ଦୁବାଇ: ବିଶ୍ୱର ସବୁଠୁ ଆକର୍ଷଣୀୟ କ୍ରିକେଟ୍ ପ୍ରତିଯୋଗୀତା ଆଇପିଏଲ୍ରେ ଜାରି ରହିଛି ଡି’ଭିଲିୟର୍ସଙ୍କ ସଫଳ ଯାତ୍ରା । ସନ୍ୟାସ ପରେ ବି ଆଖି ପିଛୁଳାକେ ମ୍ୟାଚ୍ ଛଡାଇ ଆଣିବାର କଳା ତାଙ୍କ ନିକଟରେ ଜୀବିତ ଅଛି । ଚଳିତବର୍ଷ ଧୁଆଁଧାର ମାଡରେ ସେ ବିଶ୍ୱର ସମସ୍ତ ଦର୍ଶକଙ୍କ ମନୋରଂଜନ କରିଛନ୍ତି । ହେଲେ ଆଇପିଏଲକୁ ହଁ କହିଥିବା ଏହି ମହାନ ଖେଳାଳି କିନ୍ତୁ ବିଗ୍ ବାସ୍ ଲିଗ୍କୁ ମନା କରିଛନ୍ତି ।
ଚଳିତବର୍ଷ ରୟାଲ୍ ଚାଲେଂଜର୍ସ ବାଙ୍ଗାଲୋର ତରଫରୁ ଖେଳୁଥିବା ଡି’ଭିଲିୟର୍ସ ବିଗ୍ ବାସ୍ ଲିଗ୍ରେ ବ୍ରିସ୍ବେନ୍ ହିଟ୍ ଦଳ ପାଇଁ ପୁନଃ ସ୍ୱାକ୍ଷର କରିଥାନ୍ତେ । ହେଲେ ବ୍ୟକ୍ତିଗତ କାରଣରୁ ସେ ଅଷ୍ଟ୍ରେଲିୟ ଟି୨୦ ପ୍ରତିଯୋଗୀତାରୁ ଓହରିଯାଇଛନ୍ତି । ଦୁବାଇ ଗସ୍ତରେ ଥିବା ଡି’ଭିଲିୟର୍ସଙ୍କ ସ୍ତ୍ରୀ ଗର୍ଭବତୀ ଅଛନ୍ତି । ଆସନ୍ତା ଦିନରେ ତାଙ୍କ ସ୍ତ୍ରୀ ଖୁବଶୀଘ୍ର ତୃତୀୟ ଥର ପାଇଁ ମା’ ବନିବେ । ଏହି କାରଣରୁ ଡି’ଭିଲିୟର୍ସ ବିଗ୍ ବାସ୍ ଲିଗ୍ରୁ ଓହରିଯାଇଛନ୍ତି ।
ଅନ୍ୟପଟେ ଆଇପିଏଲ୍ରେ ଚମତ୍କାର ଫର୍ମରେ ଥିବା ଡି’ଭିଲିୟର୍ସଙ୍କୁ ନେଇ ବ୍ରିସ୍ବେନ୍ ହିଟ୍ ଦଳ ଖୁବ ଆଶାୟୀ ଥିଲା । ହେଲେ ଡି’ଭିଲିୟର୍ସଙ୍କ ଓହରିଯିବା ଘଟଣା ଦଳର ଯୋଜନାକୁ ବଦଳାଇଦେଇଥିବା କହିଛନ୍ତି କୋଚ୍ ଡେରେନ୍ ଲେହମ୍ୟାନ୍ । ତେବେ ପରିସ୍ଥିତି ସୁଧୁରିଲେ ଡିସେମ୍ବର ୩’ରେ ଆରମ୍ଭ ହେବାକୁ ଥିବା ବିଗ୍ ବାସ୍ ଲିଗ୍ରେ ଡି’ଭିଲିୟର୍ସ ଫେରିପାରନ୍ତି ବୋଲି ଅନୁମାନ କରାଯାଉଛି ।