ଭାଗ-୩ :ପଥରର ପ୍ରେମକଥା

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର…

ଆଉ କିଛି କଥା ରହିଗଲା । ରହିଯାଉ । ମୁଁ ତ ଆଉ ଆତ୍ମଜୀବନୀ ଲେଖିବସୁନି ଯେ କଥା ଅଧା ରହିଗଲେ ଅବଶୋଷ ରହିଯିବ । ନା, ଆତ୍ମକାହାଣୀ ଅଧା ରହିଯାଉ ପଛେ ମୋ’ ପ୍ରେମକାହାଣୀଟି କିନ୍ତୁ ଏଇଠି ଚୁମ୍ବକରେ ସୂଚାଇ ନ ଦେଲେ ସୁଖ ଲାଗିବନି । ଦୁଃଖ ତ ଅନେକ ଭୋଗିଛି, ହେଲେ ସୁଖଟି ଅଳ୍ପ ହେଲେ ବି ସେଇଟି ହିଁ ମୋ’ ପ୍ରେମକାହାଣୀ । ହଁ, ମୋର ଏ ପ୍ରେମକାହାଣୀଟି ବି ଅଧୁରା ।

ସେତେବେଳେ ବୋଧିସତ୍ୱଙ୍କ ଜନ୍ମ ହୋଇସାରିଥାଏ । ରାଜା ବ୍ରହ୍ମଦତ ରାଜୁତି କରୁଥାନ୍ତି ବାରାଣାସୀରେ । ସେ ସମୟ ଆଉ ଏ ସମୟ ଭିତରେ ଆକାଶପାତାଳ ଫରକ । ରାଜା ଯେଭଳି ନ୍ୟାୟୀ ଥିଲେ, ପ୍ରଜାଏ ସେଭଳି ନୀତିନିଷ୍ଠ ଥିଲେ । ଯେମିତି ଏଇ ରାଜ୍ୟରେ ହିଁ ସତ୍ୟଯୁଗ ସ୍ଥିର ହୋଇ ରହିଯାଇଛି, ଠିକ୍ ସେମିତି ମନେହେଉଥିଲା । କିନ୍ତୁ ହଠାତ୍ ଘଟିଗଲା ସେଇ ଅଭାବିତ କାଣ୍ଡ – ମହାପ୍ରାକୃତିକ ଖଣ୍ଡପ୍ରଳୟ ଯେମିତି ! ସତ୍ୟ, ନ୍ୟାୟ, ନୀତି, ଧର୍ମ ଯେଉଁ ରାଜ୍ୟର ଥିଲା ଶୁଭନିୟାମକ, ସେ ରାଜ୍ୟରେ ଏଭଳି ଅଘଟଣ ଯେ ଘଟିଯାଇପାରେ – କିଏ କାହିଁକି ଦିବାସ୍ୱପ୍ନରେ ବି ଏ ବିଷୟ ଚିନ୍ତା କରିବ ? ମାତ୍ର ଘଟିଲା – ଏକ ଭୀଷଣ ଭୂକମ୍ପ । ସେ ଭୂକମ୍ପ ଏତେ ଭୟାବହ ଥିଲା ଯେ ଆଜି ବି ମନେପକାଇଲେ ଅନ୍ତରାତ୍ମା ଦୋହଲିଯାଉଛି । ଏଇ ମହାଭୂକମ୍ପ ପୂର୍ବରୁ ମୁଁ ଥିଲି ସେତେବେଳେ ଗୋଟିଏ ବିଶାଳ ମନ୍ଦିରଦ୍ୱାରର ଶେଷପାହାଚ । କେଉଁ ମହାପ୍ରଳୟଙ୍କର ବନ୍ୟା ଓ ବାତ୍ୟାର ବିଭୀଷିକା ଯୋଗୁ ମୁଁ ଦିନେ ସ୍ଥିତିହୀନ ବାସ୍ତୁହରା ବିସ୍ଥାପିତ ଭଳି ଏଇ ମନ୍ଦିର ଉଦ୍ୟାନରେ ଆସି ନିଃପତିତ ହୋଇଥିଲି, ସେ କାହାଣୀ ମୋ’ ଆତ୍ମକାହାଣୀର ଗୋପନୀୟ ଅଧ୍ୟାୟ । ସେ ପ୍ରସଙ୍ଗର ବିସ୍ତୃତ ବିବରଣୀ ପ୍ରଦାନ ଏଠାରେ ଅପ୍ରାସଙ୍ଗିକ । ମାତ୍ର ପ୍ରାସଙ୍ଗିକ ହେଉଛି, ମନ୍ଦିର-ଉଦ୍ୟାନରେ ମୋର ନିଃପତିତ ହୋଇଥିବା ପର‌୍ୟ୍ୟାୟରେ ଦିନେ ଜଣେ ଶୁଭ୍ରଜ୍ୟୋତିର୍ମୟ ଦିବ୍ୟପୁରୁଷ ମୋ’ ଉପରେ ଉପବିଷ୍ଟ ହୋଇଥିଲେ । କ’ଣ ହେଲା କେଜାଣି, ତାଙ୍କ କରସ୍ପର୍ଶରେ ମୋ ଆତ୍ମା ପରମ ପ୍ରଶାନ୍ତିରେ ପରିପୂର୍ଣ୍ଣ ହୋଇଉଠିଲା । ଏ କି ଅବବୋଧ ! ଏ କି ଉପଲବ୍‌ଧି ! ସେଇ ଦିବ୍ୟପୁରୁଷ ତାଙ୍କ ସମ୍ମୁଖରେ ଦଣ୍ଡାୟମାନ କତିପୟ ନରନାରୀଙ୍କୁ ସଦାଚାର ସମ୍ବନ୍ଧରେ ସୁମିଷ୍ଟ ବଚନ ଶୁଣାଉଥାନ୍ତି । ମନ୍ତ୍ରମୁଗ୍ଧ ହୋଇ ସମସ୍ତେ ଅମୃତପାନ କଲା ପରି ମତେ ଲାଗୁଥାଏ । ଆହା ! ଆଉକେବେ ସେହି ଅମୃତବାଣୀ ଏ କାନ ଶୁଣିପାରନ୍ତା ଭଲା !

ମୁଁ ଆତ୍ମବିସ୍ମୃତ ହୋଇପଡ଼ିଥାଏ । ଧ୍ୟାନଭଂଗ ହେଲା ଠିକ୍ ସେତିକିବେଳେ, ଯେତେବେଳେ ଲକ୍ଷ୍ୟ କଲି ରାଜା ବ୍ରହ୍ମଦତ ତାଙ୍କ ରାଜପଟୁଆରରେ ମୋ ନିକଟରେ ପହଂଚି ସେ ଦିବ୍ୟପୁରୁଷ କୁଆଡ଼େ ଚାଲିଗଲେ ବୋଲି ଜିଜ୍ଞାସା କରୁଥାନ୍ତି । ମନ୍ଦିର ପୂଜକ ଉତର ଦେଲେ – ହେ ରାଜନ୍‌, ସେ ଶୁଭ୍ରଜ୍ୟୋତି ଶ୍ରୀମନ୍ତ ବିଦ୍ୱାନ ଯୁବକ ଏଇମାତ୍ର କିୟତ୍‌କ୍ଷଣ ପୂର୍ବରୁ ଅନ୍ତର୍ହିତ ହୋଇସାରିଛନ୍ତି ।

ମୁଁ ଚମକିତ ହେଲି । ତାଙ୍କ ସ୍ପର୍ଶରେ ମୋର ଏଭଳି ଆତ୍ମବିସ୍ମୃତି ଆସିଯାଇଥିଲା ଯେ ମୁଁ ମଧ୍ୟ ଜାଣିପାରିନଥିଲି, ଉପବିଷ୍ଟ ଦିବ୍ୟପୁରୁଷ କେତେବେଳେ ମୋ ଉପରୁ ଉଠି ଚାଲିଗଲେଣି ! ମୁଁ ଚାହିଁଦେଖିଲି, ମନ୍ଦିର-ପୂଜକ ରାଜା ବ୍ରହ୍ମଦତଙ୍କୁ ଆଣି ମୋ ସାମ୍ନାରେ ପହଂଚାଇଦେଲେ । କହିଲେ – ରାଜନ୍‌, ଏଇ ପଥରଖଣ୍ଡିକ ଉପରେ ସେ ଉପବେଶନ କରିଥିଲେ ।

ରାଜା ବ୍ରହ୍ମଦତ ଶ୍ରଦ୍ଧାରେ ମତେ ଆଉଁଶିଦେଇ ନିଜକୁ ନିଜେ ଶୁଣାଇଲା ପରି ଅସ୍ଫୁଟ ସ୍ୱରରେ କହିଲେ – ହେ ପଥର, ତୁ କେଡ଼େ ଭାଗ୍ୟବାନ୍ ! ଯିଏ ମୋ ଭାଗ୍ୟରେ ନ ଥିଲେ, ସେଇ ମହାନ୍ ବୋଧିସତ୍ୱଙ୍କୁ ତୁ ତୋ ପିଠିରେ ବସାଇ ପାରିଥିଲୁ !

ଏଥର ସତରେ ମୁଁ ଚମକି ପଡ଼ିଲି ! ବୋ-ଧି-ସ-ତ୍ୱ ! ମୋ ଉପରେ ଯେଉଁ ଦିବ୍ୟପୁରୁଷ କିୟତ୍‌କାଳ କ୍ଳାନ୍ତି ଅପନୋଦନ ନିମନ୍ତେ ଉପବିଷ୍ଟ ହୋଇଥିଲେ, ସେ ତା’ହେଲେ ଥିଲେ ବୋଧିସତ୍ୱ – ଯିଏ ପରବର୍ତୀ ଯୁଗର ମହାବତାର, ପରମକାରୁଣିକ ବୁଦ୍ଧଦେବ ?

ରାଜା ବ୍ରହ୍ମଦତଙ୍କର ନିର୍ଦ୍ଦେଶ ଶୁଣିବାକୁ ପାଇଲି । ସେ ଆଜ୍ଞା ଦେଲା ପରି ତାଙ୍କ କର୍ମଚାରୀମାନଙ୍କୁ କହୁଥିଲେ – ଏ ପଥର ଅତି ପବିତ୍ର । ଯାଅ, ଏ ରାଜ୍ୟର ଶିଳ୍ପୀଗୁରୁଙ୍କୁ ଡକାଅ, ସେ ଏଇ ବିରାଟ ପଥରଖଣ୍ଡକୁ ଏହି ମହାମନ୍ଦିରର ଶେଷସୋପାନ ରୂପେ ସଂସ୍ଥାପିତ କରାନ୍ତୁ ।

ମୁଁ ହେଲି ମନ୍ଦିରର ଶେଷ ପାହାଚ ।

ଏଇ ଶେଷ ପାହାଚ ହେବାର ସମୟଖଣ୍ଡ ହେଉଛି ମୋ ଜୀବନରେ ପ୍ରଥମ ପ୍ରେମର ପ୍ରବେଶକାଳ । ସେଇ କଥା କଣ ସହଜରେ କହିଦେଇହେବ, ତାହା ହୃଦୟର ନିଭୃତ ଅନୁଭବ । ଯେଉଁସ୍ଥାନରେ ମୁଁ ଶେଷପାହାଚ ରୂପରେ ପ୍ରାୟ ଶହେବର୍ଷ ନିଜ ଅସ୍ତିତ୍ୱ ଘୋଷଣା କରୁଥିଲି, ଠିକ୍ ତାହାର ନିକଟବର୍ତୀ ସ୍ଥଳରେ ମନ୍ଦିରଗାତ୍ରରେ ସଂଲଗ୍ନ ଥିଲା ଏକ ମନୋମୁଗ୍ଧକର ନର୍ତକୀ ପ୍ରତିମା । ଅନିନ୍ଦ୍ୟରୂପସୀ ସେ ମନୋରମା ନାରୀମୂର୍ତି । ହଠାତ୍ ଦିନେ ପାହାନ୍ତି ପହରରେ ମୋ ଉପରେ ଦୁଇବୁନ୍ଦା କାକର ପଡ଼ିଲା । ପୁଣି କିଛି ସମୟ ପରେ – ଆଉ ଦୁଇବୁନ୍ଦା । ମୁଁ କାକରବୁନ୍ଦା ଭାବି ଏ ଘଟଣାକୁ ଏଡ଼ାଇଦେଲା ବେଳକୁ ମୋ ଆତ୍ମା ଯେପରି ମୋତେ କହିଲା – ଆରେ ମୂଢ଼, ଲୁହବୁନ୍ଦାକୁ କାକରବୁନ୍ଦା ଭାବିନେଉଛୁ ?

ମୁଁ ଆଶ୍ଚର୍ଯ୍ୟ ! ଲୁହବୁନ୍ଦା ?

ଚାରିଆଡ଼େ ଚାହିଁଲା ବେଳକୁ କୁଆକୋଇଲି କେହି ନାହିଁ । ତା’ହେଲେ କିଏ ? କିଏ କାନ୍ଦିଲା ଯେ ଲୁହ ଝରିଲା ଦୁଇବୁନ୍ଦା !

– ପଥର ହୋଇ ବି ପଥରକୁ ଚିହ୍ନିପାରିଲନି ?
କାହାର ଏ ସ୍ୱର ବତାସକୁ ବିଦୀର୍ଣ୍ଣ କରୁଛି ?
ଯାହା ଲକ୍ଷ୍ୟ କଲି, ସ୍ତବ୍ଧ ହୋଇଗଲି । ଦେଖିଲି, ସେଇ ଦିବ୍ୟରୂପସୀ ନର୍ତକୀ ଆଖିରେ ଅଶ୍ରୁସଂଚାର ।
ସେଇ ରାତିରୁ ଆରମ୍ଭ ହେଲା ମୋର ପ୍ରଥମ ପ୍ରେମର ପ୍ରହର । ପ୍ରାୟ ଶହେବର୍ଷ ପ୍ରତି ରାତିରେ ଦୁହେଁ କଥାଭାଷା ହେଉ – ସେଇ ଅନିନ୍ଦ୍ୟସୁଂଦରୀ ନାରୀମୂର୍ତି ଓ ଶେଷସୋପାନ ଦାୟିତ୍ୱ ନିର୍ବାହକାରୀ ମୁଁ । ଦୁଇ ପଥରର ଏ ପ୍ରେମକାହାଣୀ ଯେତିକି ନିଭୃତ, ସେତିକି ନିର୍ଜନ । ଦୁହେଁ ଦୁଃଖ ବାଂଟୁ ଦୁହିଁଙ୍କର । ଦୁଃଖ କହିଦେଇ ସୁଖ ପାଉ । ପବିତ୍ର ଆମର ଭଲପାଇବା । ନିଷ୍କାମ ଆମର ପ୍ରେମ । ଦୁଇ ଆତ୍ମାର, ଦୁଇ ଅନ୍ତରର ଅନୁରାଗ ଇଏ ।
କଟିଯାଇଥାନ୍ତା ଏମିତି କାଳକାଳ । ମାତ୍ର ବୋଧିସତ୍ୱ ସେତେବେଳକୁ ଆଉଏକ ନବଜନ୍ମ ନେଇଥିବେ – ରାଜା ବ୍ରହ୍ମଦତ ଏ ଧରାରୁ ବିଦାୟ ନେବାର ଅଳ୍ପ କେଇମାସ ପରେ ଅଭାବିତ ଭାବରେ ଦେଖାଦେଇଥିଲା ପୂର୍ବରୁ ସୂଚାଇଥିବା ସେଇ ଭୀଷଣ ଭୂକମ୍ପ ।

ଭୂମିକମ୍ପ ପରେ ବଦଳିଯାଇଥିଲା ପୂର୍ବର ଭୂଚିତ୍ର । ସମୂଳେ ନିଶ୍ଚିହ୍ନ ହୋଇଯାଇଥିଲା ବାରାଣାସୀର ସେଇ ମହାମନ୍ଦିର । ମୋର ଅତି ଆଦରଣୀୟା ପ୍ରେମପ୍ରତିମା ନର୍ତକୀ ନାରୀ ଅନ୍ତର୍ହିତ ହୋଇସାରିଥିଲା ମୋ ସମ୍ମୁଖରୁ । ମୁଁ ମଧ୍ୟ ଆଉ ପାହାଚ ରୂପରେ ରହିପାରିନଥିଲି, ଖଣ୍ଡିଆଖାବରା ହୋଇ କୁଆଡ଼େ ବୋଲି କୁଆଡ଼େ ଚାଲିଆସିଥିଲି

– ନିଜେ ବି ଜାଣିନି । ସତରେ କାଳର କ୍ରମ କି କୁଟିଳ !
ଆମେସବୁ ପଥର ଜନ୍ମ ପାଇଚୁ ବୋଲି ସତରେ ଗର୍ବିତ । ତୁମ ପାଦତଳର ପାହାଚ ହେବାଠୁ ଆରମ୍ଭ କରି ତୁମ ଆଖି ଆଗର ଦିବ୍ୟପ୍ରତିମା ପ୍ରସ୍ତୁତ ପର‌୍ୟ୍ୟନ୍ତ ଆମେ କେବଳ ଲକ୍ଷକୋଟି କଳେବର ଧାରଣ କରିନାହୁଁ; ଆମେ ବି ରହିଆସିଛୁ ତୁମ ମଣିଷସଭ୍ୟତାର ପରାକ୍ରମୀ ପରିତ୍ରାତା ଭୂମିକାରେ କାହିଁ କେଉଁ କାଳୁ । ତୁମେ ତୁମ ମନଇଚ୍ଛା ଆମକୁ ଭାଂଗିଛ, ଗଢ଼ିଛ – ଖଣ୍ଡଖଣ୍ଡ କରି ଦଣ୍ଡ ନ ଦେଇଛ କେତେ ! ଆମେ ସେ ଦଣ୍ଡକୁ ପିଠି ପତାଇ ମାନିନେଇଛୁ କାଳେକାଳେ, ଯୁଗେଯୁଗେ । ତୁମ ଶାବଳର ଚିହ୍ନ ଆମ ପାଇଁ ତୁମ ସୃଜନ-ଚିନ୍ମୟ ଚେତନାର ଚିତ୍ରାଙ୍କନ … ତୁମ ନିହାଣର ନିଶାଣ ଆମ ପାଇଁ ତୁମ ରୂପରଚନାର ରେଖାଙ୍କନ … ତୁମ ହାତୁଡ଼ିର ପ୍ରହାର ଆମ ପାଇଁ ତୁମ ଶିଳ୍ପ ସଂକଳ୍ପର ଉପହାର । ତୁମ ଚୋଟ ଆମକୁ ଚୁମ୍ବନ । ତୁମ ଆଘାତ ଆମକୁ ଆଲିଙ୍ଗନ । ଯେତେବେଳେ ତୁମ ସଭ୍ୟତାରେ ବିଜ୍ଞାନର ବାନା ଉଡ଼ିଲା, ସେତେବେଳେ ଆମ ପ୍ରତି ତୁମ ବ୍ୟବହାର ଆହୁରି ବଦଳିଗଲା । ଡିନାମାଇଟ୍ ବିସ୍ଫୋରଣ କରି ବିସ୍ଥାପିତ କରିଦିଆଗଲା ଆମକୁ – କେଉଁଠି ଥିଲୁ, କେଉଁଠି ଆସି ପଡ଼ିଲୁ, ଜାଣିପାରିଲୁନି କିଛି । ଖଣ୍ଡବିଖଣ୍ଡ ହେବା ପରେ ଆମର କ୍ଷତାକ୍ତ ପିଣ୍ଡ କ’ଣ ଦୁଃଖରେ ଦହି ହୋଇନାହିଁ, କ୍ଳେଶରେ କଳା ପଡ଼ିନାହିଁ, ଅବ୍ୟକ୍ତ ଜ୍ୱାଳାରେ ଜର୍ଜରିତ ହୋଇନାହିଁ ? କିନ୍ତୁ ହସିହସି ସେ ଦୁଃଖ, କ୍ଳେଶ, ଜ୍ୱାଳାକୁ ଆମେ କରିନେଇଛୁ ଗଳାର ମାଳା । ପରମ ପୁଲକରେ ପୂରିଉଠିଛି ଆମର ଏ ପାଷାଣ-ପ୍ରାଣ । କାହିଁକି ଜାଣିଛ ? କାରଣ ଆମର ଏ ବେଦନାରେ ତୁମ ବିବର୍ତନ, ଆମର ଏ ବ୍ୟଥାରେ ତୁମ ବିକାଶସାଧନ, ଆମର ଏ ପ୍ରାସରେ ତୁମ ପ୍ରୟାସ ଓ ପ୍ରଗତିର ପ୍ରସ୍ଫୁଟନ । ତୁମ ସଭ୍ୟତା, ତୁମ ସଂସ୍କୃତି, ତୁମ ସମୃଦ୍ଧି – ସବୁଠି ଆମ ଆତ୍ମୋତ୍ସର୍ଗ ଏକ ଏକ ଅଲିଖିତ ଉପାଖ୍ୟାନ । (କ୍ରମଶଃ…)

ଯାଜପୁର ରୋଡ, ଯାଜପୁର ମୋ : ୯୮୬୧୦୩୪୧୬୩