ଭୁବନେଶ୍ୱର : ବିଶିଷ୍ଟ କଣ୍ଠଶିଳ୍ପୀ ଚିତ୍ତ ଜେନା ୭୬ ବର୍ଷ ବୟସରେ କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କର ବିୟୋଗରେ ସାରା ଓଲିଉଡ ଜଗତ ସମେତ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ଏଥିସହିତ ତାଙ୍କ ବିୟୋଗରେ ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଶୋକ ପ୍ରକାଶ ପ୍ରକାଶ କରିଛନ୍ତି ।
କିମ୍ବଦନ୍ତୀ ଓଡ଼ିଆ ପ୍ରଚ୍ଛଦପଟ ଗାୟକ ଚିତ୍ତ ଜେନାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଆ ଚଳଚ୍ଚିତ୍ର ଜଗତର ଅନେକ କାଳଜୟୀ ସଙ୍ଗୀତକୁ ନିଜ କଣ୍ଠସ୍ୱର ଦ୍ୱାରା ସେ ସମୃଦ୍ଧ କରିଛନ୍ତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଉଛି।
— Naveen Patnaik (@Naveen_Odisha) November 13, 2018
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ ସ୍ୱର୍ଗତ ଚିତ୍ତଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହ ଓଡିଆ ସିନେ ଜଗତରେ ଏକ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି ବୋଲି ପ୍ରକାଶ କରିଛନ୍ତି । ଏଥିସହିତ ତାଙ୍କ ଆତ୍ମାର ସଦଗତି କାମନା କରିବା ସହ ପରିବାର ସଦସ୍ୟଙ୍କୁ ସମବେଦନା ଜ୍ଞାପନ କରିଛନ୍ତି ।
ସ୍ୱର୍ଗତ ଚିତ୍ତ ଜେନାଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା ଏବଂ ବିଧାୟକ ଦଳ ନେତା ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଗଭୀର ଦୁଃଖ ପ୍ରକାଶ କରି ସ୍ୱର୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ସମବେଦନା ଜ୍ଞାପନ କରିଛନ୍ତି ।
ବର୍ଷୀୟାନ୍ କଣ୍ଠଶିଳ୍ପୀ ଚିତ୍ତ ଜେନାଙ୍କ ପରଲୋକରେ ମୁଁ ଦୁଃଖିତ । ଓଡିଶା ସଙ୍ଗୀତ ଜଗତର ଏକ ଅପୂରଣୀୟ କ୍ଷତି ହୋଇଛି। ଶୋକ ସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି।
— Dharmendra Pradhan (@dpradhanbjp) November 13, 2018
କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ୱିଟ କରି ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।
Comments are closed.