Latest Odisha News

BREAKING NEWS

ରେଖାପଞ୍ଚମୀରେ ବାଘ ପାଇଁ ପିଠା ବଢ଼ା ପ୍ରଥା

ଓଡିଶାର ଗ୍ରାମ୍ୟ ପର୍ବପର୍ବାଣୀ, ପରମ୍ପରାକୁ ନେଇ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସ୍ୱତନ୍ତ୍ର ଆଲେଖ୍ୟ

ପିଲାବେଳୁ ରେଖାପଞ୍ଚମୀ ପାଳନ ସବୁବେଳେ ଥିଲା ଏକ ଅଲଗା ଉତ୍ସାହ ଓ ଅନୁଭୂତି । ଏଇ ପର୍ବକୁ ନେଇ ବିଶେଷ ପ୍ରସ୍ତୁତି ଆଉ ଶେଷରେ ବାଡିପଟେ କବାଟ ବାହାରେ ବାଘ ଉଦ୍ଦେଶ୍ୟରେ କଦଳୀ ପତ୍ରରେ ସରୁଚକୁଳି ପିଠା ଓ ଅଟକାଳି ବଢ଼ାଯିବାର ପରମ୍ପରା ଉତ୍ସୁକତାର ଅନ୍ୟ ଏକ କାରଣ ଥିଲା । ସଦ୍ୟ କଟା ହୋଇ ଦିନେ ଦୁଇଦିନ ଖରାରେ ଶୁଖିଥିବା ଚଡ଼ିଆ ଘାସରୁ ବିଡାଏ ଲେଖା ସମସ୍ତଙ୍କ ଘରେ ଦେଇଯାଏ ବାରିକ । ସେଥିରେ ବେଣି ଭଳି କରି ତା ସାଙ୍ଗରେ ‘ଘଣ୍ଟାକର୍ଣ୍ଣ ମହାବୀର ସର୍ବବ୍ୟାଧି ନିବାରଣ’ ଶ୍ଳୋକ ଲେଖା ତାଳପତ୍ର ଖଣ୍ଡକୁ ଏକାଠି ସଂଯୁକ୍ତ କରି ରଖାଯାଏ। ସନ୍ଧ୍ୟାରେ ଘରର ସାମନା ଓ ପଛପଟ ଦ୍ୱାର ବାହାରେ ଉପର ପଟକୁ ମନ୍ତ୍ରୋଚ୍ଚାରଣ ସହିତ ବନ୍ଧା ଯାଇଥାଏ ।

ଏଥିସହିତ ଦିନବେଳୁ ଘରର ପ୍ରତିଟି କବାଟରେ ତୁଳାକୁ ମାଳି କରି ଅଁଳା ହଳଦୀ ବଟା ସହିତ ତିନିଟି ତୋରଣ ଭଳି କବାଟରେ ସଜାହେବା ସାଙ୍ଗକୁ ସୁନ୍ଦର ଭାବରେ ଓଁ ଗଣେଶାୟ ନମଃ, ଓଁ ଭୈରବାୟ ନମଃ, ଓଁ ମହାଦେବାୟ ନମଃ ଲେଖାଯାଇଥାଏ। ଏଥିସହିତ ଛୋଟ ଫୁଲ ଖଣ୍ଡ, ବେଲପତ୍ର ଖଣ୍ଡ ଓ ହଳଦୀ କନାରୁ ଛୋଟ ଖଣ୍ଡଟିଏ ଲଗାଯାଇଥାଏ ।

ଅନ୍ୟ ପକ୍ଷରେ ସକାଳୁ ସଜ ଭାବେ ପିଠା ପାଇଁ ପାଣିରେ ବତୁରା ଯାଇଥାଏ ଚାଉଳ ଓ ବିରି । ଭଲଭାବେ ଧୁଆ ହୋଇଥିବା ପେଶଣାରେ ଏହାକୁ ବାଟି ପିଠା ପାଇଁ ପ୍ରସ୍ତୁତ ରଖାଯାଏ ।

ସନ୍ଧ୍ୟାରେ ପିଠା ସାଙ୍ଗକୁ ଖୀରରେ ବଟା ହୋଇଥିବା ଚାଉଳରୁ ପ୍ରସ୍ତୁତ ଅଟକାଳିକୁ ନେଇ ଆରମ୍ଭ ହୁଏ ଏକ ପ୍ରକାର ସିରିଜ଼ ପୂଜାର ଦୌଡ଼ । ଗୋଟିଏ ପରେ ଗୋଟିଏ ଘରର ପ୍ରତିଟି କବାଟ କୁ ଫୁଲ, ଚନ୍ଦନ ଓ ଧୂପ ଦେଇ ବିଧିବଦ୍ଧ ପୂଜା କରାଯିବା ବେଳର ଖୁସି କହିଲେ ନସରେ। ପ୍ରତି କବାଟ ପାଖରେ ମୁରୁଜରେ ଚିନ୍ହିତ ତିନିଟି ଚିତା ଉପରେ ଶ୍ରୀଗଣେଶ, ମହାଦେବ ଓ ଭୈରବଙ୍କ ଉଦ୍ଦେଶ୍ୟରେ ତିନିଟି ଛୋଟ ଖଣ୍ତ କଦଳୀପତ୍ରରେ ବଢାଯାଇଥାଏ ସରୁ ଚକୁଳି ଓ ଅଟକାଳି ଭୋଗ । ଗୋଟେ ପଟେ ଜଣେ କବାଟ ପରେ କବାଟ ସାମ୍ନାରେ ତିନିଟି ଲେଖାଏଁ ପୂଜା ବାଢି ଚାଲୁଥିବା ବେଳେ ଆଉ ଜଣେ ପୂଜା ସରିବା ପରେ ଗୋଟିଏ ପରେ ଗୋଟିଏ ଭୋଗ ଉଠେଇ ଚାଲିଥାଏ କୌଣସି ଏକ ଦୌଡ଼ ପ୍ରତିଯୋଗିତା ଭଳି ।

ତେବେ ସବୁବେଳେ ଅପେକ୍ଷା ଥାଏ ସବା ଶେଷରେ ବାଘ ମାମୁଁ ପାଇଁ ସରୁଚକୁଳି ପିଠା ଓ ଅଟକାଳି ବଢ଼ାଯିବା ପରମ୍ପରାକୁ। ବାଡ଼ି କବାଟ ସାମ୍ନାରେ ତିନି ଖଣ୍ଡ ପତ୍ରରେ ସରୁଚକୁଳି ଅଟକାଳି ପୂଜା ସରିବା ପରେ ଭୈରବଙ୍କ ଉଦ୍ଦେଶ୍ୟରେ କଦଳିପତ୍ରରେ ବଢା ଯାଇଥିବା ପିଠା ଅଟକାଳି ବାହାରକୁ ବାଘ ଉଦ୍ଦେଶ୍ୟରେ ଥୋଇସାରି କବାଟ ବନ୍ଦ ହୋଇଥାଏ ଏବଂ ସକାଳ ପର୍ଯ୍ୟନ୍ତ ଆଉ ଖୋଲାଯାଇନଥାଏ।

ଯଦିଓ ବାଘ ଆସି ପିଠା ଖାଇବା ନେଇ ପିଲାଦିନର ବିଶ୍ୱାସ ପରେ କୁକୁରକୁ ସେଇ ପିଠା ଖାଇବା ଦେଖି ଅନ୍ଧବିଶ୍ୱାସ ଲାଗେ ହେଲେ ଏଇଟା ନିଶ୍ଚୟ ଯେ ଜୀବଜନ୍ତୁ ସବୁବେଳେ ଆମ ପର୍ବ ଓ ପରମ୍ପରାର ଅଂଶ ରହିଆସିଛନ୍ତି ଏବଂ ସେମାନଙ୍କୁ ସବୁବେଳେ ଗୁରୁତ୍ୱ ଓ ସମ୍ମାନର ସ୍ଥାନ ଦିଆଯାଇଛି। ସେଇଟା ରେଖାପଞ୍ଚମୀ ରେ ବାଘ ପାଇଁ ସରୁଚକୁଳି ଅଟକାଳି ବାଢି ହେଉ କି ଗହ୍ମାପୂର୍ଣ୍ଣମୀ ରେ ଗାଈ ବଳଦଙ୍କୁ ପିଠା ଆଉ ମଣ୍ଡା ଖୁଆଇ ।

(କୁମାରାଙ୍ଗ ଶାସନ, ବାଣପୁର)

 

 

Leave A Reply

Your email address will not be published.