ର । ଏହାକୁ ହୁଏତ ଗଣଶିକ୍ଷା ବିଭାଗ ମାନିପାରେ କିମ୍ବା ନିଜେ କରୁଥିବା କାମକୁ ଆପେ ସାବାସୀ ଦେଇପାରେ ।

କୋଉଠି ପିଲା ଗଛ ଉପରେ ଚଢି ଅନଲାଇନ କ୍ଲାସ କରୁଛନ୍ତି ତ କୋଉଠି ପିଲା ସାଙ୍ଗ ହୋଇ ପାଣି ଟାଙ୍କି ଉପରେ ବସିଛନ୍ତି ମୋବାଇଲ୍‍ । ପୁଣି ଅଧିକାଂଶ ଲୋକଙ୍କ ଘରେ ସତରେ ସ୍ମାର୍ଟ ଫୋନ ନାହିଁ, ସେମାନେ ଗରିବ, ସେମାନେ ମୁଖ୍ୟସ୍ରୋତରୁ ଦୂରରେ, ତେଣୁ ସେମାନେ କେମିତି ପଢିବେ, ତାକୁ ନେଇ କେହି କିଛି କହୁ ନାହାନ୍ତି । ବରଂ ଅନଲାଇନ କ୍ଲାସ ପରି ନୂଆ ଚିଜ ଅଚାନକ ଆବିଷ୍କାର କରି ପକେଇଲେ ବୋଲି ବାହାଦୂରୀ ନେଉଛନ୍ତି । ଆଉ ଶିକ୍ଷକମାନେ ବି ସେ କ୍ଲାସରେ ସାମିଲ ହୋଇ ଖୁସି, ଯେଉଁଠି ସତରେ ପିଲା ପାଠ ପଢିପାରୁ ନାହିଁ ।

ଯେତିକି ସମୟ ବିତୁଛି, ସାରା ଦେଶରେ କରୋନାର ଆତଙ୍କ ସେଇ ଅନୁସାରେ ବଢି ବଢି ଚାଲିଛି । ଆଉ ଯେତିକି ସମୟ ଗଡ଼ି ଯାଉଛି, ଓଡ଼ିଶାରେ ବିଦ୍ୟାଳୟ ଗୁଡ଼ିକରେ ପିଲାଙ୍କ ପାଠ ପଢା ନେଇ ସେତିକି ଆଶଙ୍କା ବଢିବାରେ ଲାଗିଛି । ପିଲା ପଢୁଛନ୍ତି କି ନାହିଁ, ସତରେ ଅନଲାଇନ ପଢା ହେଉଛି କି ନାହିଁ, କଣ କେମିତି ଚାଲିଛି, ତାହା ଉପରେ କେହି ନଜର ଦେଉ ନାହାନ୍ତି । ବରଂ ଗଣମାଧ୍ୟମରେ ବୟାନ ଦେଇ, ପ୍ରେସ ବିବୃତି ଛାପି ବାହାଦୂରୀ ନେବାର ପ୍ରୟାସ ଚାଲିଛି । ଫଳରେ ଶିକ୍ଷା ବର୍ଷ ସରିବାକୁ ଆଉ ମାତ୍ର ସାତ ମାସରୁ ଅଳ୍ପ ସମୟ ଅଧିକ ଥିବା ବେଳେ କିଛି ବି ସ୍ପଷ୍ଟ ଜଣାପଡ଼ୁ ନାହିଁ ।

ମାର୍ଚ୍ଚ ମାସ ଅଧାରୁ ରାଜ୍ୟର ସମସ୍ତ ବିଦ୍ୟାଳୟ ବନ୍ଦ ରହିଛି । ନୂଆ ଶିକ୍ଷାବର୍ଷ ଏଯାକେ ଆରମ୍ଭ ହୋଇପାରି ନାହିଁ । ଏବେ ଆସି ଜୁଲାଇ ସରିଲାଣି । ହେଲେ କେହି ସେଥିପ୍ରତି ଗୁରୁତ୍ୱ ଦେଉ ନାହାନ୍ତି । ପୁଣି ଆସନ୍ତା ପେବୃଆରି ମାସରେ ଏ ଶିକ୍ଷାବର୍ଷର ମ୍ୟାଟ୍ରିକ ପରୀକ୍ଷା ।

ସ୍କୁଲ ବନ୍ଦ ହେବାର ମାସେ ପରେ ଅପ୍ରେଲ ମାସ ମଝିରୁ ସରକାରୀ ଭାବେ ହ୍ୱାଟସଆପ୍‍ କ୍ଲାସ ଆରମ୍ଭ ହେଲା । ତାକୁ ସରକାରୀ ଅଧିକାରୀ ଓ ବିଭାଗୀୟ ମନ୍ତ୍ରୀ ବୁଲେଇ ବଙ୍କେଇ ଅନଲାଇନ କ୍ଲାସ କହିଲେ । ହ୍ୱାଟସଆପ୍‍ କ୍ଲାସ୍‍ କେବେ ବି ଅନଲାଇନ କ୍ଲାସ ହୋଇ ନ ପାରେ । ସେଥିରେ କେବଳ ଶିକ୍ଷକ ଜାଣିଥିବା ବିଷୟର ନୋଟ୍‍ ପଠାନ୍ତି । ପିଲା ପଢିଲେ କି ନ ପଢିଲେ, କି ଜାଣିଲେ କି ନ ଜାଣିଲେ- ତାର ଖବର ନା ଶିକ୍ଷକ ପାଖରେ ଥାଏ ନା ବିଭାଗ ପାଖରେ ଥାଏ । ପୁଣି ହ୍ୱାଟସଆପ୍‍ କ୍ଲାସରେ କୋଉ ବିଷୟ ପଢା ହେଲା, ଲେସନ ପ୍ଲାନ ହେଲା କି ନାହିଁ- ତାହାକୁ ସଂପୂର୍ଣ୍ଣ ନଜର ଅନ୍ଦାଜ କରି ଦିଆଗଲା । ମୋଟ ଉପରେ ସେ ପ୍ରକ୍ରିୟାରେ ପିଲାଙ୍କ ଭାଗୀଦାରୀ ଆଦୌ ରହିଲା ନାହିଁ । ଭାଗୀଦାରୀ ନ ରହିଲେ, ଶିକ୍ଷା ସଂପୂର୍ଣ୍ଣ ହୁଏନାହିଁ । ପୁଣି ସମୁଦାୟ ୬୦ ଲକ୍ଷ ପିଲାରୁ ୩୮ ଲକ୍ଷ ପିଲା ଏ ସୁବିଧା ପାଇଲେ ନାହିଁ । ଏକଥା ସରକାରୀ ହିସାବ କହୁଛି ।

 

ବେସରକାରୀ ଭାବେ ତଥ୍ୟ ଆହୁରି ଭୟାନକ ଓ ସାଙ୍ଘାତିକ ହୋଇଥିବ । ୭୦ ପ୍ରତିଶତରୁ ଅଧିକ ପିଲା ପଢି ପାରିଲେ ନାହିଁ । ତାହା ସ୍ୱାଭାବିକ କଥା । ନେଟୱର୍କ ନଥିବ, ଘରେ ଆଣ୍ଡ୍ରଏଡ଼୍‍ ଫୋନ ନ ଥିବ, ଡାଟା ନଥିବ- ଏମିତି ହଜାରେ ଅସୁବିଧା । ଖାଲି ପିଲାଙ୍କ ଉପରେ ସବୁ ଲଦି ଦେଲେ ତ ତାହା ସମାଧାନର ରାସ୍ତା ଆଦø ନୁହେଁ । ବିକଳ୍ପ ରାସ୍ତା କେହି ଚିନ୍ତା କଲେ ନାହିଁ ।

ଏବେ ଯେବେ ଶିକ୍ଷାବର୍ଷର ପାଞ୍ଚ ମାସ ଗଲାଣି ଓ ସ୍କୁଲ ଖୋଲିବାର ସମୟ ଗଡ଼ି ଗଲାଣି, ପାଠ୍ୟକ୍ରମ କମିବ କି ନାହିଁ, ସେ ନେଇ କମିଟି ଗଢା ଚାଲିଛି । ଗଣଶିକ୍ଷା ବିଭାଗ ତାହାର ସମୀକ୍ଷା କରିଛି କି ନାହିଁ- ସେ ସଂପର୍କରେ କିଛି ବି ଜଣା ପଡ଼ୁ ନାହିଁ । କମିଟି ଗଠନ କରି ବିଭାଗୀୟ ମନ୍ତ୍ରୀ ଚୁପ । ବିଭାଗୀୟ ସଚିବ ତ ଦିନେ ସାମ୍ନାକୁ ଆସୁ ନାହାନ୍ତି କି ପିଲାଙ୍କ ପାଠପଢା ପ୍ରସଙ୍ଗରେ ପଦେ କହୁ ନାହାନ୍ତି । ସିବିଏସ୍‍ଇ ନିଜର ପାଠ୍ୟକ୍ରମ କମାଇବାକୁ ଘୋଷଣା କରି ସାରିଛି । ସେହି ଅନୁସାରେ, ସେ ବିଦ୍ୟାଳୟଗୁଡ଼ିକରେ ପଢାଯିବ । ଓଡ଼ିଶାରେ କଣ ପଢାଯିବ, କେଉଁ ୟୁନିଟ ରହିବ, କେଉଁ ବିଷୟ ହଟିବ- ସେ ଚିନ୍ତା ଆଜିଯାକେ କାହା ମୁଣ୍ଡକୁ ପଶିଲା ପରି ଜଣାପଡ଼ୁନି । ବରଂ ସରକାର ବହୁ ଡେରିରେ ଖାଲି କମିଟି ପରେ କମିଟି ତିଆରି ଅନଲାଇନ୍‍ କ୍ଲାସ୍‍ କଥା ଚିନ୍ତା କରି ଚାଲିଛନ୍ତି ।

ଘରୋଇ ସିବିଏସ୍‍ଇ ସ୍କୁଲ ତୁଳନାରେ ଓଡ଼ିଶାରେ ସ୍କୁଲ ଗୁଡ଼ିକରେ ଛୁଟି ଅଧିକ । ଏକରେ ବର୍ଷ ଆରମ୍ଭରୁ ପାଞ୍ଚ ମାସ ସେମିତି ଗଲାଣି । ପୁଣି ଯଦି ବି ଅଗଷ୍ଟ ଶେଷରେ କି ସେପ୍ଟେମ୍ବରରେ ସ୍କୁଲ ଖୋଲିଲା, ତା’ପରେ ଦୂର୍ଗାପୂଜା ଛୁଟି, ଏକ୍ସ ମାସ ଛୁଟି ଇତ୍ୟାଦି ରହିଛି । ପୁଣି ରବିବାର ଓ ଅନେକ ସରକାରୀ ଛୁଟିଦିନ । ସ୍କୁଲରେ ସରକାରୀ ହିସାବ ଅନୁସାରେ ୨୧୦ ଦିନର ପାଠ ପଢା ହୋଇଥାଏ । ଆଉ ୧୫୫ ଦିନରୁ ଅଧିକ ଛୁଟି ହୋଇଥାଏ । ଜୁଲାଇ ମାସ ଶେଷ ସୁଦ୍ଧା ଦେଖିଲେ ୬୩ ଦିନର ପାଠ ପଢା ପ୍ରଭାବିତ ହେଉଛି । ପୁଣି ଏବେ ଅନେକ ସ୍କୁଲରେ ନାମଲେଖା ଚାଲୁ ଥିବାରୁ ସେହି ତଥାକଥିତ ଓ ବହୁଳ ପ୍ରଚାରିତ ହ୍ୱାଟସଆପ୍‍ କ୍ଲାସ ବି ବନ୍ଦ ହୋଇଯାଇଛି । ତେଣୁ ଅଗଷ୍ଟ ଶେଷ ବେଳକୁ ଦେଖିଲା ବେଳକୁ ୯୦ ଦିନର ପଢା ପ୍ରଭାବିତ ହୋଇଥିବ । ଆଉ ମାତ୍ର ଥିବ ୧୨୦ ଦିନ ବା ଚାରି ମାସ । ସେଇ ସମୟରେ ସମୁଦାୟ ସିଲାବସ୍‍ ସରିବ ତ?

ସିଲାବସ୍‍ କମାଇବା ପ୍ରକ୍ରିୟା ସିବିଏସ୍‍ ଓ ଆଇସିଏସଇ ଅପ୍ରେଲ ମାସରୁ ଆରମ୍ଭ କରି ସାରିଥିଲେ । ସେଥିପାଇଁ ଅନେକ କମିଟି ଗଠନ ଓ ମାନସ ମନ୍ଥନ ପରେ ପରିବର୍ତ୍ତିତ ସିଲାବସ ଜାରି କରାଯାଇଛି । ହେଲେ ଓଡ଼ିଶାରେ ସେ ସଂପର୍କତ ଚିନ୍ତା ସରକାର କରି କଣ ପାଇଁ ଡେରିରେ କଲେ ଓ ଏ ନେଇ ଗଣ ମାଧ୍ୟମରେ ଖବର ପ୍ରସାରିତ ହେବା ପରେ ଚେତିଲେ, ସେ କଥା ବିଭାଗୀୟ ବଡ଼ ବଡ଼ ଅଧିକାରୀମାନେ ଜାଣିଥିବେ, ଯେଉଁମାନଙ୍କର ସ୍କୁଲ ଶିକ୍ଷା ସହିତ ଦୂର ଦୂର ପର୍ଯ୍ୟନ୍ତ ବାସ୍ତବିକ ଭାବେ କୌଣସି ସଂପର୍କ ନାହିଁ । ସେମାନେ ଭୁବନେଶ୍ୱରରେ ବସନ୍ତି ଓ ଭୁବନେଶ୍ୱରକୁ ସମୁଦାୟ ଓଡ଼ିଶା ଭାବେ ଭାବି ନିଅନ୍ତି । ହ୍ୱାଟସ୍‍ଆପ୍‍ କ୍ଲାସ୍‍ ଯାହା ମାଧ୍ୟମରେ ପିଲା ପଢିବା ଦୁରୂହ ବ୍ୟାପାର ତାରି ଭିତରେ ଛନ୍ଦି ହୋଇ ଯାଇଛନ୍ତି ସରକାର । ସିଲାବସ କମେଇବା ପାଇଁ କେବେ ନିଷ୍ପତ୍ତି ନେବେ, ଫେବୃଆରୀରେ ପୁଣି ମ୍ୟାଟ୍ରିକ ପରୀକ୍ଷା, କ୍ଲାସ୍‍ କେମିତି ଚାଲିବ- ସେ ଦିଗରେ କେହି ଗୁରୁତ୍ୱର ସହ କିଛି ବି ଭାବୁ ନାହାନ୍ତି ।

ତେଣୁ ପ୍ରଥମ ପରାମର୍ଶ ରହିବ- ଏ ବର୍ଷ ବିଦ୍ୟାଳୟ ଗୁଡ଼ିକରେ ବାକି ଛୁଟି ବାତିଲ କରି ଦିଆଯାଉ । କ୍ଲାସ୍‍ ସବୁଦିନେ ଚାଲୁ । ପିଲାଙ୍କ ଶିକ୍ଷା କୌଣସି ଗଣତାନ୍ତ୍ରିକ ରାଷ୍ଟ୍ରରେ ସେମାନଙ୍କ ମୌଳିକ ଅଧିକାର । ସେଥିରେ ସେମାନଙ୍କୁ ଯିଏ ବି ଯେଉଁ ବାହାନା ଦେଖାଇ ବଞ୍ଚିତ କରୁଛି, ସିଏ ଆଗ ଦୋଷୀ । ଦୂର୍ଗାପୂଜା ଓ ଏକ୍ସ ମାସ ଛୁଟି ସଂପୂର୍ଣ୍ଣ ବାତିଲ ହେଉ । ଏମିତିରେ କଲେଜରେ କି କୋଉଠି ବି ଆଉ ଏକ୍ସ ମାସ ଛୁଟି ନାହିଁ । ଘରୋଇ ବିଦ୍ୟାଳୟ ଗୁଡ଼ିକ ଏକ୍ସମାସ ଛୁଟି ଦେଉ ନାହାନ୍ତି । ସରକାରୀ ବିଦ୍ୟାଳୟରେ କଣ ପାଇଁ ୧୨ ଦିନ ଧରି ଏହା ଚାଲୁଛି ଓ ଏଥିରୁ କଣ ଲାଭ ମିଳୁଛି, ଆଦୌ ଜଣା ପଡ଼ୁନି । ସେସବୁ ଓ ଅନ୍ୟାନ୍ୟ ଛୁଟି ପୁରା ବନ୍ଦ ହେବା ଦରକାର । ଫଳରେ ପଢାଇବା ପାଇଁ ଅଧିକ ସମୟ ମିଳିବ ।

ଦୁଇରେ- ତୁରନ୍ତ ସରକାର ବିଷୟୱାରୀ ସିଲାବସ୍‍ ନେଇ ଗଠିତ କମିଟି ତା’ କାମ ଶେଷ କରୁ । ସେଥିରେ ଶିକ୍ଷକମାନଙ୍କୁ ସାମିଲ କରନ୍ତୁ । କଣ କଣ ବିଷୟ ରହିବା ନିହାତି ଦରକାର ଓ କଣ ନ ରହିଲେ ଚଳିବ, ତାହାର ତାଲିକା ଏଇ ମାସ ଶେଷ ସୁଦ୍ଧା ତିଆରି ହୋଇ ପ୍ରକାଶିତ ହେଉ । ଏହା ସଭିଙ୍କୁ ଜଣାଇ ଦିଆଯାଉ ।

ତୃତୀୟ – ତା’ପର ୧୦ ଦିନ ମଧ୍ୟରେ ସମୁଦାୟ ବର୍ଷର ଲେସନ୍‍ ପ୍ଲାନ୍‍ ପ୍ରସ୍ତୁତ ହେଉ । ଆପଣ ପଚାରି ପାରନ୍ତି ଏହା କେମିତି ସମ୍ଭବ? ଶିକ୍ଷକମାନଙ୍କୁ ନେଇ ଗ୍ରୁପ୍‍ କରାଯାଇ ବିଷୟୱାରୀ ଏତିକି ସମୟରେ ଆରାମରେ କାମ ହୋଇ ପାରିବ । ସେ ଲେସନ ପ୍ଲାନ୍‍ ସମସ୍ତଙ୍କୁ ଜଣାଇବାକୁ ଗଣଶିକ୍ଷା ବିଭାଗର ୱେବସାଇଟରେ ଛାଡ଼ି ଦିଆଯାଉ । ଫଳରେ ସବୁ ଆଡ଼େ ଏକାଥରେ ସମାନ ଭାବେ ପଢାହେଉ । ଯାହା ମନିଟରିଂ ବ୍ୟବସ୍ଥାକୁ ଦୃଢ କରିବ ।

ଚତୁର୍ଥରେ- ଯଦି ସ୍କୁଲ ଖୋଲିଲା ତ ସେଇ ଅନୁସାରେ ପାଠପଢା ଚାଲୁ । ବ୍ଲକସ୍ତରରୁ ତାହାର ନିୟମିତ ତଦାରଖ ହେଉ । ପ୍ରତି ପନ୍ଦର ଦିନରେ କଣ ପଢାଗଲା, ତାହାର ତାଲିକା କରାଯାଉ । କମନ୍‍ ଲେସନ ପ୍ଲାନ ହେତୁ, ଏଣିକି ତ ପଢାଇବାରେ କିଛି ଅସୁବିଧା ନଥିବ । ତେଣୁ, ତାହାକୁ ସେହି ଅନୁସାରେ ତଦାରଖ କରାଯାଇ ପାରିବ । ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଏ ନେଇ ତୁରନ୍ତ ପଦକ୍ଷେପ ନିଅନ୍ତୁ ।
ନ ହେଲେ ପିଲାଙ୍କ ଉପରେ ବୋଝ ବଢିବ । ପିଲାଙ୍କ ବୋଝ ଦେଖି ଅଭିଭାବକଙ୍କ ଉପରେ ବୋଝ ବଢିବ । ତାହାର ସମାଧାନ ପାଇଁ ରାସ୍ତା ତୁରନ୍ତ କାଢିବା ଦରକାର । କାରଣ- ସେଥିପାଇଁ ସମୟ ଗଡ଼ି ସାରିଲାଣି ।

Comments are closed.