Latest Odisha News

BREAKING NEWS

ଗୃହ କମିଟିରେ ପୁଣି ଥରେ ହାଜର ହୋଇ ସତ୍ୟପାଠ ଦାଖଲ କଲେ ଅଭିଜିତ

ଭୁବନେଶ୍ୱର: ଓଡ଼ିଶା ସମ୍ପର୍କରେ ଅଶାଳୀନ ଟିପ୍ପଣୀ ଦେଇ ପୁଣି ଥରେ ଓଡ଼ିଶା ବିଧାନସଭା ଗୃହ କମିଟିରେ ହାଜର ହୋଇ ସତ୍ୟପାଠ ଦାଖଲ କରିଛନ୍ତି ରିସର୍ଚ୍ଚ ସ୍କଲାର୍ ଅଭିଜିତ ଆୟାର ମିତ୍ର ।

ମହାପ୍ରଭୁ ଶ୍ରୀଜଗନ୍ନାଥ, ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର, ଓଡ଼ିଶାର ସାମ୍ବାଦିକ, ବିଧାନସଭାର ବିଧାୟକ ତଥା ଓଡ଼ିଶାର ମର୍ଯ୍ୟାଦା ହାନୀ ହେଲା ପରି ସୋସିଆଲ ମିଡ଼ିଆରେ ମନ୍ତବ୍ୟ ପ୍ରଦାନ କରିଥିବା ଅଭିଜିତଙ୍କୁ ଓଡ଼ିଶା ପୋଲିସ ପୂର୍ବରୁ ଗିରଫ କରିଥିଲେ ।

ଗଣମାଧ୍ୟମକୁ ସୂଚନାଦେଇ ଗୃହ କମିଟିର ଅଧ୍ୟକ୍ଷ ନରସିଂହ ମିଶ୍ର କହିଛନ୍ତି, ଗୃହ କମିଟି ଅଭିଜିତଙ୍କର ସତ୍ୟପାଠ ଏବଂ ବୟାନକୁ ଆମେ ତର୍ଜମା କରିବୁ । ଆବଶ୍ୟକ ପଡ଼ିଲେ ଅଭିଜିତଙ୍କୁ ପୁନର୍ବାର ଗୃହ କମିଟି ଆଗରେ ହାଜର ହେବାକୁ ପଡ଼ିପାରେ । ବିଧାନସଭାର ବାଚସ୍ପତିଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ଶୀତକାଳୀନ ଅଧିବେଶନର ପ୍ରଥମ ଦିବସରେ ବିଧାନସଭାରେ ଗୃହ କମିଟି ଏସମ୍ପର୍କରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବ ।

ଏହି ଅଭିଯୁକ୍ତ ରିସର୍ଚ୍ଚ ସ୍କଲାର ଜଣକ ପୂର୍ବରୁ ଶୁକ୍ରବାର ଦିନ ଗୃହ କମିଟି ଆଗରେ ହାଜର ହୋଇଥିଲେ । ଶୁକ୍ରବାର ଦିନ ଅଭିଜିତ ସତ୍ୟପାଠ ଦାଖଲ କରିନପାରିବା ଫଳରେ ଗୃହ କମିଟି ତାଙ୍କୁ ସତ୍ୟପାଠ ଦାଖଲ କରିବାକୁ ଆଉ ଗୋଟିଏ ଅଧିକ ଦିନ ପ୍ରଦାନ କରିଥିଲେ ।

ପୂର୍ବରୁ ଗୃହ କମିଟି ଅକ୍ଟୋବର ୨୩ ତାରିଖ ଦିନ ଅଭିଜିତଙ୍କୁ ନଭେମ୍ବର ୨ ତାରିଖରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହିଦିନ ସହିଦ ନଗର ପୋଲିସ ଅଭିଜିତଙ୍କୁ ଗିରଫ କରି ଏସଡ଼ିଜିଏମଙ୍କ କୋର୍ଟରେ ହାଜର କରିଥିଲେ । ଅଭିଜିତ ଆୟାର ମିତ୍ର ଜାମିନ ଆବେଦନ କରିଥିଲେ ମଧ୍ୟ ଅଦାଲତ ତାଙ୍କର ଆବେଦନକୁ ଖାରଜ କରିଦେଇଥିଲେ । ଓଡ଼ିଶା ପୋଲିସ ଅଭିଜିତଙ୍କୁ ଏସମ୍ପର୍କରେ ଅଧିକ ତଦନ୍ତ ଲାଗି ୧୪ ଦିନିଆ ରିମାଣ୍ଡରେ ତାଙ୍କୁ ନେବା ପରେ ତାଙ୍କୁ ଝାରପଡ଼ା ଜେଲକୁ ପଠାଇଦିଆଯାଇଥିଲା ।

ଏଠାରେ ଉଲ୍ଲେଖଯୋଗ୍ୟ, କୋଣାର୍କ ମନ୍ଦିର ଉପର ଦେଇ ଅଭିଜିତ ହେଲିକପ୍ଟର ଯୋଗେ ଭ୍ରମଣ କରିବା ସହିତ କୋଣାର୍କରେ ବିଶ୍ୱପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ପ୍ରଦାନ କରିବା ଅଭିଯୋଗରେ ପଚରାଉଚରା ଲାଗି କୋଣାର୍କ ପୋଲିସ ତାଙ୍କୁ ୪ ଦିନିଆର ରିମାଣ୍ଡରେ ନେଇଥିଲେ ।

Leave A Reply

Your email address will not be published.