ନୂଆଦିଲ୍ଲୀ: ଦିଲ୍ଲୀରେ କେତେ କାମ ଦେବ କଂଗ୍ରେସ ରଣନୀତି ? ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସରିଛି ପ୍ରଚାର। ଶେଷ ଦିନରେ ଭୋଟରଙ୍କୁ ମନାଇବାକୁ ଜୋରଦାର ଉଦ୍ୟମ କରିଛନ୍ତି ସବୁ ଦଳର ଷ୍ଟାର ପ୍ରଚାରକ । ତେବେ କୁଆଡ଼େ ଢଳିବେ ଭୋଟର? ସବୁ ବର୍ଗର ଭୋଟରଙ୍କ ପାଇଁ ତିନି ପ୍ରମୁଖ ଦଳ ବଡ଼ ଘୋଷଣା କରିଛନ୍ତି । ମହିଳା ହୁଅନ୍ତୁ କି ବରିଷ୍ଠ ନାଗରିକ, କ୍ଷମତାକୁ ଆସିଲେ ଘୋଷଣା ଲାଗୁ ନେଇ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଦିଲ୍ଲୀରେ କାମ କରିବ କେଉଁ ଫ୍ୟାକ୍ଟର?
୧- କୁଆଡେ ଯିବ ଦଳିତ ଭୋଟ୍?
୧୯୯୩ରୁ ୨୦୨୦ ପର୍ଯ୍ୟନ୍ତ ଦିଲ୍ଲୀ ନିର୍ବାଚନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଛନ୍ତି ଦଳିତ ଭୋଟର । ଗତ ଦୁଇଟି ନିର୍ବାଚନରେ ଦଳିତ ଭୋଟର ଆପକୁ ସମର୍ଥନ କରିଛନ୍ତି । ୧୨ଟି ସଂରକ୍ଷିତ ସିଟରେ ଜିତିଆସୁଛି ଆପ୍ । ତେବେ ଏଥର ଦଳିତ ଭୋଟର କାହାକୁ ବାଛିବେ? ତାଉପରେ ଦିଲ୍ଲୀର କ୍ଷମତା ସମୀକରଣ ନିର୍ଭର କରିପାରେ । ଗତ ୧୦ବର୍ଷ ହେଲା କଂଗ୍ରେସର ଦଳିତ ଭୋଟବ୍ୟାଙ୍କ ଆପକୁ ଆସିଛି । ତେବେ ଏଥର ପୂରା ଦମରେ ଲଢୁଛି କଂଗ୍ରେସ । ସେପଟେ ବସ୍ତିବାସିନ୍ଦାଙ୍କୁ ଘର ଦେବା ନେଇ ପ୍ରତିଶ୍ରୁତି ଦେଇଛି ବିଜେପି । ତେଣୁ ଏଥର ଦଳିତ ଭୋଟ୍ ଭାଗ ହୋଇପାରେ ବୋଲି କୁହାଯାଉଛି ।
୨- ସଂଖ୍ୟାଲଘୁ ଭୋଟ୍ ବଦଳାଇବ ସମୀକରଣ !
ଦିଲ୍ଲୀର ୧୩ପ୍ରତିଶତ ମୁସଲିମ ଭୋଟ୍ କେଉଁ ଦଳକୁ ଯିବ? ପାରମ୍ପରିକ ଭାବେ ସଂଖ୍ୟାଲଘୁ ଭୋଟର କଂଗ୍ରେସ ସହ ରହିଥିଲେ । ଗତ ୧୦ବର୍ଷ ଧରି ସେମାନେ ଆପକୁ ସମର୍ଥନ କରୁଛନ୍ତି । ତେବେ ଶାହିନବାଗ ଆନ୍ଦୋଳନ ହେଇଉ କି ୨୦୨୦ ସାଂପ୍ରଦାୟିକ ହିଂସା, ଆପ ପ୍ରତି ମୁସଲିମ ଭୋଟରଙ୍କ ଅସନ୍ତୋଷ ରହିଛି । ତେବେ କଂଗ୍ରେସକୁ ଭୋଟ ଦେଲେ ବି ଦଳ ବିଜେପିକୁ ହରାଇ ପାରିବା ଭଳି ସ୍ଥିତିରେ ନଥିବା ମୁସଲିମ ଭୋଟର ଭାବିପାରନ୍ତି । ତେଣୁ ଏଥର ବି ଆପକୁ ସମର୍ଥନ କରିପାରନ୍ତି ବୋଲି କୁହାଯାଉଛି।
୩- କାହାକୁ ବାଛିବେ ମଧ୍ୟବିତ୍ତ?
ବଜେଟରେ ଆୟକର ଛାଡ ସୀମା ୧୨ଲକ୍ଷ ପର୍ଯ୍ୟନ୍ତ ବଢାଇବା ସହ ଦିଲ୍ଲୀ ନିର୍ବାଚନ ପୂର୍ବରୁ ବିଜେପି ମାଷ୍ଟରଷ୍ଟ୍ରୋକ୍ ମାରିଥିବା କୁହାଯାଉଛି । ଦିଲ୍ଲୀରେ ଭିତ୍ତିଭୂମିର ଖରାପ ସ୍ଥିତି, ସଡ଼କର ସ୍ବଚ୍ଛତାକୁ ନେଇ ମଧ୍ୟବିତ୍ତ ବର୍ଗଙ୍କ ମଧ୍ୟରେ ଅସନ୍ତୋଷ ରହିଛି । ଦିଲ୍ଲୀର ପ୍ରାୟ ୪୦ପ୍ରତିଶତ ଭୋଟର ମଧ୍ୟବିତ୍ତ । ତେଣୁ ମଧ୍ୟବିତ୍ତଙ୍କ ପାଇଁ ଅନେକ ଦାବି ଉଠାଇ ଭୋଟ ସମୀକରଣ କଷିଥିଲେ ଆପ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ । ତେବେ କେନ୍ଦ୍ରର ଆୟକର ଘୋଷଣା ପରେ ବିଜେପି ଆଡକୁ ମଧ୍ୟବିତ୍ତ ଭୋଟର ଢଳିପାରନ୍ତି ବୋଲି ରାଜନୈତିକ ବିଶେଷଜ୍ଞ ଆକଳନ କରୁଛନ୍ତି ।
୪- ଜିତାଇଦେବ ମାଗଣା ଯୋଜନା !
ଦିଲ୍ଲୀରେ ଆମ ଆଦମୀ ପାର୍ଟି ସରକାର ପକ୍ଷରୁ ମାଗଣା ବିଜୁଳି, ପାଣି, ଶିକ୍ଷା, ସ୍ବାସ୍ଥ୍ୟ ଭଳି ବିଭିନ୍ନ ଯୋଜନା ବେଶ୍ ଲୋକପ୍ରିୟ ହୋଇଛି । ବିଜେପି ବି ଏଥର ମାଗଣା ଯୋଜନାକୁ ନେଇ ନିଜ ରଣନୀତି ବଦଳାଇଛି । ମାଗଣା ଯୋଜନାକୁ ନେଇ ଆପକୁ ଟାର୍ଗେଟ୍ କରିବା ବଦଳରେ କ୍ଷମତାକୁ ଆସିଲେ ଆପର ଯୋଜନା ଚଳାଇବା ନେଇ ପ୍ରତିଶ୍ରୁତି ଦେଇଛି । କାରଣ ବିଜେପି ବି ଜାଣିଛି, ମାଗଣା ଯୋଜନା ଭୋଟ୍ ରାଜନୀତିରେ ମାଷ୍ଟରଷ୍ଟ୍ରୋକ୍ ହୋଇପାରେ ।
୫- ଦିଲ୍ଲୀରେ କେଜ୍ରିଓ୍ବାଲ Vs କିଏ?
ଦିଲ୍ଲୀ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ହିଁ ବିଜେପିର ଦିଲ୍ଲୀ ଚେହେରାକୁ ନେଇ ଦଳକୁ ଆଟାକ୍ କରିଆସିଛନ୍ତି କେଜ୍ରିଓ୍ବାଲ । ଏଥର ବିଜେପି କାହାକୁ ଦିଲ୍ଲୀ ଚେହେରା ଭାବେ ପ୍ରଦର୍ଶିତ କରିବା ନେଇ ଅନେକ ଚର୍ଚ୍ଚା ବି ହୋଇଥିଲା । ହେଲେ ଏଥର ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚେହେରାରେ ନିର୍ବାଚନ ଲଢିଛି ବିଜେପି । ଗତ ଦୁଇ ଥର ଭଳି ଯଦି ଏଥର ବି ଦଳିତ, ସଂଖ୍ୟାଲଘୁ ଭୋଟର ଆପକୁ ସମର୍ଥନ କରନ୍ତି, ତେବେ ପୁଣି ଦିଲ୍ଲୀ ଜିତିପାରେ ଦଳ । ତେବେ ଯଦି ଦଳିତ ଓ ମଧ୍ୟବିତ୍ତ ଭୋଟ ଭାଗ ହୁଏ, ତେବେ ଦିଲ୍ଲୀରେ କିଛି ବି ହୋଇପାରେ ।
Comments are closed.