Latest Odisha News

BREAKING NEWS

ଦିଲ୍ଲୀ ନିର୍ବାଚନ: କାହା ଗ୍ୟାରେଣ୍ଟିରେ କେତେ ଦମ୍?

ନୂଆଦିଲ୍ଲୀ: ଦିଲ୍ଲୀରେ ଆମ ଆଦମୀ ପାର୍ଟି ସରକାରର ମାଗଣା ଯୋଜନା ଦଳ ପାଇଁ ବୁଷ୍ଟର ଡୋଜ୍ ହୋଇଛି । ପୂର୍ବ ଦୁଇଟି ନିର୍ବାଚନରେ ମାଗଣା ବିଜୁଳି, ପାଣି ଭଳି ଲୋକପ୍ରିୟ ଯୋଜନା ଆପ୍ ଖାତାକୁ ଭୋଟ୍ ଟାଣିଛି । ଦିଲ୍ଲୀରେ ଭିତ୍ତିଭୂମି ବିକାଶ ସାଙ୍ଗକୁ ଜନକଲ୍ୟାଣକାରୀ ଯୋଜନାକୁ ଏଥର ବି ନିର୍ବାଚନ ବ୍ଲୁପ୍ରିଣ୍ଟ କରିଛି ଆପ୍ । ତେବେ ବିଜେପି ନିଜ ରଣନୀତି ବଦଳାଇଛି ବିଜେପି । ଦଳ କ୍ଷମତାକୁ ଆସିଲେ ବି ଆପ ସରକାରର ସମସ୍ତ ଯୋଜନା ପୂର୍ବଭଳି ଜାରି ରହିବ ବୋଲି ବିଜେପି କହିଛି । ସେପଟେ କଂଗ୍ରେସ ବି ମାଗଣା ଘୋଷଣାରେ ପଛରେ ପଡିନି । ତେବେ କାହା ଗ୍ୟାରେଣ୍ଟିକୁ ସତ ଭାବି ଭୋଟ୍ ଦେବେ ଦିଲ୍ଲୀ ଜନତା?

କାହାର ଗ୍ୟାରେଣ୍ଟିରେ ଦମ୍?

ଆପ ନିର୍ବାଚନୀ ଇସ୍ତାହାରକୁ କେଜ୍ରିଓ୍ବାଲଙ୍କ ଗ୍ୟାରେଣ୍ଟି ନାଁରେ ଜାରି କରିଛି । ସେପଟେ ମୋଦିଙ୍କ ଗ୍ୟାରେଣ୍ଟିକୁ ନେଇ ଲୋକଙ୍କ ପାଖକୁ ଯାଉଛନ୍ତି ବିଜେପି ନେତା । ଫେବ୍ରୁଆରୀ ୮ତାରିଖରେ ଦିଲ୍ଲୀରେ ବିଜେପି ସରକାର ଆସିବ, ମାର୍ଚ୍ଚ ୮ତାରିଖରେ ମହିଳା ଦିବସ ଭିତରେ ଦିଲ୍ଲୀର ମହିଳାଙ୍କ ଖାତାକୁ ୨ହଜାର ୫ଶହ ଟଙ୍କା ପଠାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଶସ୍ତା ସିଲିଣ୍ଡର ହେଉ କି ସ୍ବଚ୍ଛ ପାଣି, ବିଭିନ୍ନ ଲୋକପ୍ରିୟ ଯୋଜନା ଘୋଷଣା କରିଛି ବିଜେପି । ଆପ ବି ପାରମ୍ପରିକ ଭାବେ ମହିଳାଙ୍କଠାରୁ ଆରମ୍ଭ କରି ବରିଷ୍ଠ ନାଗରିକ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଯୋଜନା ନେଇ ଗ୍ୟାରେଣ୍ଟି ଦେଇଛି ।

ବଦଳିଛି ବିଜେପି ରଣନୀତି

ପୂର୍ବରୁ ଆପ୍ ମୁଖ୍ୟ କେଜ୍ରିଓ୍ବାଲଙ୍କ ମାଗଣା ଯୋଜନାକୁ ରେଓ୍ବଡି କହି ସମାଲୋଚନା କରୁଥିବା ବିଜେପି ଏଥର ସମାନ ସ୍ବରରେ କଥା କହୁଛି । ଦିଲ୍ଲୀରେ ବିଜେପି କ୍ଷମତାକୁ ଆସିଲେ ଆପ ସରକାରର ସବୁ ଲୋକପ୍ରିୟ ଯୋଜନା ବନ୍ଦ ହୋଇଯିବ ବୋଲି କେଜ୍ରିଓ୍ବାଲ କହିଥିଲେ । ଏପରିକି ଆପ୍ କ୍ଷମତାକୁ ନଆସିଲେ ଦିଲ୍ଲୀର ପ୍ରତି ପରିବାର ଉପରେ ୨୫ହଜାର ଟଙ୍କାର ଅତିରିକ୍ତ ଖର୍ଚ୍ଚ ପଡିବ ବୋଲି କହିଥିଲେ । ତେବେ କୌଣସି ଜନକଲ୍ୟାଣକାରୀ ଯୋଜନା ବନ୍ଦ ହେବନି ବୋଲି ପ୍ରତିଶ୍ରୁତି ଦେଇଛି ବିଜେପି । ଏହାସହ ୫୦ହଜାର ସରକାରୀ ନିଯୁକ୍ତି ସୁଯୋଗ ସାଙ୍ଗକୁ ତିନି ବର୍ଷରେ ଯମୁନା ସଫେଇ ନେଇ ଘୋଷଣା କରିଛି ।

କାହାକୁ ଭରସା କରିବେ ଭୋଟର?

୨୦୨୩ ନିର୍ବାଚନ ବେଳକୁ ମଧ୍ୟପ୍ରଦେଶରେ ବିଜେପି ସରକାର ଥିଲା । ସେଠାରେ ବିଜେପି ସରକାର ମହିଳାଙ୍କ ଆକାଉଣ୍ଟକୁ ଆର୍ଥିକ ସହାୟତା ଦେଉଥିଲେ । ନିର୍ବାଚନ ବେଳେ କଂଗ୍ରେସ ବି ମହିଳାଙ୍କୁ ଆର୍ଥିକ ସହାୟତା ନେଇ ସମାନ ପ୍ରତିଶ୍ରୁତି ଦେଇଥିଲା । ହେଲେ ବିଜେପି ଉପରେ ଅଧିକ ଭରସା କରିଥିଲେ ଜନତା। ଦିଲ୍ଲୀରେ ବି ଏହାର ପୁନରାବୃତ୍ତି ଦେଖିବାକୁ ମିଳିପାରେ । ଉଭୟ ବିଜେପି ଓ କଂଗ୍ରେସ ବିଭିନ୍ନ ମାଗଣା ଯୋଜନା ଘୋଷଣା କରିଥିଲେ ବି ପୂର୍ବରୁ ଲୋକପ୍ରିୟ ଯୋଜନା ଚଳାଇଥିବା ଆପ୍ ଉପରେ ଅଧିକ ଭରସା କରିପାରନ୍ତି ଦିଲ୍ଲୀ ଜନତା ।

ମହିଳାଙ୍କ ହାତରେ କ୍ଷମତା ଚାବି

କ୍ଷମତାକୁ ଆସିଲେ ଦିଲ୍ଲୀ ମହିଳାଙ୍କୁ ମାସିକ ୨୧ଶହ ଟଙ୍କା ଦେବାକୁ ଘୋଷଣା କରିଛି ଆମ ଆଦମୀ ପାର୍ଟି । ଏହାସହ ମହିଳାଙ୍କୁ ମାଗଣାରେ ବସଯାତ୍ରା ଯୋଜନା ଆଗକୁ ବି ଜାରି ରହିବ ବୋଲି କହିଛି । ସେପଟେ ବିଜେପି ଓ କଂଗ୍ରେସ ମହିଳାଙ୍କୁ ମାସିକ ୨ହଜାର ୫ଶହ ଟଙ୍କା ଦେବାକୁ କହିଛନ୍ତି । ଗର୍ଭବତୀ ମହିଳାଙ୍କୁ ୨୧ହଜାର ଟଙ୍କା ସହାୟତା ସହ ୬ଟି ପୋଷଣ କିଟ୍ ଦେବାକୁ ପ୍ରତିଶ୍ରୁତି ଦେଇଛି ବିଜେପି । ଏହାସହ ବିଧବା ମହିଳାଙ୍କ ଭତ୍ତାକୁ ୨୫ଶହରୁ ୩ହଜାର ଟଙ୍କାକୁ ବୃଦ୍ଧି କରିବାକୁ କହିଛି ଦଳ । ସେପଟେ କଂଗ୍ରେସ ପ୍ୟାରୀ ଦିଦି ଯୋଜନାରେ ୨୫ଶହ ଟଙ୍କା ସହାୟତା ସହ ମହିଳାଙ୍କୁ ପ୍ରତି ମାସ ରାସନ କିଟ୍ ଦେବାକୁ ଘୋଷଣା କରିଛି । ତେବେ ପ୍ରଶ୍ନ ଉଠୁଛି, ଦିଲ୍ଲୀରେ ଆପ ସରକାରର ଜନକଲ୍ୟାଣକାରୀ ଯୋଜନା ପୁଣି ଜନତାଙ୍କ ବିଶ୍ବାସ ଜିତିବ? ନା ବିଜେପି ଓ କଂଗ୍ରେସର ଘୋଷଣାକୁ ଭରସା କରିବେ ଜନତା ?

Comments are closed.