ବ୍ରହ୍ମପୁର: ବେଙ୍ଗାଲୁରୁର ସିଏ ଟେକ୍ନୋଲୋଜିରେ କାର୍ଯ୍ୟରତ ଜଣେ ବରିଷ୍ଠ ସଫ୍ଟୱେୟାର ଇଞ୍ଜିନିୟର ଉନା ସତ୍ୟନାରାୟଣ ରାଓ କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଛନ୍ତି ।
ସମ୍ପୃକ୍ତ ବ୍ୟକ୍ତି ଜଣକ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅନ୍ତର୍ଗତ ବଜାର ସାହିର ବାସିନ୍ଦା ବୋଲି ଜଣାପଡିଛି ।
ପ୍ରାପ୍ତ ସୂଚନାନୁଯାୟୀ, ସତ୍ୟନାରାୟଣ ବାପା ଉନା ଶଙ୍କର ରାଓଙ୍କ ଶେଷକୃତ୍ୟରେ ଦିଗପହଣ୍ଡିକୁ ଆସିଥିଲେ । ଯିଏକି ଗତ ଜୁଲାଇ ୧୪ ତାରିଖରେ ମୃତ୍ୟୁବରଣ କରିଥିଲେ । ପିତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବା ପରେ ଅସୁସ୍ଥ ହୋଇପଡିଥିଲେ ସେ । ପରେ ତାଙ୍କୁ ଚିକିତ୍ସା ଲାଗି ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ତା’ପରେ ସେ ମେଡିକାଲରୁ ଡିସଚାର୍ଜ ହୋଇ ଜୁଲାଇ ୨୬ରେ ବେଙ୍ଗାଲୁରୁ ଯିବା ପାଇଁ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିଥିଲେ । ହେଲେ ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ଦିନ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପରିବାର ସୁତ୍ରରୁ ପ୍ରକାଶ ।